ଆସିଲା ଭିଡିଓ: ଗାମୁଛା ପକା ବ୍ୟକ୍ତି କଣ ବିଡିଓଙ୍କ ଗୁଣ୍ଡା !

କେନ୍ଦ୍ରାପଡା ବହୁ ଚର୍ଚ୍ଚିତ ଚାମେଲି ଓଝା ଘଟଣାରେ ବିଡିଓଙ୍କ କାର୍ଯ୍ୟଳୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ସେଥିରେ ବିଡିଓଙ୍କ ପ୍ରକୋଷ୍ଠରେ କେତେଜଣ କୁଜି ନେତା ଉପସ୍ଥିତ ରହିଥିବା ବେଳେ ଚାମେଲିଙ୍କ ସହ ଅସୌଜନ୍ୟ ବ୍ୟବହାର କରିବା ଜଳ ଜଳ ହୋଇ ଦିଶୁଛି। ଏତେସବୁ ଘଟଣା ପରେ ବି ବିଧାୟକ ମୁହଁ ନଖୋଲିବା ଏବେ ତାଙ୍କର ସମ୍ପୃକ୍ତିକୁ ମଉନେ ସନ୍ମତି ଲକ୍ଷଣ ବୋଲି ଚର୍ଚ୍ଚା ଜୋର ଧରିଛି ।ହେଲେ ଘଟଣାରେ ମହାକାଳପଡ଼ା ବିଡିଓଙ୍କ ଏତାଲା ଆଧାରରେ ତିଖିରିର ମହିଳା ସରପଞ୍ଚ ଚାମେଲି ଓଝା ଗିରଫ ହୋଇଛନ୍ତି। ତେବେ ଗିରଫ ପୂର୍ବରୁ ତାଙ୍କୁ ବିଡିଓଙ୍କ ପ୍ରକୋଷ୍ଠରେ ଓ ପୋଲିସ୍ ଗାଡିରେ ମାଡ ମରାଯାଇଥିବାକୁ ନେଇ ଚାମେଲି ଅଭିଯୋଗ ଆଣିଥିଲେ। ମାଡରେ ଆହତ ଯୋଗୁଁ ସେ ଏବେ ବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟରେ ବାଧାଦେବାର ଅଭିଯୋଗ ଆଣି ବିଡିଓ ଯେଉଁ ଅଭିଯୋଗ କରିଛନ୍ତି । ତାହା ଖୁଲାସା ପାଇଁ ସିସିଟିଭି ଯାଂଚ ପାଇଁ ଚାମେଲି ଦାବି କରିଆସୁଥିଲେ। ସେବେଠାରୁ ପୋଲିସ ଜବତ କରିଥିବା ଚାମେଲିଙ୍କ ମୋବାଇଲ ଆଜି ଫେରାଇବା ପରେ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଭିଡିଓରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି ଯେ ବିଡିଓଙ୍କ ପ୍ରକୋଷ୍ଠରେ ଚାମେଲି ଓ ଅନ୍ୟ କେତେଜଣ ଲୋକପ୍ରତିନିଧି ବସି ଆଲୋଚନା କରୁଛନ୍ତି। ତାଙ୍କର ପଂଚାୟତ କାମ କାହିଁକି କରାଯାଉନି ବୋଲି ଚାମେଲି ପଚାରୁଛନ୍ତି । ଯିଏ କିଏବି କାମ କରୁ ପଂଚାୟତ ଉନ୍ନୟନ କାର୍ଯ୍ୟ ହେବା ଦରକାର ବୋଲି ସେ କହିବା ସହିତ ବିଲ୍ ମିଳିବାରେ କାହିଁକି ବିଳମ୍ବ ହେଉଛି ବୋଲି ଚାମେଲି ବାରମ୍ବାର ବିଡିଓଙ୍କୁ ପଚାରୁଛନ୍ତି। ଚାମେଲି ବାରମ୍ବାର ପ୍ରଶ୍ନ କରିବା ଭିତରେ ହଠାତ୍ କିଛି ବ୍ୟକ୍ତି ବିଡିଓଙ୍କ ଦପ୍ତରକୁ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରେ ବେକରେ ଗେରୁଆ ଗାମୁଛା ପକାଇଥିବା ଜଣେ ବ୍ୟକ୍ତି ଚାମେଲି ଓ ଘଟଣାର ଭିଡିଓ କରୁଥିବା ତାଙ୍କ ଭାଇଙ୍କ ସହ ଠେଲାପେଲା ହେଉଛନ୍ତି। ବେକରେ ଗେରୁଆ ଗାମୁଛା ପକାଇ ବିଡିଓଙ୍କ ପ୍ରକୋଷ୍ଠକୁ ପ୍ରବେଶ କରିଥିବା ବ୍ୟକ୍ତି ଜଣଙ୍କ ବିଧାୟକଙ୍କ ଗୁଣ୍ଡା ବୋଲି ଚାମେଲି ଅଭିଯୋଗ କରିଥିବା ବେଳେ ଭିଡିଓ ଦେଖିବା ପରେ ସାଧାରଣରେ ସମାନ ଆଲୋଚନା ହେଉଛି ।ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଏପର୍ଯ୍ୟନ୍ତ ବାନ୍ଧିନାହିଁ। ତେବେ ଏତେସବୁ କାଣ୍ଡ ପରେ ମହାକାଳପଡ଼ା ବିଧାୟକ ମୁହଁ ଖୋଲି ତାଙ୍କର ସମ୍ପୃକ୍ତିକୁ ଖଣ୍ଡନ କରୁନାହାନ୍ତି। ଏପରିକି ଇଜ୍ଜତ ମାଗିବା ଭଳି ସଙ୍ଗୀନ ଅଭିଯୋଗକୁ ମଧ୍ୟ ଖଣ୍ଡନ କରାଯାଉ ନ ଥିବାରୁ ଏହି ଘଟଣାକୁ ବିଧାୟକ ମଉନେ ସନ୍ମତି ପ୍ରଦାନ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟ ପକ୍ଷରେ ବିଡିଓଙ୍କ ପ୍ରକୋଷ୍ଠରେ ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ଚାମେଲିଙ୍କୁ ନେଇ ଯାଉଥିବା ପୋଲିସ ଗାଡି ଭିତରେ କ’ଣ ଘଟିଥିଲା, ତାହାର ଭିଡିଓ ପୋଲିସ ଜାରି କରିବାକୁ ଦାବି ଉଠୁଛି। ଖୋଦ୍ ଚାମେଲି ବି ଏହି ଭିଡିଓ ତାଙ୍କ ମୋବାଇଲ୍ରେ ରହିଛି ବୋଲି ଦାବି କରୁଛନ୍ତି। ଉଲ୍ଲେଖନୀୟ ଯେ ବିଡିଓଙ୍କ ସହ ଆଲୋଚନାକୁ ନେଇ ଏକାଧିକ ଦଫାରେ ଗିରଫ ହୋଇଥିବା ମହିଳା ସରପଞ୍ଚ ଚାମେଲି ଓଝା ନିଜକୁ ଭାଜପା ଦଳର ବୋଲି ଦର୍ଶାଇବା ସହ ତାଙ୍କ ଦଳର ବିଧାୟକ ତାଙ୍କୁ ଇଜ୍ଜତ ମାଗୁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁ ଜଣାଇବେ ବୋଲି ସମୟ ବି ମାଗିଛନ୍ତି। ଏବେ ଧିରେ ଧିରେ ଗୋଟିକ ପରେ ଗୋଟିଏ ଭିଡିଓ ପଦାକୁ ଆସୁଥିବାରୁ ଏହା ଏବେ କେନ୍ଦ୍ରାପଡ଼ା ପ୍ରଶାସନ ଓ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହି ଘଟଣାରେ ବିରୋଧୀ ଦଳ ଗର୍ଜନତର୍ଜନ କରୁଥିବା ବେଲେ ଖୋଦ୍ ବିଧାୟକ ଅହେତୁକ ନୀରବତା ଅବଲମ୍ବନ କରୁଥିବାରୁ ଲୋକଙ୍କ ମନରେ ସନ୍ଦେହ ବଢ଼ିବାରେ ଲାଗିଛି।
