
ପଟ୍ଟାମୁଣ୍ଡାଇ ୩୦/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଅଣ୍ଢରା ଠାରେ ଥିବା ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର ଦାବିରେ ମଙ୍ଗଳବାର ଗ୍ରାମବାସୀଙ୍କ ମେଳି ଓ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ସ୍ଥାନୀୟ ଅଂଚଳର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ନିଶା କାରବାର ବିରୋଧରେ ଗର୍ଜିବା ସହିତ ମଙ୍ଗଳବାର ମଦ ଦୋକାନ ସାମନାରେ ଧାରଣା ଦେଇଥିଲେ। । ଅଣ୍ଢରା ଗ୍ରାମର ଜନବସତି ମଧ୍ୟରେ ଚାଲିଥିବା ଏହି ମଦ ଦୋକାନ ଯୋଗୁଁ ସ୍ଥାନୀୟ ଶାନ୍ତିପୂର୍ଣ୍ଣ ପରିବେଶ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବାରେ ଲାଗିଛି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ନିର୍ଦ୍ଧେଶରେ ଏକ ଅବକାରୀ ଟିମ ଘଟଣା ସ୍ଥଳରେ ପହଁଚି ଏହି ବିଦେଶି ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ପଟ୍ଟାମୁଣ୍ଡାଇ ଧୋୟାଂଚଳର ୭ଟି ପଂଚାୟତରେ ଦୁଇଟି ସରକାରୀ ମଦ ଦୋକାନ ରହିଛି । ଗୋଟିଏ ଅଳପୁଆ ଠାରେ ଥିବାବେଳେ ଅନ୍ୟଟି ଅଣ୍ଢରା ଠାରେ ରହିଛି । ଅଣ୍ଢରା ସରକାରୀ ମଦ ଦୋକାନ ନିକଟରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ଉଷା ଦେବୀ ମହିଳା ମହାବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ମିନି ବ୍ୟାଙ୍କ , କାନାରା ବ୍ୟାଙ୍କ ଏବଂ ପବିତ୍ର ଜଗନ୍ନାଥ ମନ୍ଦିର ରହିଥିବା ବେଳେ ଆଖପାଖରେ ବହୁ ଦୋକାନ ବଜାର ରହିଛି ।ଏହାର ଆଖପାଖ ସ୍ଥାନରେ ବିଭିନ୍ନ ବର୍ଗର ଲୋକମାନେ ପରିବାର ସହ ବସବାସ ମଧ୍ୟ କରିଆସୁଛନ୍ତି । ମଦ୍ୟପ ମାନେ ମଦ୍ୟପାନ କରି ରାସ୍ତାରେ ଗଣ୍ଡଗୋଳ କରୁଥିବାରୁ ଅଂଚଳର ଶାନ୍ତି ଓ ସୁରକ୍ଷା ବ୍ୟାହତ ହେଉଛି । ଯାହାଫଳରେ ମହିଳା ଓ କଲେଜ ପଢୁଆ ଝିଅମାନେ ଯିବାଆସିବା କରିବା ସମୟରେ ଅସୁରକ୍ଷିତ ମଣୁଛନ୍ତି ଏବଂ ବିଭିନ୍ନ ସମୟରେ ଅଶ୍ଳୀଳ ଆଚରଣର ଶିକାର ହେଉଛନ୍ତି। ଏହାସହ ସ୍ଥାନୀୟ ଅଂଚଳର ଆଧ୍ୟାତ୍ମିକ ଓ ସାମାଜିକ ପରିବେଶ କ୍ଷୁର୍ଣ୍ଣ ହେଉଛି।ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏବଂ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଗତ ୧୧ ତାରିଖରେ ଅଣ୍ଢରା, ଅମୃତମଣୋହୀ ଓ ବଲୁରିଆ ଗ୍ରାମର ଶତାଧିକ ସଂଗ୍ରାମୀ ଯୁବକ ଓ ଗ୍ରାମବାସୀ ଏକାଠି ହୋଇ କେନ୍ଦ୍ରାପଡା ଜିଲାପାଳଙ୍କୁ ଭେଟି ନିଜର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏହି ମଦ ଦୋକାନକୁ ଜନବସତି ଅଂଚଳରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଏହାର କିଛି ସମାଧାନ ନହେବାରୁ ମଙ୍ଗଳବାର ବାଣିି ପ୍ରସାଦ ସେଠୀ ,ଶେଖର ସେଠ. ସାଗର ସେଠୀ, ଆନନ୍ଦ ସେଠୀ, ଜାଡୁ ମଲିକ୍, ପ୍ରକାଶ ମହାଳିକ, ସୁଶାନ୍ତ ତରାଇ, ନାଲୁରାମ ସେଠୀ, ଅନିରୁଦ୍ଧ ସାହୁ, ଭକ୍ତ ଚରଣ ସେଠୀ, ସଂଜୟ ଦାସ, ସନ୍ତୋଷ ମଲ୍ଲିକ, ନିରାକାର ଦାଶ, ପୁଷ୍ପଲତା ବେହେରା, ମାଧବୀଲତା ମାହାଳିକ, ଇତିଶ୍ରୀ ମଲ୍ଲିକ ସମେତ ଶାତାଧିକ ମହିଳା, ପୁରୁଷ ଗ୍ରାମର ଯୁବକ ମାନେ ଅନ୍ଦୋଳନରେ ସାମିଲ ହୋଇଥିଲେ । ପ୍ରଶାସନ ପ୍ରତିଶୃତିର ପରବର୍ତୀ ପଦକ୍ଷେପ ଉପରେ ଏବେ ସମଗ୍ର ଅଂଚଳବାସୀଙ୍କ ନଜର ରହିଛି ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
