ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ବିଶ୍ୱ ବୟସ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସଚେତନତା ଦିବସ

ପଟ୍ଟାମୁଣ୍ଡାଇ ୧୫/୬-ବରିଷ୍ଠ ନାଗରିକମାନଙ୍କୁ ଉଭୟ ଘର ଓ ବାହାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ନିର୍ଯ୍ୟାତନା ଭୋଗିବାକୁ ପଡ଼ୁଛି। ସେମାନଙ୍କୁ ସମ୍ମାନର ସହିତ ବଂଚିବାକୁ ଦିଆଯାଉ ବୋଲି ସୋମବାର ତାଲୁକ ଆଇନ୍ ସେବା ସମିତି ତରଫରୁ ବିଶ୍ୱ ବରିଷ୍ଠ ନାଗରିକ ମାନସିକ ଓ ଶାରିରୀକ ନିର୍ଯାତନା ସଚେତନତା ଦିବସ ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ଚିତୋବିନୋଦନ ଗୃହ ପରିସରରେ ଆୟୋଜିତ ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମରେ ତାଲୁକ ଆଇନ୍ ସେବା ସମିତି ଅଧ୍ୟକ୍ଷ ତଥା ଏଡିଜେ କୋର୍ଟ ବିଚାରପତି ବିଦ୍ୟାଧର ପୁଷ୍ଟି ସଭାପତିତ୍ୱ କରି କହିଥିଲେ ଯେ, ବର୍ତମାନ ପ୍ରାୟ ୫୦ବର୍ଷ ବୟସ ପରେ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ପ୍ରାୟତଃ ଅନ୍ୟ ଉପରେ ନିର୍ଭର କରିବା ଆରମ୍ଭ କରୁଥିବା ତଥ୍ୟ କହୁଛି। ଏବେ ସ୍ଥିତି ଏମିତି ହୋଇଛି ଯେ ପରିବାର ଭିତରେ ବରିଷ୍ଠ ନାଗରିକ ଓ ପିଲାମାନେ ଅଲଗା ଅଲଗା ଦିନୁଆରେ ବଂଚୁଛନ୍ତି। ଏକଲାପଣିଆ ହେଉଛି ବରିଷ୍ଠ ନାଗରିକମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା। ବରିଷ୍ଠ ନାଗରିକମାନଙ୍କୁ ସବୁକ୍ଷେତ୍ରରେ ଅବହେଳା କରାଯାଉଛି। ଏଥିନେଇ ବିଭିନ୍ନ ଆଇନ ପ୍ରଣୟନ ହୋଇଛି । ଏହି ମାମଲାର ସମାଧାନ ପାଇଁ ପ୍ରତ୍ୟେକ ଜିଲାରେ ସରକାର “ଭରଣପୋଷଣ ଟ୍ରିବ୍ୟୁନାଲ୍” ଗଠନ କରିଛନ୍ତି, ଯାହା ଅତି ଶୀଘ୍ର ଏବଂ ବିନା ଖର୍ଚ୍ଚରେ ବିଚାର କରିଥାଏ । ବୃଦ୍ଧ ପିତାମାତାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଚାଲିଯିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଦଣ୍ଡବିଧାନ ଓ ଜରିମାନା ବ୍ୟବସ୍ଥାର ଆଇନ ରହିଛି ।
ଏହି ସଭାରେ ଜେଏମଏଫସି ବିଚାରପତି ଡିକେ ବାଲକ୍ରିଷ୍ନନ୍ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପରିବାରର କୌଣସି ସଦସ୍ୟ ଯଦି ଜଣେ ବରିଷ୍ଠ ନାଗରିକଙ୍କୁ ଅବହେଳା କରନ୍ତି କିମ୍ବା ମାନସିକ ଓ ଶାରୀରିକ ନିର୍ଯାତନା ଦିଅନ୍ତି, ତେବେ ତାହା ଆଇନ ଅନୁସାରେ ଦଣ୍ଡନୀୟ ଅଟେ।
ମଂଚାଶୀନ ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ କହିଥିଲେ ଦେଶର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଏବେ ଅବସ୍ଥାରେ ପରିଚାଳିତ ହେଉଛି। ସମାଜରେ ଏବେ ଦିଗଦର୍ଶନ ଦେବା ଲୋକଙ୍କ ଅଭାବ ପରିଲକ୍ଷିତ ହେଉଛି। ପ୍ରତ୍ୟେକ ମଣିଷର ସମ୍ମାନର ସହିତ ବଂଚିବାର ଅଧିକାର ରହିଛି। ଯିଏ କୌଣସି କ୍ଷମତାରେ ରହୁଛି, ସେ ବ୍ୟବସ୍ଥା ପରିବର୍ତନ ନିମନ୍ତେ ପ୍ରୟାସ କରିବାର ଆବଶ୍ୟକତା ରହିଛି। କିନ୍ତୁ, ବାସ୍ତବ କ୍ଷେତ୍ରରେ ସେଭଳି ହେଉ ନାହିଁ। ବରିଷ୍ଠ ନାଗରିକଙ୍କ ପ୍ରତି ସମବେଦନା ଓ ସହଭାଗିତାର ଅଭାବ ପରିଲକ୍ଷିତ ହୋଇଛି। ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ, ଆର୍ôଥକ ଓ ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ ସହିତ ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି। ଜାତୀୟ ମାନବ ଅଧିକାର ଆୟୋଗ ଭଳି ବରିଷ୍ଠ ନାଗରିକ ଆୟୋଗ ଗଠନ ଏବଂ ଏହାର ଢାଂଚ ତଳସ୍ତର ପର୍ଯ୍ୟନ୍ତ ରହିବା ଉପରେ ସେ ଆଲୋକପାତ କରିଥିଲେ ।
ଆଇନଜୀବୀ ବିଜୟ ରାଉତକହିଥିଲେ ଯେ ଯୁବକରୁ ବୃଦ୍ଧ ହେବା ପର୍ଯ୍ୟନ୍ତ ଜୀବନରେ ଯାହା କିଛି ସମାଜ ପାଇଁ ଦେଇଥାନ୍ତି, ତାହା ପରିଶୋଧ କରିବା ନିମନ୍ତେ କେତେକ ଦେଶରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲାଣି। ଆମ ଦେଶରେ ବି ସେଭଳି ବ୍ୟବସ୍ଥା ଦରକାର ହେଉଛି। ବୟସ ବଢ଼ିଗଲା ପରେ କେତେକ କ୍ଷେତ୍ରରେ କଥାରେ ଟିକିଏ ଏପଟସେପଟେ ବି ହୋଇଯାଇଥାଏ। ପୁଅଝିଅମାନେ ତାହା ବୁଝିବା ଉଚିତ। ସ୍ୱାସ୍ଥ୍ୟମେଳା, ନିଯୁକ୍ତି ମେଳା ଭଳି ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ନିମନ୍ତେ ବରିଷ୍ଠ ନାଗରିକ ମେଳା ଆୟୋଜନ କରାଗଲେ ସେମାନେ ବିଶେଷ ଉପକୃତ ହୋଇପାରନ୍ତେ ବୋଲି ପ୍ରଫେସର ସାହୁ କହିଥିଲେ।
ବାରଆଶୋସିଏସନ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳ, ସମ୍ପାଦକ ରବିନ୍ଦ୍ର କୁମାର ଦାଶ , ଉପସଭାପତି ଗୋପୀନାଥ ତ୍ରିପାଠୀ, ଆଇନଜୀବି ଧିରେନ୍ଦ୍ରନାଥ ସାହୁ, ଯୋଗଦାନ କରି ବରିଷ୍ଠ ନାଗରିକଙ୍କ ଅଧିକାର ସଶକ୍ତିକରଣ ଓ ମର୍ଯ୍ୟାଦା ବିଷୟରେ ଆଲୋଚନା କରିବା ସହିତ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ଆଇନ୍ ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ସଭ୍ୟ ଡ. କେଳୁଚରଣ ସ୍ୱାଇଁ, ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, କାର୍ଯ୍ୟ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ପ୍ରଫେସର ପରିକ୍ଷୀତ ପାତ୍ର, ଚର୍ତୁଭୂଜ ରାଉଳ, ତ୍ରିଲୋଚନ ସୁତାର, ତପନ ପାତ୍ର, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ବିଜୟ ରାଉତ, ପାବନୀ ରାଉତ, ପ୍ରଦୀପ ନାୟକ, ସୁରେଶ ଚନ୍ଦ୍ର ଜେନା, ସଚିତ୍ର ବେହୁରା, ପ୍ରମୋଦ ସାହୁ, ପ୍ରମୋଦ ନାୟକ ପ୍ରମୁଖ ଯୋଗଦାନ କରି ବରିଷ୍ଠ ନାଗରିକ ମାନଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାରକୁ ପ୍ରତିହିତ କରିବାକୁ ପଦକ୍ଷେପ ଗ୍ରହଣ କରିବା ସହିତ ସେମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ପ୍ରଦାନ କରିବାକୁ ସଚେତନ ନାଗରିକ ମାନଙ୍କୁ ବକ୍ତାମାନେ ଆହ୍ୱାନ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ଆଇନଜୀବି ଧିରେନ୍ଦ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
