ମଣ୍ଡୀରେ ଧାନ ବିକ୍ରି ପଞ୍ଜୀକରଣ ପାଇଁ ଏଗ୍ରୀଷ୍ଟାକ୍ ଆଇଡ଼ି ବାଧ୍ୟତାମୂଳକ, ଚିନ୍ତାରେ ଚାଷୀ

blank
ପଟ୍ଟାମୁଣ୍ଡାଇ ୯/୮ କଳ୍ପତରୁ ନାୟକ-ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ଚଳିତ ବର୍ଷ ଧାନ ପଞ୍ଜୀକରଣ ପାଇଁ ଏଗ୍ରୀଷ୍ଟାକ୍ ଫାର୍ମର ଆଇଡି ବାଧ୍ୟତାମୂଳକ କରାଯାଇଛି। ମାତ୍ର ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ବ୍ୟାପକ ପ୍ରଚାର ପ୍ରସାର କରାଯାଇ ନାହିଁ । ଫଳରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀକୂଳ ଧାନ ପଞ୍ଜୀକରଣ ନେଇ ଗଭୀର ନିରାଶା ଓ ଚିନ୍ତାରେ ପଡ଼ିଛନ୍ତି। ଗ୍ରାମାଂଚଳରେ ଚାଷ କାର୍ଯ୍ୟ କରୁଥିବା ଅଧିକାଂଶ ଚାଷୀଙ୍କ ନିଜ ନାମରେ ସିଧାସଳଖ ଜମି ପଟ୍ଟା ନଥିବାରୁ ଏହି ଆଇଡି ପାଇବାରେ ବିଫଳ ହୋଇଛନ୍ତି । ଫଳରେ ସେମାନେ ଚଳିତ ଧାନ ପଞ୍ଜୀକରଣରୁ ବଂଚିତ ହେବା ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି । ସରକାରଙ୍କ ଏଭଳି ଅପରିଣାମଦର୍ଶୀ ଓ କୃଷି ମାରଣ ନୀତିକୁ ବୁଦ୍ଧିଜୀବୀ ଓ କୃଷକ ନେତାମାନେ ତ୍ରୀବ୍ର ନିନ୍ଦା କରିଛନ୍ତି। ଆଗୁଆ ସଚେତନତା ବିନା ଏଭଳି ନିୟମ ଲାଗୁ କରି ଚାଷୀଙ୍କୁ ହଇରାଣ ନକରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ଅଂଚଳର ଚାହୀଭାଇ ଦାବି ଉଠାଇଛନ୍ତି।
କୃଷକ ନେତା ଦାଶରଥି ସାହୁ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳର ଶହ ଶହ ଚାଷୀ ପାରମ୍ପରିକ ଭାବେ ନିଜ ନିଜ ଜମିରେ ଚାଷ କରୁଥିଲେ ହେଁ, ଜମିର ପଟ୍ଟା ଏପର୍ଯ୍ୟନ୍ତ ସେମାନଙ୍କ ନିଜ ନାମରେ ହୋଇନାହିଁ। ଅଧିକାଂଶ କ୍ଷେତ୍ରରେ ଜମି ଜେଜେବାପା, ବାପା କିମ୍ବା ମା’ଙ୍କ ନାମରେ ରହିଛି। ପାରିବାରିକ ଭାଗବଂଟା ହୋଇଥିଲେ ସୁଦ୍ଧା ସରକାରୀ ନଥିପତ୍ର ବା ରେକର୍ଡ ଅଫ୍ ରାଇଟ୍ସରେ ନାମ ପରିବର୍ତନ ହୋଇପାରି ନାହିଁ। ଏଗ୍ରୀଷ୍ଟାକ୍ ପୋର୍ଟାଲରେ ଆଧାର କାର୍ଡ ସହ ଜମିର ଆରଓଆର ଲିଙ୍କ୍ କରିବା ବେଳେ ନାମ ମେଳ ଖାଉ ନଥିବାରୁ ସିଷ୍ଟମ୍ ଆଇଡି ଗ୍ରହଣ କରୁନାହିଁ। ଫଳରେ ଯେଉଁ ଚାଷୀମାନେ ପ୍ରକୃତରେ ଜମିରେ କାମ କରି ଶ୍ରମ ଓ ଅର୍ଥ ବିନିଯୋଗ କରୁଛନ୍ତି, ସେମାନେ ଏଗ୍ରୀଷ୍ଟାକ୍ ଆଇଡି ପାଇବାରୁ ବଂଚିତ ହେଉଛନ୍ତି। ସରକାରୀ ନୂଆ ନିୟମ ଅନୁଯାଇ ଚାଷୀମାନେ ମଣ୍ଡିରେ ଧାନ ବିକି ପରିବେନାହିଁ । ଫଳରେ ସେମାନେ ଦଲାଲଙ୍କ ହାତରେ ଶସ୍ତାରେ ଧାନ ଟେକିଦେବାକୁ ବାଧ୍ୟ ହେବେ।
