
କେନ୍ଦ୍ରାପଡ଼ା,୧୨ା୩: ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଇଚ୍ଛାପୁର ନିକଟ ଶ୍ୟାମଗୁଡିଆ ଠାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ନୂତନ ଅଟ୍ଟାଳିକା ନିର୍ମାଣ କରାଗଲା। ଆଶାଥିଲା ନୂତନ ଚିକିତ୍ସାଳୟରେ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ମିଳିବ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ସକାଳ ୮ଟାରୁ ମୁଖ୍ୟଚିକିତ୍ସାଳୟର ବିଭିନ୍ନ ବର୍ହିବିଭାଗରେ ଡାକ୍ତରମାନେ ଡ୍ୟୁଟି କରିବାର ନିୟମ ଥିବା ବେଳେ ସେମାନେ ମନଇଛା ଆସୁଛନ୍ତି। ଫଳରେ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ ଛିଡା ହେଉଛନ୍ତି। ଏହାଦ୍ୱାରା ରୋଗୀ ଓ ସେମାନଙ୍କୁ ନେଇ ଆସିଥିବା ସମ୍ପର୍କୀୟମାନେ ହଇରାଣ ହରକତ ହେଉଛନ୍ତି। କେତେକ ବର୍ହି ବିଭାଗକୁ କେତେବେଳେ ଡାକ୍ତର ଦୁଇଘଣ୍ଟା ବିଳମ୍ବରେ ଆସୁଛନ୍ତି ତ କେତେବେଳେ ଜମାରୁ ଆସୁ ନାହାନ୍ତି। ଫଳରେ ଦୂରଦୂରାନ୍ତରୁ ବହୁ ଆଶା ଭରସା ନେଇ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ହଇରାଣ ହରକତ ହେଉଛନ୍ତି। କେତେକ ରୋଗୀ ବାଧ୍ୟ ହୋଇ ଘରୋଇ ନର୍ସିଂହୋମ ଯାଉଛନ୍ତି। ଆଉ କେତେକ ରୋଗୀ ଗାଁକୁ ଫେରି ଯାଉଛନ୍ତି। ଏହିପରି ଦୃଶ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ଦେଖିବାକୁ ମିଳୁଛି। କେବଳ କାଜୁଆଲ୍ଟିକୁୁ ଛାଡିଦେଲେ ଚିକିତ୍ସାଳୟ ପରିସରରେ ଥିବା ସାଧାରଣ ବର୍ହିବିଭାଗ(ପୁରୁଷ), ସାଧାରଣ ବର୍ହିବିଭାଗ(ମହିଳା), ଭେଷଜ ବର୍ହି ବିଭାଗ, ଚର୍ମ ଓ ଯୈାନ ରୋଗ ବର୍ହି ବିଭାଗ, ଦନ୍ତ ରୋଗ ବର୍ହିବିଭାଗ, ଚକ୍ଷୁ ରୋଗ ବର୍ହି ବିଭାଗ, ଭୂତାଣୂ ଜନିତ କାମଳ ରୋଗ ଚିକିତ୍ସା କେନ୍ଦ୍ର, ଶଲ୍ୟ ବର୍ହି ବିଭାଗ ପ୍ରଭୃତିରେ ଡାକ୍ତର ସଠିକ ସମୟରେ ଓ ସେମାନଙ୍କର ଯେଉଁଦିନ ପାଳି ରହିଛି ସେମାନେ ଆସୁନାହାନ୍ତି। ଏହି ବିଶେଷଜ୍ଞ ଡାକ୍ତରମାନେ ସରକାରୀ ଡାକ୍ତରଖାନାକୁ ନଆସି ଘରୋଇ ନର୍ସିଂହୋମରେ ରହି ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। କେତେକ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ସେମାନେ ୪୦ରୁ ୫୦ କିଲୋମିଟର ଦୂରରୁ ଆସି ଲାଇନ୍ ରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି। କିନ୍ତୁ ଅନେକ ସମୟରେ ଡାକ୍ତର ନଆସିବାରୁ ସେମାନେ ନିରାଶ ହେଉଛନ୍ତି। କେହି କେହି ରୋଗୀ ଏଠାରେ ଡାକ୍ତର ଦେଖାଇବା ପାଇଁ ହୋଟେଲ ଓ ଲଜ୍ରେ ରହି ଅଜଥା ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଏହାର ପ୍ରତିକାର କରି ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି। ରାଜନଗର ମଦନପୁର ଗ୍ରାମରୁ ଆସିଥିବା ଶୁକଦେବ ପ୍ରଧାନ ଓ ଆର୍ତ୍ତ ସେଠୀ, ମହାକାଳପଡାର ଚଢେଇଗୁଆଁ ଗ୍ରାମରୁ ବୁଧବାର ଆସିଥିବା ସତ୍ୟବ୍ରତ ବିଶ୍ୱାଳ ଓ କାଦମ୍ବିନୀ ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି ସେମାନେ ୪୦କିଲୋମିଟର ଦୂରରୁ ଚିକିତ୍ସିତ ହେବା ପାଇଁ ଏଠାକୁ ଆସିଛନ୍ତି। ସକାଳ ୬ଟାରୁ ଲମ୍ବାଲାଇନରେ ଥିଲେ ମଧ୍ୟ ୯ଟା ପର୍ଯ୍ୟନ୍ତ କୈାଣସି ଡାକ୍ତର ଆସିନଥିଲେ। ଫଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ ପ୍ରହରାଜଙ୍କୁ ପଚାରିବାରୁ ସେ କହିଲେ ଏଠାରେ ଡାକ୍ତର ସଂଖ୍ୟା ବହୁତ କମ୍ ରହିଛି। ତଥାପି ଡ୍ୟୁଟିରେ ଖଲାପ କରୁଥିବା ଡାକ୍ତରମାନଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
