
କେନ୍ଦ୍ରାପଡା ୧୯/୮ – ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ ଓ ସହାୟତା ବଣ୍ଟନକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଏବଂ ରାଜନଗରର ତଳିଆ ଅଞ୍ଚଳଗୁଡ଼ିକରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ମାତ୍ର ଏହି ହେଲିକପ୍ଟରରୁ ଖାଦ୍ୟ ପୁଡ଼ିଆ ଫିଙ୍ଗିବା ପ୍ରକ୍ରିୟା ବନ୍ୟା ପୀଡ଼ିତଙ୍କ ପାଇଁ ପ୍ରହସନ ପାଲଟିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚରମ ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନିଜେ ବାଇକରେ ଯାଜପୁର ଅଂଚଳ ବୁଲି ବନ୍ୟା ବିପନ୍ନଙ୍କ ସମସ୍ୟା ସମୀକ୍ଷା କରୁଥିବା ବେଳେ, ସାଂସଦଙ୍କ ଏଭଳି ଆକାଶମାର୍ଗରୁ ରିଲିଫ୍ ପକାଇବା ଶୈଳୀକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆକାଶମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରିବା ସହ ହେଲିକପ୍ଟରରୁ ଶୁଖିଲା ଖାଦ୍ୟ ବାଂଟିବା ଘଟଣା ଏବେ ସାଧାରଣରେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି। ଆକାଶରୁ ଉପରୁ ରିଲିଫ୍ ପ୍ୟାକେଟ୍ ପକାଇ ସାଂସଦ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ଉପହାସ କରିଥିବା ନେଇ କ୍ଷତିଗ୍ରସ୍ତ ଲୋକମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍ର ୧୪ଟା ପଂଚାୟତ ସହ ପୌରାଂଚଳର ୧୧ ଔ୍ଡ଼ରେ ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ଘରଦ୍ୱାର ଭାଙ୍ଗିଯିବା ସହ ପାନୀୟ ଜଳ ଓ ଖାଦ୍ୟର ଚରମ ସଙ୍କଟ ଦେଖାଦେଇଛି। ଏଭଳି ସମ୍ବେଦନଶୀଳ ସମୟରେ ସାଂସଦ ପଣ୍ଡା ହେଲିକପ୍ଟର ଯୋଗେ ଆସି ଆକାଶମାର୍ଗରୁ ଅଂଚଳ ପରିଦର୍ଶନ କରିବା ସହ ଉପରୁ ଶୁଖିଲା ଖାଦ୍ୟ ପ୍ୟାକେଟ୍ ତଳକୁ ପକାଇଥିଲେ। ଆକାଶ ମାର୍ଗରୁ ଖସାଯାଇଥିବା ଅଧିକାଂଶ ଖାଦ୍ୟ ପୁଡ଼ିଆ ପ୍ରବଳ ବନ୍ୟା ସ୍ରୋତରେ ଭାସିଯାଇଥିବା ବେଳେ କେତେକ ଗଛ ଡାଳରେ ଲାଗି ରହିଯାଇଥିଲା। ଫଳରେ ଜଳବନ୍ଦୀ ହୋଇ ରହିଥିବା ଭୋକିଲା ଲୋକଙ୍କ ନିକଟରେ ଏହି ଖାଦ୍ୟ ପହଞ୍ଚି ପାରିନଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା, ବନ୍ୟା ଜଳରେ ଭାସୁଥିବା ସମୟରେ ଖାଦ୍ୟ ପାଇଁ ଆଶା ବାନ୍ଧିଥିବା ବିପନ୍ନଙ୍କ ଆଗରେ ଏପରି ବଣ୍ଟନ ପ୍ରକ୍ରିୟା ସେମାନଙ୍କୁ ଆହୁରି ନିରାଶ ଓ ଅପମାନିତ କରିଛି।ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାର ଓ ସାଂସଦଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।