ବୁଦ୍ଧିଜିବୀ ପ୍ରବୀର ନାୟକ କୁହନ୍ତି ରାଜ୍ୟ ସରକାର ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସରଳ କରିବା ପାଇଁ ଏଗ୍ରୀଷ୍ଟାକ୍ ଆଇଡି ବାଧ୍ୟତାମୂଳକ କରିଛନ୍ତି। ମାତ୍ର ଏହି ପ୍ରକ୍ରିୟା କିପରି ସମ୍ପାଦିତ ହେବ, ଚାଷୀ କିପରି ଏହି ଆଇଡି ପାଇବେ, ସେ ନେଇ ପ୍ରଶାସନ ପକ୍ଷରୁ ଗାଁ ଗାଁରେ ସଚେତନତା ଶିବିର କିମ୍ବା ବ୍ୟାପକ ମାଇକ୍ ପ୍ରଚାର କରାଯାଇ ନାହିଁ । ଫଳରେ ଚଳିତ ୬ ତାରିଖରୁ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ପାଇଁ ଚାଷୀମାନେ ସେବା ସମବାୟ ସମିତି ଗଲା ପରେ ଏହି ବାଧ୍ୟତାମୂଳକ ଆଇଡି ବିଷୟରେ ଜାଣିବାକୁ ପାଉଛନ୍ତି । ଯାହା ସେମାନଙ୍କୁ ନିରାଶ କରିଛି।
ଚାଷୀ ଅଜୟ ନାୟକ, ବିଜୟ ବଳ, ଶିବପରାସାଦ ସ୍ୱାଇଁ ପ୍ରମୁଖ କହିବା ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେମାନେ ଧାନ ବିକ୍ରି ପାଇଁ ସୋସାଇଟି ମାଧ୍ୟମରେ ପଞ୍ଜୀକରଣ କରିବାକୁ ପ୍ରସ୍ତୁତ ହେଉଥିଲେ। ମାତ୍ର ଶେଷ ମୁହୂର୍ତରେ ଏଗ୍ରୀଷ୍ଟାକ୍ ଆଇଡି ମଗାଯାଉଛି। ଯଦି ସରକାର ଏହି ନିୟମକୁ ବାଧ୍ୟତାମୂଳକ କରିବାର ଥିଲା । ତେବେ ୬ ମାସ କିମ୍ବା ବର୍ଷକ ପୂର୍ବରୁ ଚାଷୀଙ୍କ ଜମି ସମସ୍ୟାର ସମାଧାନ କରିବାର ଥିଲା। କୌଣସି ପୂର୍ବ ସୂଚନା ନଦେଇ ହଠାତ୍ ଏଭଳି ନିୟମ ଲାଗୁ କରାଯିବା ଯୋଗୁଁ ନାମମାତ୍ର ଓ ଭାଗଚାଷୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବର୍ଷ ସାରା କଷ୍ଟ କରି ଧାନ ଅମଳ କରିବା ପରେ ଯଦି ସରକାରୀ ମଣ୍ଡିରେ ବିକି ନପାରିବୁ, ତେବେ ଋଣ ଶୋଧିବୁ କେମିତିବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି ।
କଂଗ୍ରେସ ନେତା ମଳୟ ଦାସ କୁହନ୍ତି ଚଳିତ ବର୍ଷ ପାଇଁ ଏଗ୍ରୀଷ୍ଟାକ୍ ଆଇଡି ନିୟମକୁ କୋହଳ କରାଯାଉ କିମ୍ବା ଚାଷୀଙ୍କୁ ବଂଶାବଳୀ ଓ ଗ୍ରାମସଭା ଅନୁମୋଦନ ଆଧାରରେ ଧାନ ପଞ୍ଜୀକରଣ କରିବାକୁ ସୁଯୋଗ ଦିଆଯାଉ। ଏଥିସହ ବ୍ଲକ ଓ ପଂଚାୟତ ସ୍ତରରେ ସ୍ୱତନ୍ତ୍ର କ୍ୟାମ୍ପ ଜରିଆରେ ଜମି ସମ୍ବନ୍ଧୀୟ ଜଟିଳତା ସୁଧାରିବା ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଛି। ଯଦି ସରକାର ଏହି ସମସ୍ୟାର ଶୀଘ୍ର ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ଚାଷୀମାନଙ୍କ ସହ କଂଗ୍ରସ ରାଜପଥକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave a Reply

Next Post

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

Sun Aug 9 , 2026
  କେନ୍ଦ୍ରାପଡ଼ା,୯ା୮:ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading