
ପଟ୍ଟାମୁଣ୍ଡାଇ ୨୯/୫ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଳଭା-ନିମପୁର ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀର ଶଯ୍ୟାରେ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଣ ହେଉଛି । ଏସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହି ବେଆଇନ ବାଲି ଉଠାଣ ପାଇଁ ଅଧିକାଂଶ ସ୍ଥାନରେ ନଦୀ ଲୋକଙ୍କ ପାଇଁ ବିପଦର କାରଣ ହେବାକୁ ଯାଉଛି।ଯାହାକୁ ନେଇ ଶୁକ୍ରବାର ସ୍ଥାନୀୟ ଯୁବକମାନେ ଏକତ୍ରୀତ ହୋଇ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ରୋକ କରିବା ସହିତ ଟାଇଆର ଜାଳି ପ୍ରତିବାଦ କରିଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଓ ଗ୍ରମାଂଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ବିକ୍ଷୋଭକାରୀଙ୍କୁ ବଳ ପୂର୍ବକ ଉଠାଇଦେଇଥିବା ପ୍ରତିବାଦ କାରୀ ଯୁବକ ମାନେ କହିଛନ୍ତି ।

ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳର ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲିଉଠାଣ ହେଉଥିବାରୁ ନଦୀ ଶଯ୍ୟା ଖାଲଖମାରେ ପରିଣତ ହୋଇଛି। ଏହା ନଦୀ ଜନବସତି ଆଡ଼କୁ ମୁହାଁଉଥିବାରୁ ନଦୀ କୂଳ ବାସିନ୍ଦା ଭୟଭୀତ ହୋଇଯାଇଛନ୍ତି। ସରକାର କୋଟିକୋଟି ଟଙ୍କ ବ୍ୟାୟରେ ପଥର ପ୍ୟାକିଂ କରୁଛି । ହେଲେ ବାଲି ମାଫିଆ ମାନେ ନାଦୀ ପଠାରୁ ବାଲି ଖନନ କରି ପରିବେଶ ଉପରେ କୁ ପ୍ରଭାବ ପକାଉଛନ୍ତି। ଅପରପକ୍ଷେ ଏହି ନଦୀ ପଠାର ୨୦୦ରୁ ୩୦୦ ମିଟର ଭିତରେ ପାନୀୟ ଜଳ ପ୍ରକଳ୍ପ, ଘେରି ବନ୍ଧ ରହିଛି । ପାନୀୟ ଜଳ ପ୍ରକଳ୍ପ, ବନ୍ଧ, ନାଳ, ପୋଲ ନିକଟଠାରୁ ଏକ କିଲୋ ମିଟର ମଧ୍ୟରେ ବାଲିଉଠା ହୋଇ ପାରିବ ନାହିଁ ବୋଲି ସରକାରୀ କଟକଣା ଅଛି। ତେବେ ପଟ୍ଟାମୁଣ୍ଡାଇ ଅଂଚଳରେ ଏହି ନିୟମକୁ ଉପେକ୍ଷା କରାଯାଉଛି। ୨୦୧୯ରେ ବ୍ରାହ୍ମଣୀ ନଦୀ ଶର୍ଯ୍ୟାରୁ ବାଲି ମାଟି ଉଠାଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ନିମପୁର, ନରେନ୍ଦ୍ରପୁର ଓ ଅଳଭା ବ୍ରାହ୍ମଣୀ ନଦୀ ପଠାକୁ ନିଷିଦ୍ଧାଂଚଳ ଘୋଷଣା କରି କେନ୍ଦ୍ରାପଡା ଜିଲାପ୍ରଶାସନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସେବେଠାରୁ ଏହି ଅଂଚଳରୁ ବାଲି ମାଟି ଉଠାଣ ବନ୍ଦ ଥିବା ବେଳେ ସଂପ୍ରତି ଜଣେ ପ୍ରଭାବଶାଳୀ କେତେକ ଛାମୁଆ ଦଳର ଆଗଧାଡିର କର୍ମକର୍ତା କୋଟି କୋଟି ଟଙ୍କାର ବାଲି, ମାଟି ଚୋରାଚାଲାଣ କରୁଛନ୍ତି। ଏହି ସମ୍ବେଦନଶୀଳ ଘଟଣା ପ୍ରତି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ, ଖଣି ବିଭାଗ ଓ ପଟ୍ଟାମୁଣ୍ଡାଇ ତହସିଲ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ନିଘା ଦେଉ ନାହାଁନ୍ତି । ବରଂ ବାଲି ମାଫିଆ ମାନଙ୍କ ହାତବରିସ ସାଜି ସେମାନଙ୍କୁ ସହେଯାଗ କରୁଛନ୍ତି ବୋଲି ବାରମ୍ବାର ସାମାଜିକ ଗଣମଧ୍ୟମରେ ଆଲୋଚନା ହେଉଛି । ମାଫିଆମାନେ ଶହ ଶହ ଟ୍ରିପ ବାଲି ଉଠାଣ ଚାଲାଣ କରି ମାଲାମାଲ ହେଉଥିବା ବେଳେ ଅଧିକାଂଶ ସ୍ଥାନରେ ନଦୀ ଲୋକଙ୍କ ପାଇଁ ବିପଦର କାରଣ ହେବାକୁ ଯାଉଛି। ଗତ ୧ ମାସ ହେଲାଣି ତିନୋଟି ପ୍ରୋକ୍ଲିନ ମେସିନ ଓ ୨୦ ଟି ହାଇୱା ଲଗାଇ ମାଫିଆମାନେ ଭୟ ଦେଖାଇ ବାଲି ଉଠାଣ କରି ପାଖାପାଖି ୨ କିମି ନଦୀ ପଠାକୁ ଖୋଳିନେଇ ସାରିଲେଣି। ବେଆଇନ ବାଲି ଉଠାଣ ବନ୍ଦ କରିବା ଓ ସେଠାରେ ଆତଙ୍କରାଜ ଚଳାଇଥିବା ଅସାମାଜିକ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନା ଜାରି ରଖିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ପତ୍ରପୁର ସେତୁ ଓ ବ୍ରାହ୍ମଣୀ ଘେରୀବନ୍ଧର ସୁରକ୍ଷାକୁ ଦୃଷ୍ଠିରେ ରଖି ୨୦୧୯ ମସିହାରେ ପଟ୍ଟାମୁଣ୍ଡାଇ ଅଂଚଳର ସମାଜୀକକର୍ମୀ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ନିକଟରେ ମାମଲା କରିଥିଲେ । ଏ ସଂକ୍ରାନ୍ତରେ ଏନ୍ଜିଟି ଅଳଭା, କଷଣଅଂଟା, ବାଲିପଡା, ବାଲିପାଟଣା, ଖରିପାଳ, ମଣ୍ଡପଡା, ବାଛରା, ଶାଶନ, ନରେନ୍ଦ୍ରପୁର, ଶ୍ରୀରାମପୁର ପ୍ରଭୃତି ବ୍ରାହ୍ମଣୀ ନଦୀ ପଠାରୁ ବାଲିମାଟି ଉଠାଣ ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧାଂଚଳ ଘୋଷଣା କରି ଜିଲାପ୍ରଶାସନଙ୍କୁ ନିର୍ଦ୍ଧେଶ ଦେଥିଲେ। ମାତ୍ର ପତ୍ରପୁର ପୋଲର ଓ ବ୍ରାହ୍ମଣୀ ଘେରିବନ୍ଧ ୧ କିମି ଭିତରେ ବାଲିମାଟିକୁ ଜେସିବି ଲଗାଇ ହାଇୱାରେ ପରିବହନ କରାଯାଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
