
ପଟ୍ଟାମୁଣ୍ଡାଇ ୧୪/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଶ୍ରୀରାମ ସେବକ ସଂଘ ପକ୍ଷରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ୪୩ତମ ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଗତ ୫ ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ସେବକ ସଂଘ ସଭାପତି ବସନ୍ତ ସ୍ୱାଇଁଙ୍କ ପୌରହିତ୍ୟ ଓ ଉପସଭାପତି ପ୍ରାଧ୍ୟାପକ ଡ଼ଃ ସୁନୀଲ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀ କଲେଜ ଅଧ୍ୟାପକ ଡ଼ଃ ଚିନ୍ମୟ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀରାମ କଥାମୃତ ଉପରେ ଆଲୋକପାତ କରିଥିଲେ । ୯ ଦିନ ବ୍ୟାପି ଆୟୋଜିତ ପାରାୟଣ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ସୁକାନ୍ତ କୁମାର ପାଢ଼ୀ, ନାମାଚାର୍ଯ୍ୟ ବାୟା ବାବା ଆଶ୍ରାମର ସାଧୁ ପୂଜ୍ୟପାଦ ବାବା ହୃଷିକେଶ ଦାସ ମହାରାଜ, ଦାଣ୍ଡିସାହି ପାଦୁକା ଆଶ୍ରମ ବାବା କଳ୍ପତରୁ ଦାସ ମହାରାଜ ଯୋଗ ଦେଇ ପ୍ରବଚନ ପାଠ କରିଥିଲେ । ବ୍ୟାସ ବଂଶୀଧର ଦାସ ପ୍ରତ୍ୟହ ଶ୍ରୀରାମ ଚରିତ ମାନସ ଓ ହନୁମାନ ଚାଳିଶା ଗାନ କରିଥିଲେ। କର୍ମକାଣ୍ଡ ବିଶାରଦ ପଣ୍ଡିତ ପ୍ରଦୀପ ପାଢ଼ୀ ଓ ଗୁରୁଚରଣ ପଣ୍ଡା ସମସ୍ତ ନୀତିକାନ୍ତି ସମ୍ପାଦନ କରିଥିଲେ । ଏଇ ଅବସରରେ ସହସମ୍ପାଦକ ସାମଜିକକର୍ମୀ ଚିତ ରଞ୍ଜନ ମଲ୍ଲିକ ସଭାପତିତ୍ୱରେ ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମ ସହିତ ଆଧ୍ୟାତ୍ମିକ ଓ ସାରସ୍ୱତ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ କବି ପ୍ରମୋଦ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୯ ଦିନ ବ୍ୟାପି ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରତ୍ୟେହ ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପଲାଇ, ମହେଶ୍ୱର ବାରିକ, ଅମିତାଭ ନାୟକ, ରାଜକିଶୋର ମହାନ୍ତି ଓ ମଞ୍ଜୁଲତା ପୁହାଣ ପ୍ରମୁଖ ପରିଚାଳନା କରିଥିଲେ ।