କଗ୍ରେସ ଜିଲା ସଂଗଠାନିକ ଉପ ସାଭାପତି ସତ୍ୟପ୍ରୀୟ ସାମଲ ଅଭିଯୋଗ କରିଛନ୍ତି ଯେ, “ଏହା କୌଣସି ପ୍ରକୃତ ସହାୟତା ନୁହେଁ, ବରଂ ପ୍ରଚାରସର୍ବସ୍ୱ କାର୍ଯ୍ୟକ୍ରମ। ଦୁର୍ଦ୍ଦଶାରେ ଥିବା ବନ୍ୟା ପୀଡ଼ିତଙ୍କ ଆବଶ୍ୟକତାକୁ ନ ବୁଝି ଆକାଶରୁ ଖାଦ୍ୟ ଫିଙ୍ଗିବା ଲୋକଙ୍କ ଦୁଃଖ, କଷ୍ଟ ଓ ସ୍ୱାଭିମାନ ପ୍ରତି ଏକ ବଡ଼ ଆଘାତ।’ ଡଙ୍ଗା ଓ ସ୍ଥାନୀୟ ପ୍ରଶାସନିକ ଟିମ୍ ଜରିଆରେ ଘରପାଖରେ ସୁରକ୍ଷିତ ଭାବେ ରିଲିଫ ପହଞ୍ଚାଇବା ପରିବର୍ତ୍ତେ ଏପରି ବ୍ୟବସ୍ଥାକୁ ସେ କଡ଼ା ସମାଲୋଚନା କରିଛନ୍ତି।
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆକାଶମାର୍ଗରୁ ରିଲିଫ ବଣ୍ଟନକୁ ନେଇ ବନ୍ୟାଞ୍ଚଳରେ ରାଜନୀତି ସୁପର-ହଟ୍। ହେଲିକପ୍ଟରରୁ ଫିଙ୍ଗାଯାଇଥିବା ଖାଦ୍ୟ ପୁଡ଼ିଆ ପାଣିରେ ଭାସିବା ଓ ଗଛରେ ଛାନ୍ଦି ହେବା ଘଟଣାକୁ ନେଇ ବ୍ଲକ ବିଜେଡି ପକ୍ଷରୁ ସାଂସଦଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତିି। ଜିଲାପରିଷଦ ସଭ୍ୟ ରଞନ ବିଶ୍ୱଳ କହିଛନ୍ତି “ଫୋଟୋ ସେସନ୍ ଓ ପ୍ରଚାର ପାଇଁ ଭୋକିଲା ଲୋକଙ୍କ ଆଗରେ ଆକାଶରୁ ଖାଦ୍ୟ ଫିଙ୍ଗି ସେମାନଙ୍କୁ ଅପମାନିତ କରାଯାଇଛି। ଏହା ସହାୟତା ନୁହେଁ, ବରଂ ବିପନ୍ନଙ୍କ ଦୁଃଖ ଓ ସ୍ୱାଭିମାନ ପ୍ରତି ଏକ ବଡ଼ ଆଘାତ। ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି ବୋଲି ଭାଜପା ସରକାର ସଫାଇ ଦେଇଥିବା ବେଳେ, ବିଜେଡି ଏହାକୁ ସମ୍ପୂର୍ଣ୍ଣ ପ୍ରଶାସନିକ ଫେଲ୍ୟୁଅର ଓ ବିପନ୍ନଙ୍କ ପ୍ରତି କ୍ରୂର ପରିହାସ ବୋଲି ଆଖ୍ୟା ଦେଇ ତୀବ୍ର ନିନ୍ଦା କରିଛି।
ଜଣେ ବୁଦ୍ଧିଜୀବୀ କହନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ଲୋକଙ୍କ ଭଳି ବାଇକ୍ରେ ବସି ଯାଜପୁରର ଅତି ଦୁର୍ଗମ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି। ସେମାନଙ୍କ ସୁଖ-ଦୁଃଖ ପଚାରି ବୁଝିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଗ୍ରାଉଣ୍ଡ ଜିରୋ ଗସ୍ତ ଓ ଆନ୍ତରିକତାକୁ ଜନସାଧାରଣ ବେଶ୍ ପ୍ରଶଂସା କରୁଥିବା ବେଳେ, ଅନ୍ୟପଟେ ସାଂସଦଙ୍କ ହେଲିକପ୍ଟରରୁ ରିଲିଫ୍ ଫିଙ୍ଗିବା ଶୈଳୀକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି।
ସିଂହଗାଁର ଜଣେ ସାମାଜିକକର୍ମୀ କହିବା ଅନୁଯାଇ ପୂର୍ବରୁ ସାଂସଦ ଥିବା ସମୟରେ ସେ ସିଂହଗାଁ ପଂଚାୟତକୁ ‘ଆଦର୍ଶ ପଂଚାୟତ’ ଭାବେ ଗ୍ରହଣ କରିଥିଲେ। ମାତ୍ର ଆଜି ସାମାନ୍ୟ ବନ୍ୟାରେ ଏହି ପଂଚାୟତ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।ସବୁ କ୍ଷେତ୍ରରେ ଅବହେଳାରେ ପରିଣତ ହୋଇରହିଛି । ଯାତାୟତ ପାଇଁ ଆଜିବି ଡଙ୍ଗା ଉପରେ ନିର୍ଭର ହେବାକୁ ପଡୁଛି ।ସେତୁ ଅଧାପନ୍ତରିଆ ହୋଇ ପଡିଛି । ସେତୁ ନିର୍ମାଣ ହୋଇପାରି ନ ଥିବା ବେଳେ, ଏବେ ଆକାଶମାର୍ଗରୁ ଖାଦ୍ୟ ପକାଇ ସାଂସଦ ସ୍ଥାନୀୟ ଲୋକଙ୍କୁ ଉପହାସ କରୁଥିବା ନେଇ କେତେଜଣ ସିଂହଗାଁ ବାସିନ୍ଦା କ୍ଷୋଭର ସହ ପ୍ରକାଶ କରିଛନ୍ତି।
