ପଟ୍ଟାମୁଣ୍ଡାଇରେ ସିଭିଲ କୋର୍ଟ ପରିସରରେ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ

ପଟ୍ଟାମୁଣ୍ଡାଇ,୯ା୯ – ଜାତୀୟ ଆଇନ ସେବା ପ୍ରାଧିକରଣ ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟି ଏବଂ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଦେଶବ୍ୟାପୀ “ମଧ୍ୟସ୍ଥତା ୩.୦’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କ୍ରମରେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ତରଫରୁ ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ କରକମଳରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ନୂତନ “ମଧ୍ୟସ୍ଥତା କେନ୍ଦ୍ର’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଚାରପତି ପୃଷ୍ଟି ପ୍ରକାଶ କରିଥିଲେ ଯେ, ଆପୋଷ ମିଳାମିଶା ଓ ସହମତି ମାଧ୍ୟମରେ ମାମଲାର ସ୍ଥାୟୀ ସମାଧାନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ଆଇନଗତ ଖର୍ଚ୍ଚ ଓ ସମୟ ବଂଚିବା ସହ ଜନସାଧାରଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରହିପାରିବ। ଗତ ଅଗଷ୍ଟ ପହିଲା ୨୦୨୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି “ମଧ୍ୟସ୍ଥତା ୩.୦’ ଅଭିଯାନ ମାଧ୍ୟମରେ ବିଭିନ୍ନ ପାରିବାରିକ ବିବାଦ, ଦେୱାନୀ ମାମଲା, ଜମିଜମା ସଂକ୍ରାନ୍ତୀୟ ଗୋଳମାଳ ଏବଂ ଚେକ୍ ବାଉନ୍ସ, ବାଣିଜ୍ୟକ ଅଦାଲତରେ ଥିବା ମାମଲା, ନିଯୁକ୍ତି ସମ୍ପର୍କୀୟ ଉପଯୁକ୍ତ ମାମଲା, ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଖାଉଟି ଅଦାଲତରେ ଥିବା ବିବାଦ, ଶ୍ରମିକ ଅଧୂନିୟମ ସମ୍ପର୍କୀୟ ମାମଲା, ଚୁକ୍ତି ଅନିୟମ ସମ୍ପର୍କୀୟ ମାମଲାଗୁଡ଼ିକୁ ବିନା କୋର୍ଟ କଚେରୀ ଚକ୍କରରେ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ସିନିୟର୍ ସିଭିଲ କୋର୍ଟର ବିଚାରପତି ଅପ୍ରୁବା ଚୌଧୁରୀ, ଜେଏମଏଫସି ବିଦ୍ୟୁତଲତା ପ୍ରଧାନ ଓ ଡି କେ ବାଲକ୍ରିଷନ ଯୋଗଦେଇ କାର୍ଯ୍ୟକ୍ରମର ମୂଳ ଇଦ୍ଦେଶ୍ୟ ହେଉଛି ମଧ୍ୟସ୍ଥତା ମାଧ୍ୟମରେ ସମସ୍ତ ବିଚାରାଧୀନ ମାମଲାର ସମାଧାନ କରିବା । ମାମଲାରେ ପକ୍ଷଭୁକ୍ତ ବ୍ୟକ୍ତି ବା ସଂସ୍ଥା ଏହାର ସୁଯୋଗ ନେଇ ନିଜ ନିଜ ମାମଲାର ପରିସମାପ୍ତି ପାଇଁ ସମ୍ପୃକ୍ତ ଅଦାଲତ କିମ୍ବା ନିକଟସ୍ଥ ତାଲୁକ କିମ୍ବା ଜିଲ ଆଇନ ସେବା ସଂସ୍ଥା ସହ ଯୋଗାଯୋଗ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ କୋର୍ଟର ସରକାରୀ ଓକିଲ ଧୀରେନ୍ଦ୍ରନାଥ ସାହୁ , ସୁରେଶ କୁମାର ନରେନ୍ଦ୍ର, ରିଟେନର ଗୀତାଞ୍ଜଳି ପୃଷ୍ଟି, ପଟ୍ଟାମୁଣ୍ଡାଇର ବାର ଆସୋସିଏସନର ଲାଇବ୍ରେରୀ ସଂମ୍ପାଦକ ସିନାରାଣୀ ଓଝା ବହୁ ଆଇନଜୀବୀ, କୋର୍ଟ କର୍ମଚାରୀ ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଏହି ମଧ୍ୟସ୍ଥତା କେନ୍ଦ୍ରର ସୁବିଧା ନେଇ ନିଜ ନିଜର ଆପୋଷ ସମାଧାନଯୋଗ୍ୟ ମାମଲାଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ତାଲୁକ ଆଇନ ସେବା ସମିତି ପକ୍ଷରୁ ସାଧାରଣ ଜନତାଙ୍କୁ ନିବେଦନ କରାଯାଇଛି।
