
ପଟ୍ଟାମୁଣ୍ଡାଇ୨୩/୮ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଦ୍ୱାରା ଏକ ବଡ ଡକାୟତି ଯୋଜନା ପଣ୍ଡ ହୋଇଛି। ସହରର ବିଭିନ୍ନ ସପିଂ ମଲ୍, ମାର୍କେଟ କମ୍ପେ୍ଲକ୍ସ, ଘର ଓ କ୍ୱାର୍ଟର୍ସରୁ ଲୁଟପାଟ ପାଇଁ ଚକ୍ରାନ୍ତ କରୁଥିବା ବେଳେ ପୋଲିସ ୪ ଜଣ ଦୁର୍ବୃତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଦଳ ଶନିବାର ରାତି ପ୍ରାୟ ୨ଟା ସମୟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଗୁପ୍ତ ସୂଚନା ପାଇ ପାଟ୍ରୋଲିଂ ପୋଲିସ ଦଳ ତତନା ଗ୍ରାମ ପାର୍ଶ୍ୱ ସ୍ମାର୍ଟ ପାର୍କ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ପହଁଚି ଥିଲେ । ସେଠାରେ ୫ ଜଣ ବ୍ୟକ୍ତି ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ଜାଣାପଡିଥିଲା। ପୋଲିସ ଟିମ୍ ଗୁପ୍ତ ଭାବେ ସେମାନଙ୍କୁ ଘେରି ଯାଇଥିବା ବେଳେ ଦୁର୍ବୃତ ମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପୋଲିସ ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଅନ୍ୟ ଜଣେ ଦୁର୍ବୃତ ରାତିର ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛି। ।ପୋଲିସ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ଅପରାଧିକ ସାମଗ୍ରୀ ଜବତ କରିଛି। ମାତ୍ର ୪ ଜଣ ଦୁବୃର୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ଖଣ୍ଡା ଓ ଛୁରୀ ଦେଖାଇ ଲୁଟପାଟ କରିବା ଉଦ୍ଦେଶ୍ୟରେ ସେଠାରେ ଏକତ୍ରିତ ହୋଇଥିଲେ ବୋଲି ସ୍ୱୀକାର କରିଥିଲେ । ଏ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏକ କେସ୍ ନଂ- ୩୫୩ /୨୦୨୬ରୁଜୁ କରାଯାଇ ପୋଲିସ ଅଭିଯୁକ୍ତ ମାଟିଆ ଗ୍ରାମର ପ୍ରଦୀପ ମଲିକ(୩୫), ପୋଖରିଆପଡା ଗ୍ରାମର ପଙ୍କଜ ମଲିକ, ଦୋବନ୍ଧା ଗ୍ରାମର ସନ୍ତୋଷ ମଲିକ(୪୧), ଗାଙ୍ଗପଡା ଗ୍ରାମର ଅବିନାଶ ରାଉତ (୨୬) ଙ୍କୁ ଧାରା ୩୧୦(୪)/୩୧୦(୫) ଭାରତୀୟ ନ୍ୟାୟ ସଂହିତା ଆଇନ ୨୫(୧)(ଏ) ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ କୋର୍ଟ ଚାଲାଣ କରିଛି । ସେମାନଙ୍କ ନାମାରେ ଜିଲାର ବିଭନ୍ନ ଥାନାରେ ଏକାଧିକ ମାମଲା ଥିବାର ପୋଲିସ ସୁଚନାରୁ ଜଣାପଡିଛି ।
