- ପିଏମଏଓାଇ ଯୋଜନାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା
- ବନ୍ୟା ଉଜାଡ଼ିଦେଲା ଗରୀବଙ୍କ ଚାଳଛପର
- ବାସହୀନ ହୋଇ ପଡିଛନ୍ତି ବହୁ ଖଟିଖିଆ

ପଟ୍ଟମୁଣ୍ଡାଇ ୩/୮ନରେନ୍ଦ୍ର ଧଳ- ସାମ୍ପ୍ରତିକ ବନ୍ୟା ପଟ୍ଟମୁଣ୍ଡାଇ ଅଂଚଳରେ ତାଣ୍ଡବ ରଚିଥିବା ବେଳେ ସରକାରଙ୍କ ବହୁପ୍ରଚାରିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକୃତ ଚେହେରାକୁ ପଦାରେ ପକାଇଦେଇଛି। ଲଗାଣ ବର୍ଷା ଓ ସାଂଘାତିକ ବନ୍ୟା ପରିସ୍ଥିତି ଯୋଗୁଁ ଧୋୟାଂଚଳର ଶହ ଶହ ଗରିବ ପରିବାରର ମାଟି ଓ ଚାଳଛପର ଘର ଗୁଡ଼ିକର ନଷ୍ଟ ହୋଇଯାଇଛି । ଶହ ଶହ ପରିବାର ଏବେ ବାସହୀନ ହୋଇ ପଡିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଟିକିଏ ଛାତ ନପାଇ ଏବେ ଖୋଲା ଆକାଶ ତଳେ ପଲିଥିନ୍ ଟାଣି କଷ୍ଟକର ଜୀବନ ବିତାଉଛନ୍ତି । ପିଏମଏଓାଇ ଯୋଜନାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା ଓ ପ୍ରଶାସନିକ ଅବହେଳାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ଯୋର ଧରିଛି । ଯଦି ସରକାର ସମୟସୀମା ମଧ୍ୟରେ ସଠିକ୍ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେଇଥାନ୍ତେ, ତେବେ ଆଜି ଲୋକଙ୍କୁ ଏହି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସାମାଜିକକର୍ମୀ ବିଭୁତି ପଟ୍ଟାନାୟକ, ସଂଜିବ ମଲ୍ଲିକ, ପ୍ରଶାନ୍ତ ସ୍ୱଇଁ ପ୍ରମୁଖ କୁହନ୍ତି ବର୍ଷ ବର୍ଷ ଧରି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗରୀବ ଓ ନିଶ୍ଚିହ୍ନ ପରିବାରକୁ ପକ୍କାଘର ଯୋଗାଇଦେବାର ବଡ଼ ବଡ଼ ଭାଷଣବାଜି କରୁଛନ୍ତି। ହେଲେ ବାସ୍ତବଚିତ୍ର ଲଗା ଦେଖିବାକୁ ମିଳୁଛି । ଦୁର୍ନୀତି ଅଧିକାରୀ ନେତାଙ୍କ ପକ୍ଷପାତିତା ଯୋଗୁଁ ପ୍ରକୃତ ଗରିବ ଲୋକଟିଏ ପକ୍କାଘର ଖଣ୍ଡିଏ କରିପାରୁନାହିଁ। ଗରିବ ଖଟିଖିଆ ପରିବାରଗୁଡ଼ିକ ପୁରୁଣା ମାଟିଘରେ କାଲାତିପାତ କରୁଛନ୍ତି । ଫଳରେ ଚଳିତ ବନ୍ୟାଜଳ ପ୍ରବେଶ କରିବା ମାତ୍ରେ ପ୍ରାଣ ବିକଳରେ ନିଜ ନିଜର କଚ୍ଚାଘରଦ୍ୱାର ଛାଡ଼ି ନିକଟସ୍ଥ ଉଚ୍ଚ ସ୍ଥାନ, ନଦୀବନ୍ଧ, ସ୍କୁଲ ଗୃହରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ମାତ୍ର ବନ୍ୟାଜଳ ଖସିବା ପରେ ସାମ୍ନାକୁ ଆସିଲା କରୁଣ ଚିତ୍ର। ଶହ ଶହ ଗରିବ ପରିବାରର ଚାଳ ଓ କଚ୍ଚା ଘରର ମାଟି ଧୋଇଯାଇଥିବା ବେଳେ କେଉଁଠି କେଉଠି ସମ୍ପୂର୍ଣ୍ଣ ଘର ଭୁଶୁଡ଼ି ପଡ଼ିଛି। ବନ୍ୟାର ପ୍ରବଳ ସ୍ରୋତରେ ଘର ଭିତରେ ଥିବା ଆସବାବପତ୍ର, ଧାନ, ଚାଉଳ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଭାସିଯାଇ ନଷ୍ଟ ହୋଇଯାଇଛି। ବର୍ଷ ବର୍ଷ ଧରି ସରକାରୀ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ପଂଚାୟତରୁ ବ୍ଲକ ଧାଇଁ ଧାଇଁ ନିରାଶ ହୋଇଥିବା ଅଳପୁଆ ଗ୍ରାମର ବହୁ ଗରିବ ବନ୍ୟାପୀଡ଼ିତଙ୍କ ପାଇଁ ଏବେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟଟିଏ ନାହିଁ। ଘର ଭାଙ୍ଗିଯିବାରୁ ପିଲାଛୁଆଙ୍କୁ ଧରି ଖାଇବାକୁ ଗଣ୍ଡିଏ ନପାଇ ଅନ୍ଧାରରେ ଦିନ କାଟୁଛନ୍ତି।

