
ପଟ୍ଟାମୁଣ୍ଡାଇ ତା ୧୦/୯- ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ ଲୋକପ୍ରିୟ ନୀଳକଣ୍ଠପୁର ପଂଚାୟତର ଯୁବ ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀ ( ୪୪ ) ଏକ ମର୍ମ ନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି ।ଏହି ଖବର ପ୍ରଚାରିତ ହେବା ପରେ ପଟ୍ଟାମୁଣ୍ଡାଇର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।
ପ୍ରକାଶ ଯେ ଗତକାଲି ଅପରାହ୍ନ ୩ଟା ସମୟରେ ବର୍ଷା ପବନ ଲାଗି ରହିଥିବା ବେଳେ ଯୁବ ସରପଞ୍ଚ ଶ୍ରୀ ଖଣ୍ଡାୟୀ ନିଜ ବୁଲେଟ ଯୋଗେ କେନ୍ଦ୍ରାପଡ଼ାରୁ ଫେରୁଥିବା ସମୟରେ ଚୂନଢିହ ଠାରେ ଏକ ଟାଟା ପିକ ଅପ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଶ୍ରୀ ଖଣ୍ଡାୟୀ ବୁଲେଟ ମୋଟର ସାଇକେଲରୁ ଛିଟିକି ରାସ୍ତା ଉପରେ ପଡି ଯିବା ପରେ ପିକ ଅପ ଭ୍ୟାନଟି ତାଙ୍କ ଉପରେ ଚଢି ଯିବାରୁ ତାଙ୍କ ବାମ ହାତ କହୁଣୀ ପାଖରୁ ହାତ କଟି ଯାଇ ପ୍ରଚୁର ରକ୍ତଶ୍ରାବ ହୋଇଥିଲା । ତାଙ୍କ ବାମ ହାତ ପ୍ରାୟ କଟି ଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତତକ୍ଷଣାତ ଆଶୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟା ହାତ ଯୋଡିବା ପାଇଁ କଟକ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲ ନିଆଯାଇଥିଲା । ବାଟରେ ପ୍ରବଳ ରକ୍ତସ୍ରାବ ହେବାରୁ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା ।
ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଞ୍ଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ ସମ୍ପାଦକ ପ୍ରିୟବ୍ରତ ଓଝା ପ୍ରମୁଖ ପହଂଚି ତାଙ୍କର ଚିକିତ୍ସା ବ୍ୟବସ୍ଥା କରିଥିଲେ । ମାତ୍ର କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୧ଟା ୫୫ମିନିଟ ସମୟରେ ଜ୍ଞାନରଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ଆଜି ଅପରାହ୍ନରେ କଟକରୁ ଜ୍ଞାନ ରଞ୍ଜନଙ୍କ ମର ଶରୀର ପଟ୍ଟାମୁଣ୍ଡାଇ ବ୍ଲକ ପରିସରକୁ ଅଣାଯାଇଥିଲା । ସେଠାରେ ପଟ୍ଟାମୁଣ୍ଡାଇ ବିଡ଼ିଓ, ବ୍ଲକ ଅଧ୍ୟକ୍ଷ,ଉପାଧ୍ୟାକ୍ଷା ଓ ବିଭିନ୍ନ ବିଭାଗ ଅଧିକାରୀ ଓ ବିଭିନ୍ନ ପଂଚାୟତ ସରପଞ୍ଚ ଓ ସମିତି ସଭ୍ୟମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନୀଳକଣ୍ଠପୁର ପଂଚାୟତ ଅଫିସକୁ ନିଆଯାଇ ପଂଚାୟତ ପରିକ୍ରମା ପରେ ନିଜ ଜନ୍ମସ୍ଥାନ ଗୋବିନ୍ଦପୁରକୁ ନିଆଯାଇଥିଲା । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ପଂଚାୟତ ସରପଞ୍ଚ ସମିତି ସଭ୍ୟ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ମର ଶରୀରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଥାନୀୟ ସ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ଭାଜପା ବିଧାୟକ ପାର୍ଥୀ ଗୀତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଆଇନଜୀବୀ ସୌମ୍ୟରଞ୍ଜନ ଧଳ, ସରପଞ୍ଚ ସଂଘ ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ଷଢଙ୍ଗୀ, ସମିତି ସଭ୍ୟ ସଂଘ ସଭାପତି ଅଭୟ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀ ବଲ୍ଲଭ ନାୟକ ଓ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ବିଜେଡି ଯୁବନେତା ସ୍ବରୂପାନନ୍ଦ ସାମଲ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇର ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।
