କେନାଲ୍ ଆଧୁନିକୀକରଣରରେ ବିଭାଗୀୟ ଅଧିକାରୀଙ୍କ ଅଦୂରଦର୍ଶିତା

ପଟ୍ଟାମୁଣ୍ଡାଇ ୧୦/୭ -ଅତୀତରେ ପଟ୍ଟାମୁଣ୍ଡାଇ ଅଂଚଳର କୃଷି ଓ ପରିବେଶ ପାଇଁ ଜୀବନରେଖା ସଦୃଶ ଥିବା ଜଳାଶୟ ଗୋବରୀ ସମ୍ପ୍ରସାରିତ କେନାଲ୍ ଏବେ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି । ଉନ୍ନତିକରଣ ଓ ଆଧୁନିକୀକରଣ ନାମରେ ଏହାର ଉଭୟ ପାଶ୍ୱର୍କୁ ଶଂଙ୍କୁଚିତ କରି ପ୍ରାକୃତିକ ଶଯ୍ୟାକୁ ପୋତି ସମତଳ ବା ସୋଟ ଲେବୁଲ୍ କରିଦିଆଯାଇଛି। ଫଳରେ କେବଳ ଖରିଫ ଚାଷ ପାଇଁ ଆସୁଥିବା କୋଟି କୋଟି ଗ୍ୟାଲନ୍ ମୂଲ୍ୟବାନ ମିଠା ପାଣି ଚାଷ ପରେ ଅଟକିବା ପରିବର୍ତେ ସିଧାସଳଖ ସମୁଦ୍ର ଗର୍ଭକୁ ଚାଲିଯାଉଛି। କେନାଲ୍ ଶୁଖିଲା ପଡ଼ିବା ସହ ଆଖପାଖ ଅଂଚଳର ଭୂତଳ ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଯାହା ଚଳିତବର୍ଷ ଖରାଦିନେ ଏକ ଭୟାବହ ପାନୀୟ ଜଳ ସଙ୍କଟ ସୃଷ୍ଟି କରିଛି। ବିଭାଗୀୟ ଅଧିକାରୀଙ୍କ ଅଦୂରଦର୍ଶିତା ପାଇଁ ଗୋବରୀ କେନାଲ୍ର ତାର ଜଳଧାରଣ କ୍ଷମତା ହରାଇଛି ।ଏହି କେନାଲକୁ ପୁନରୁଦ୍ଧାର କରିବା ପରିବର୍ତେ ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣ ନାମରେ ପୋଖରୀ ଯୋଜନା ପ୍ରଣୟନ କରାଯାଉଛି । ଯାହା କ୍ଷେତ୍ର ସ୍ତରରେ ଏକ ନିଛକ ପ୍ରହସନ ପାଲଟିଛି ବୋଲି ପରିବେଶବିତ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ପରିବେଶବିତ ଡଃ ମିଳମଣୀ ଲେଙ୍କା, ସତ୍ୟପ୍ରୀୟ ସାମଲ, ଗବେଷକ ଆର୍ତତ୍ରାଣ ପାତ୍ର କୁହନ୍ତି ୧୮୬୬ ରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରେ ବ୍ରିଟିଶ ସରକାର କେନ୍ଦ୍ରାପଡା ଜିଲାରେ ଜଳସେଚନ ଓ ଜଳ ସଂରକ୍ଷଣର ପାଇଁ କେତେକ ସୁଦୂରପ୍ରସାରୀ ଯୋଜନା ପ୍ରସ୍ତୁତ କରିଥିଲେ । ସେଥିମଧ୍ୟରେ ପଟ୍ଟାମୁଣ୍ଡାଇର ଗୋବରୀ ସମ୍ପ୍ରସାରିତ କେନାଲ୍ ଏବଂ ଅଳଭା-ଗଣ୍ଡାଖିଆ ଲକ୍ ଗେଟ୍ ବ୍ୟବସ୍ଥା ଅନ୍ୟତମ ଥିଲା। ପଟ୍ଟାମୁଣ୍ଡାଇର ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କରି ବ୍ରିଟିଶ ଇଞ୍ଜିନିୟରମାନେ ଏହି ଜଳପଥ ନିର୍ମାଣ କରିଥିଲେ । ଏଠାରେ ୧୨ମାସ ଯାକ ଜଳଭରତପୁର ରହି ଉତିକଣ ଅଂଚଳକୁ ଯୋଗାଉଥିଲା । ଫଳରେ ଏଠାରେ ତିନି ଫସଲି ଚାଷ ହେଉଥିଲା । ଜଳସରକ୍ଷଣ ଯୋଗୁଁ ଭୂତଳ ଜଳସ୍ତର ବଜାୟ ରଖିବା, ପାନୀୟ ଜଳର ଉପଲବ୍ଧତା ଏବଂ ପରିବେଶ ସନ୍ତୁଳନ ରକ୍ଷାରେ ମଧ୍ୟ ସହାୟକ ହେଉଥିଲା। କିନ୍ତୁ ବର୍ତମାନର ଜଳସମ୍ପଦ ବିଭାଗ ଅଦୂରଦର୍ଶୀ ଇଞ୍ଜିନିୟରଙ୍କ ତ୍ରୁଟିପୂର୍ଣ୍ଣ ଯୋଜନାର ପରିଣାମ ଆଜି ଅଂଚଳବାସୀ ଭୋଗୁଛନ୍ତି। ୨୦୧୬ ମସିହାରେ ଏସିଆନ ଡେଭଲମେଂଟ ବ୍ୟାଙ୍କ ଅନୁଦାନରେ ପଟ୍ଟାମୁଣ୍ଡାଇ କେନାଲ ସହ ଗୋବରୀ କେନାଲ୍ ସିଷ୍ଟମର ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ସେତେବେଳେ ଜଳସମ୍ପଦ ବିଭାଗ ଇଂଜିନିୟର ମାନେ ବ୍ରିଟିଶ ମଡେଲ୍ର ବୈଷୟିକ ଦିଗକୁ ବିଚାରକୁ ନେଲେ ନାହିଁ। କେନାଲର ଶର୍ଯ୍ୟ ମାଟି ପକାଇ ସମ୍ପୂର୍ଣ୍ଣ ସମତଳ ବା କଲଭଟ ଲେବୁଲ୍ କରିଦେଲେ । କେନାଲ୍ ଆଧୁନିକୀକରଣ କାମରେ ଶଯ୍ୟା ସମତଳ ହୋଇଯିବା ଫଳରେ ଏହାର ଜଳ ଧାରଣ କ୍ଷମତା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ଖରିଫ ଚାଷପରେ ଜଳ କଲଭଟ୍ ଲେବୁଲରେ ଥିବାରୁ ନିଷ୍କାସିତ ହୋଇ ସମୁଦ୍ରରେ ମିଶୁଛି । ଫଳରେ କେନାଲ ଶୁଖିଲା ପଡୁଛିା ।କେନାଲରେ ବର୍ଷସାରା ଜଳ ସଂରକ୍ଷଣ ନହେବା କାରଣରୁ ଏହାର ସିଧାସଳଖ ପ୍ରଭାବ ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଂଚଳର ପରିବେଶ ଉପରେ ପଡ଼ିଛି। ମାଟି ଭିତରକୁ ଜଳ ଶୋଷି ହେବାର ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଖରାଦିନ ଆସିବା ମାତ୍ରେ ସ୍ଥାନୀୟ କୂଅ, ପୋଖରୀ ଏବଂ ନଳକୂପଗୁଡ଼ିକ ଶୁଖି ଅଚଳ ହୋଇପଡ଼ୁଛି। ଜଳ ସଂରକ୍ଷଣ ପାଇଁ ସରକାର ପୋଖରୀ ଯୋଜନା କରିଛନ୍ତି । ଶହେଟା ଛୋଟ ପୋଖରୀ ଯେତିକି ଜଳ ସଂରକ୍ଷଣ କରିପାରିବେ ନାହିଁ, ଗୋବରୀ ସମ୍ପ୍ରସାରିତ କେନାଲରେ ବର୍ଷସାରା ପାଣି ଅଟକାଇ ରଖିଲେ ତାହା ତା’ଠାରୁ ହଜାରେ ଗୁଣ ଅଧିକ ଭୂତଳ ଜଳସ୍ତରକୁ ବୃଦ୍ଧି କରିପାରିବବୋଲି ସେମାନେ କହିଛନ୍ତି । ଯେଉଁ ଅଂଚଳରେ ୧୩ କିମି ବ୍ୟାପି ମୁଖ୍ୟ ଗୋବରୀ କେନାଲ୍ ସହ ୧୭ ଟି ମାଇନର ୬ ଶାଖା କେନାଲ ଶୁଖିଲା ପଡ଼ିଛି । ଅଥଚ ସରକାର ସେଥି ପ୍ରତି ଧ୍ୟାନ ନଦେଇ ନୂଆ ନୂଆ ପୋଖରୀ ଖୋଳି କୋଟି କୋଟି ଟଙ୍କାକୁ ପାଣି ଭଳି ବୁହାଯାଉଛି। । ବିଭାଗୀୟ ଯନ୍ତ୍ରୀ ମାନଙ୍କ ଦୂରଦୃଷ୍ଟିହୀନ ସରକାରୀ ନୀତି ଯୋଗୁଁ ଆଜି ପଟ୍ଟାମୁଣ୍ଡାଇର କୃଷି ଓ ପରିବେଶ ଧ୍ୱଂସମୁଖକୁ ଗତି କରୁଛି।ବିଭାଗୀୟ ଅଧିକାରୀଙ୍କ ଏହି ଦୂରଦୃଷ୍ଟିହୀନତା ବିରୋଧରେ ସ୍ଥାନୀୟ ଜନସାଧାରଣ ଓ ଚାଷୀ ସଂଗଠନମାନେ ଏବେ ସ୍ୱର ଉତୋଳନ କଲେଣି। ସରକାର ଗୋବରୀ ସମ୍ପ୍ରସାରିତ କେନାଲକୁ ପୁନଦ୍ଧାର କରି ଅଳଭା ଲକ୍ ଗେଟ୍ ଅଞ୍ଚଳରେ ଏକ ଆଧୁନିକ ଚେକ୍ ଡ୍ୟାମ୍ ବା ଗେଟେଡ୍ ବ୍ୟାରେଜ୍ ତିଆରି କରିବା ଜରୁରୀ। ଏହାଦ୍ୱାରା ଉତିକଣ ଜମିରେ ଚାଷ ପରେ ବଳକା ମିଠା ପାଣି ସମୁଦ୍ରକୁ ବହିଯିବ ନାହିଁ। ଖରାଦିନେ ଗେଟ୍ ବନ୍ଦ କରି ଜଳ ସଂରକ୍ଷଣ କରାଯାଇପାରିବେ । ଯାହା ଭୂତଳ ଜଳସ୍ତରକୁ ପୁଣି ଉପରକୁ ଆଣିବାରେ ସାହାଯ୍ୟ କରିବ ବୋଲି ସେମାନେ କହିଛନ୍ତି।
