
ପଟ୍ଟାମୁଣ୍ଡାଇ ୨୦/୯ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନ ଶନିବାର ୨ୟ ଦିନରେ ପହଂଚିଛି । ଶୁକ୍ରବାର ପଟ୍ଟାମୁଣ୍ଡାଇ ସହରରେ ଜବର ଦଖଲ ଉଛେଦ ଅଭିଯାନ ଆରମ୍ଭ କରାଯାଇ ସହରର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଛେଦ କରାଯାଇଥିଲା । ଉଠାଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ ନକରି ଉଛେଦ କରାଯାଇଥିବାରୁ ଉଠା ଦୋକାନୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶନିବାର ଜବର ଦଖଲ ଉଛେଦ ଅଭିଯାନର ୨ୟ ଦିବସରେ ଉଠାଦୋକାନୀ ମାନଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଉଛେଦ ଅଭିଯାନ ଆରମ୍ଭ କରିବା ପୂର୍ବରୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ,ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାଏକ, ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ଓ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଯୋଗ ଦେଇ ଉଠାଦୋକାନୀ ମାନଙ୍କ ସହିତ ଆଲୋଚନା କରି ପୂଜା ପରେ ଉଠାଦୋକାନୀ ମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଦିବା ୧୨ ଘଟିକା ସମୟରେ ପ୍ରଶାସନ ପକ୍ଷରୁ ପୁନଃରାୟ ଜବରଦଖଲ ଅଭିଯାନ ଆରମ୍ଭ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକ ଠାରୁ ସହରର ପୁରୁଣା ବାଇପାସ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଛେଦ କରାଯାଇଥିଲା ।
