- ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା
- ବ୍ରିଟିଶ ଅମଳର ଶିକ୍ଷାନୁଷ୍ଠାନରେ ଛୋଟଛୋଟ କୋଠରୀ
- ଗୋଟିଏ ଶ୍ରେଣୀରେ ୯୦ ରୁ ୧୦୦ ଛାତ୍ରୀଛାତ୍ର ପଢୁଛନ୍ତି

ପଟ୍ଟାମୁଣ୍ଡାଇ ୧୮/୩ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇର ସର୍ବ ପୁରାତନ ମନ୍ମଥନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ଲାଗି ରହିଛି । ସବାଶହରୁ ଅଧିକ ବର୍ଷର ସ୍କୁଲରେ ଆଠଶହରୁ ଅଧିକ ପିଲା ପାଠ ପଢୁଛନ୍ତି । ଏହା ବ୍ରିଟିଶ ଅମଳର ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଛୋଟଛୋଟ ଶ୍ରେଣୀ ଗୃହ ରହିଛି । ଯାହକୁ ନେଇ ଗୋଟିଏ ଶ୍ରେଣୀ ପିଛା ଏକାଧିକ ସେକସନ କରାଯାଇଥିବା ବେଳେ ପିଲା ଜକାଜକିରେ ବସି ପାଠପଢୁଛନ୍ତି । ଫଳରେ ଆବଶ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନରେ ଅବହେଳା ପରିଲକ୍ଷିତ ହେଉଛି । ଅନ୍ୟପକ୍ଷରେ ୫ଟି ଯୋଜନାରେ ଏହି ସ୍କୁଲକୁ ରୂପାନ୍ତରୀକରଣ କରାଯାଇଥିଲେ ମଧ୍ୟ ସ୍କୁଲରେ ନାନା ଅବ୍ୟବସ୍ଥା ଲାଗି ରହିଛି। ପରିସ୍ଥିତି ଏମିତି ହୋଇଛି ଯେ ଦୈନିକ ୫ ଶହରୁ ଅଧିକ ପିଲା ସ୍କୁଲ ସାଇକେଲ ଷ୍ଟାଣ୍ଡରେ ମଧ୍ୟାହ୍ନ ଭୋଜନ କରୁଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକ ଖାଇବାଘର ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।

ସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାଶ, ସମ୍ପାଦିକା ଇତିଶ୍ରୀ ଦାଶ, ମହେଶ୍ୱର ସାମଲ, ରେଖାରାଣୀ ବାଇରଂଜନ ମଲିକ ପ୍ରମୁଖ କୁହନ୍ତି ଏହି ହାଇସ୍କୁଲ ୧୯୪୪ ମସିହାରେ ସ୍ଥାପିତ ହୋଇଛି । ଛାତ୍ରୀଛାତ୍ରମାନଙ୍କୁ ଉନ୍ନତ ଜ୍ଞାନକୌଶଳରେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ କରିବା ପାଇଁ ସ୍କୁଲଟିକୁ ୫ ଟି ଯୋଜନାରେ ରୂପାନ୍ତରୀକରଣ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଡିଜିଟାଲ କ୍ଲାସରୁ୍ମ, କମ୍ପ୍ୟୁଟର କକ୍ଷ, ସାଇନ୍ସ ଲାବୋରିଟୋରୀ, ଲାଇବ୍ରେରୀ ଗୃହ ଆଦି କରାଯାଇଛି। ମାତ୍ର ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ଅତ୍ୟାବଶ୍ୟକ ଥିବା ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଗୃହ ନାହିଁ । ଫଳରେ ସ୍କୁଲ ପରିସରରେ ଥିବା ଭଙ୍ଗାରୁଜା ସାଇକେଲ ଷ୍ଟାଣ୍ଡରେ ମଧ୍ୟାହ୍ନ ଭୋଜନ କରାଯାଉଛି । ସ୍କୁଲରେ ୬ଷ୍ଠ ଶ୍ରେଣୀଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬ ଶହରୁ ଅଧିକ ଜଣ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି । ସେହିଭଳି ମାଇନର କ୍ଲାସରୁମ ବାରଣ୍ଡା ଗ୍ରିଲ ଖସି ପଡିଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ । କେବଳ ଠିକାଦାରକୁ ଲାଭବାନ କରାଇବା ଉଦ୍ଦେଶ୍ୟରେ ପୂର୍ବରୁ କଂକ୍ରିଟ ଥିବା ସ୍ଥାନରେ ପେଭର ବ୍ଲକ ପକାଯାଇଛି ବୋଲି ଅଭିଯୋଗ ହେଉଛି। ସ୍କୁଲର ମୁଖ୍ୟ ପାଚେରୀ ଫାଟି ପଲସ୍ତରା ଖସୁଥିବାରୁ ଭାଙ୍ଗିଜିବାର ଭୟ ଘାରୁଛି। ହେଲେ ଏଥିପ୍ରତି ଦୃଷ୍ଟି ନ ଦେଇ ସରକାରୀ ଅର୍ଥର ଅପବ୍ୟବହାର କରାଯାଉଥିବା ସ୍ଥାନୀୟ ଅଭିଭାବକ ମାନେ କହିଛନ୍ତି। ସରକାରୀ ଉଚ୍ଚ ବିଦ୍ୟାଳୟର ବିକାଶ କାମ ଅଧାରେ ଅଟକିଛି ବୋଲି ଅଭିଯୋଗ ହୋଇଛି । ସୌନ୍ଦର୍ଯ୍ୟକରଣ ପାଇଁ ଚାରା ରୋପଣ ନିମନ୍ତେ ଅର୍ଥ ବ୍ୟୟ କରାଯାଇଛି। ହେଲେ ଗୋଟାଏବି ଗଛ ବଗିଚାରେ ଲାଗିନାହିଁ । ସ୍ମାର୍ଟ କ୍ଲାସ୍ରୁମ କାନ୍ଥରୁ ଛାଡ଼ିଲାଣି ପ୍ଲାଷ୍ଟର। ଛାତ୍ରୀଛାତ୍ରଙ୍କ ପାଇଁ ଯେପରି ପାନୀୟ ଜଳର ବ୍ୟବସ୍ଥା ହେବା କଥା ତାହା ନାହିଁ । ବିଦ୍ୟାଳୟର ପାଚେରୀ ଓ ଫାଟକ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବଗିଚା କାମ ଏବଂ ଖେଳପଡ଼ିଆର ବିକାଶ, ଇ-ଲାଇବ୍ରେରୀ, ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ନିମନ୍ତେ ଆବଶ୍ୟକ ପ୍ରଶିକ୍ଷଣ ଓ ବିଭିନ୍ନ ସାମଗ୍ରୀ କିଣିବା, ବିଜ୍ଞାନ ଗାର, କ୍ରୀଡ଼ା ସାମଗ୍ରୀ, ବିଦ୍ୟାଳୟରେ ଚେୟାର ଟେବୁଲ ଏବଂ ସ୍ମାର୍ଟ କ୍ଲାସ୍ରୁମରେ ବ୍ୟବହୃତ ପ୍ରୋଜେକ୍ଟର ଟଙ୍କାକୁ ମିଶାଇ ୪୫ ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଖର୍ଚ୍ଚ କରାଯାଇଥବା ହିସାବ ରହିଛି । ଏହାପରେ ବି ବିଦ୍ୟାଳୟର ରୁପାନ୍ତରୀକରଣ କାମ ଅଧାପନ୍ତରିଆ ଅବସ୍ଥାରେ ଅଟକି ରହିଛି। ସରକାରଙ୍କ ଶିକ୍ଷାନୀତି ଅନୁସାରେ ୬୦ପିଲାଙ୍କୁ ଗୋଟିଏ ଶ୍ରେଣୀ ଚାଲିବା କଥା । ମାତ୍ର ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଆବଶ୍ୟକ ଅନୁଯାୟୀ କମ୍ ରହଥିବାରୁ ଗୋଟିଏ ଶ୍ରେଣୀରେ ୯୦ ରୁ ୧୦୦ ଛାତ୍ରୀଛାତ୍ର ପଢୁଛନ୍ତି । ଏଥିପାଇଁ ବିଦ୍ୟାଳୟରେ ପାଠ ପଢାର ମାନ ହ୍ରାସ ପାଉଥିବା ଅଭିଭାବମାନେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକମାନଙ୍କ ପକ୍ଷରୁ ଦାବୀ ହୋଇଛି ।
