କେନ୍ଦ୍ରାପଡା ଜିଲ୍ଲା ସମବାୟ ବିଭାଗରେ ବ୍ୟାପକ ଦୁର୍ନୀତି

କେନ୍ଦ୍ରାପଡ଼ା,୨୭ା୧୦:କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତିମାନ ଖୋଲାଯାଇ ଆନ୍ଦୋଳନକୁ ବ୍ୟାପକ କରାଯାଉଛି। ମାତ୍ର କେନ୍ଦ୍ରାପଡା ଜିଲ୍ଲାରେ କେତେକ ଅସାଧୁ ଅଧିକାରୀଙ୍କ ପାଇଁ ଏହି ଯୋଜନା ବାଟବଣା ହେଉଛି। ସମବାୟ ବିଭାଗକୁ ଅଧିକ ସୁଦୃଢ କରିବା ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିରେ ଦୀର୍ଘ ବର୍ଷ ହେବ କାର୍ଯ୍ୟରତ ଥିବା ସମ୍ପାଦକ ଓ ସହ ସମ୍ପାଦକଙ୍କୁ ପଦୋନ୍ନତି ଦେବା ପାଇଁ କେନ୍ଦ୍ରପଡା ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଚୁଡାନ୍ତ ଗ୍ରେଡେସନ(ପଦକ୍ରମ) ତାଲିକା ପ୍ରସ୍ତୁତ କରିଛି। ଗତ ୨୦୨୩ ମସିହାରୁ ଆରମ୍ଭ ହୋଇଥିବା ଏହି ପଦୋନ୍ନତି ପ୍ରକ୍ରିୟା ତାଲିକାରେ ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଯୋଗ୍ୟ ଓ ଅଯୋଗ୍ୟ ମାପକାଠିକୁ ସଠିକ ଭାବରେ ଦେଖିନାହାନ୍ତି ବା ସବୁ କିଛି ଜାଣି ମଧ୍ୟ ନଜାଣିବାର ଅଭିନୟ କରିଛନ୍ତି। ଗତ ମଙ୍ଗଳବାର ପ୍ରକାଶ ପାଇଥିବା ଏହି ଚୁଡାନ୍ତ ତାଲିକାରେ ବହୁ ଯୋଗ୍ୟ ସମ୍ପାଦକ ଓ ସହ ସମ୍ପାଦକଙ୍କ ନାମ ଚୁଡାନ୍ତ ତାଲିକାର ବହୁ ତଳେ ରହିଛି। ଏଥିସହିତ କେତେକ ଯୋଗ୍ୟ ସମ୍ପାଦକ ଓ ସହସମ୍ପାଦକ ନାମ ତାଲିକାରୁ ବାଦ ଦିଆଯାଇଥିବା ବେଳେ ଅନେକ ଅଯୋଗ୍ୟଙ୍କ ନାମକୁ ସେହି ତାଲିକାର ସଂଯୋଗ କରାଯାଇ ଉପରେ ରଖାଯାଇଥିବା ଦେଖିବାକୁ ମିଳିଛି। ତେବେ ଏହି ତାଲିକା କେଉଁ ଆଧାରରେ ଓ କାହା ସ୍ୱାର୍ଥରେ ପ୍ରକାଶ କରାଯାଇଛି ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି। ସମବାୟବିତ ବିଜୟ କୁମାର ପରିଡା କହିଛନ୍ତି ଦୀର୍ଘ ବର୍ଷ ହେଲା ସମବାୟ ସମିତିରେ କାର୍ଯ୍ୟ କରି ଆସୁଥିବା କେତେଜଣ ସହ ସମ୍ପାଦକଙ୍କ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସେମାନଙ୍କୁ ପଦୋନ୍ନତି ତାଲିକାରୁ ବାଦ ଦିଆଯିବା କିମ୍ବା ବେଆଇନ ଭାବେ କ୍ରମ ଅନୁସାରେ ବହୁ ତଳେ ରଖାଯିବା ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ପନ୍ନୋନତି ତାଲିକାରେ ଯୋଗ୍ୟତା ନଥାଇ ଗ୍ରେଡ -୧ ଓ ଗ୍ରେଡ -୨ରେ ଥିବା ମିନିବ୍ୟାଙ୍କ ନାମ କିପରି ତାଲିକା ଭୁକ୍ତ କରାଗଲା ଏବଂ ବିଭାଗୀୟ ମାର୍ଗଦର୍ଶିକା ଓ ବିଧି ବ୍ୟବସ୍ଥାକୁ ସମବାୟ ବିଭାଗ ସମ୍ପୁର୍ଣ୍ଣ ଅଣଦେଖା କରିଥିବା ନେଇ ଶ୍ରୀ ପରିଡା ଅଭିଯୋଗ କରିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରାଯାଇ ଯୋଗ୍ୟତା ଭିତିରେ ସମ୍ପୂର୍ଣ୍ଣ ସଠିକ ତାଲିକା ପ୍ରକାଶ କରିବାକୁ ଶ୍ରୀ ପରିଡା କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବିଭାଗ ନିକଟରେ ଦାବି କରିଛନ୍ତି। ସମବାୟବୀତ ସରୋଜକାନ୍ତ ନାୟକ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ପ୍ରକାଶ ପାଇଥିବା ଚୁଡାନ୍ତ ତାଲିକାରେ ସମବାୟ ବିଭାଗ ଓ ସମବାୟ କର୍ତ୍ତୃପକ୍ଷ ଯୋଗ୍ୟତାକୁ ଗୁରୁତ୍ୱ ନଦେଇ କିପରି ଏଭଳି ତାଲିକା ପ୍ରସ୍ତୁତ କଲେ ସେଥିପାଇଁ ସମବାୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବିଧିବଦ୍ଧ ତଦନ୍ତ ପାଇଁ ଦାବି କରିଛନ୍ତି। ସମବାୟ ବିଭାଗ ପକ୍ଷରୁ ସମବାୟ ପରିଚାଳନା ପରିଷଦକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପଦୋନ୍ନତି ତାଲିକା ପ୍ରସ୍ତୁତ ସମୟରେ ପରିଚାଳନା ବୋର୍ଡର କୈାଣସି ମତାମତ ନ ନିଆଯାଇ ସଂପୃକ୍ତ ସମତିର ସମ୍ପାଦକ ଓ ସହ ସମ୍ପାଦକଙ୍କୁ ବେଆଇନ ଭାବେ ପଦୋନ୍ନତି ଦିଆଯିବା ଘଟଣା ବିଭାଗୀୟ କତୃପକ୍ଷଙ୍କ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଥିବା ସେ କହିଛନ୍ତି। ଅପରପକ୍ଷରେ ଏବିଷୟରେ ସହକାରୀ ନିବନ୍ଧକ ଯୋଗେନ୍ଦ୍ର ବିଶ୍ୱାଳଙ୍କୁ ପଚାରିବାରୁ ତାଲିକାଭୁକ୍ତ ହୋଇଥିବା କର୍ମଚାରୀଙ୍କ ନଥିପତ୍ରକୁ ଆଧାର କରି ଏହି ପଦୋନ୍ନତି ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ କୈାଣସି ତୃଟି ଅଭିଯୋଗ ଆସିଲେ ଏହାର ସଂଶୋଧନ କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ଅନ୍ୟପକ୍ଷେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଅନନ୍ତ କିଶୋର ସାମଲଙ୍କୁ ପଚାରିବାରୁ ସେ କହିଲେ ସମବାୟ ଯୋଜନାକୁ ସୁଦୃଢ କରିବା ପାଇଁ ବିଭିନ୍ନ ସମିତିରେ କାର୍ଯ୍ୟରତ ଥିବା ସମ୍ପାଦକ ଓ ସହ ସମ୍ପାଦକଙ୍କ ମଧ୍ୟରୁ ୩୦ ପ୍ରତିଶତ ବ୍ୟକ୍ତିଙ୍କୁ ପଦୋନ୍ନତି ପାଇଁ ଗତ ୨୦୨୩ ମସିହାରୁ ପ୍ରକ୍ରୀୟା ଆରମ୍ଭ ହୋଇଥିଲା। ତେବେ କେନ୍ଦ୍ରାପଡା ଜିଲ୍ଲାର ସହକାରୀ ନିବନ୍ଧକ ପ୍ରଥମେ ପଠାଇଥିବା ପ୍ରୋଭିଜନାଲ ତାଲିକାରେ ରହିଥିବା କର୍ମଚାରୀଙ୍କ ସମ୍ପର୍କରେ ହୋଇଥିବା ଶୁଣାଣି ମଧ୍ୟ ଶେଷ ହୋଇଛି। ତାଲିକା ପ୍ରସ୍ତୁତ କରିବାର ଅଧିକାର କେବଳ ବିଭାଗୀୟ ଜିଲ୍ଲା କତ୍ତୃପକ୍ଷଙ୍କର ରହିଥିବାରୁ ସେ ପଠାଇଥିବା ପଦୋନ୍ନତି ଚୁଡାନ୍ତ ତାଲିକା ଗତ ମଙ୍ଗଳବାର ପ୍ରକାଶ କରାଯାଇଛି।