କ୍ଷତିଗ୍ରସ୍ତ ଜାନକୀ ସେଠୀ କୁହନ୍ତି ପ୍ରତିବର୍ଷ ବର୍ଷା ଓ ବନ୍ୟା ଆସିଲେ ଆମ ଚାଳ ଘର ଭାଙ୍ଗିଯାଏ। ସରକାର ସମସ୍ତଙ୍କୁ ପକ୍କା ଘର ଦେବା କଥା କହୁଛନ୍ତି । କିନ୍ତୁ ଆମକୁ ଆବାସ ଯୋଜନାରେ ଘରଟିଏ ମିଳିଲାନି। ନେତା ଓ ଅଫିସରମାନେ ଭୋଟ୍ ବେଳେ ଆସି ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି । ହେଲେ ବିପତି ବେଳେ କେବଳ ଖଣ୍ଡେ ପଲିଥିନ୍ ଫିଙ୍ଗିଦେଇ ନିଜ କାମ ସାରିଦିଅନ୍ତି।

କ୍ଷତିଗ୍ରସ୍ତ ରାଜକିଶୋର ଜେନା କୁହନ୍ତି ଘରେ ଖଣ୍ଡେ ପାଇଁ ବାରମ୍ବାର ସରପଂଚ, ବିଡିଓଙ୍କ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଏହି ଚାଳ ଘରେ ରହିବାକୁ ବାଧ୍ୟ ହେଉଛୁ । ବନ୍ୟାର ପ୍ରକୃତିର ଏହି କରାଳ ରୂପ ସେମାନଙ୍କ ମୁଣ୍ଡ ଉପରୁ ଶେଷ ଆଶ୍ରୟତକ ବି ଛଡ଼ାଇ ନେଇଛି। ଘରେ ଥିବା ଚାଉଳ, ଅଟା, ଆସବାବପତ୍ର ଓ ଜରୁରୀ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

କ୍ଷତିଗ୍ରସ୍ତ ରଞ୍ଜନ ବେହାରା କୁହନ୍ତି ପ୍ରତିବର୍ଷ ବନ୍ୟା ଆସିଲେ ନେତା ଓ ପ୍ରଶାସନିକ ଅଧିକାରୀ ଆସନ୍ତି। ଫଟୋ ଉଠାଇ ନେଇଯାଉଛନ୍ତିା ହେଲେ ବନ୍ୟା ଛାଡ଼ିଗଲା ପରେ ଆମ କଥା ସମସ୍ତେ ପାସୋରି ଦିଅନ୍ତି। ପ୍ରକୃତ ସହାୟତା ପହଁଚୁନାହିଁ। ଆବାସ ଘର ଆମ ପାଇଁ କେବଳ ପ୍ରହସନ । ଚଳିତ ବନ୍ୟାରେ ଘର ଭାଙ୍ଗିଯାଇଛି । ଛୋଟ ପିଲାଙ୍କୁ ଧରି ଭଙ୍ଗାଘରେ ରାତି ବିତାଉଛୁ।

କ୍ଷତିଗ୍ରସ୍ତ ନିର୍ମଳା ସେଠୀ କୁହନ୍ତି ପ୍ରତିବର୍ଷ ବନ୍ୟା ଆସିଲେ ଆମ ଚାଳ ଘର ଭାଙ୍ଗିଯାଏ। ଆବାସ ଘରଟିଏ ପାଇଁ ପଂଚାୟତରେ ବାରମ୍ବାର ଗୁହାରି କଲୁ, ହେଲେ ଆମ କଥା କେହି ଶୁଣିଲେନି। ଆଜି ଆମର ସବୁକିଛି ପାଣିରେ ଭାସିଗଲା, ଆମେ ଏବେ କୁଆଡ଼େ ଯିବୁବୋଲି ପ୍ରଶ୍ନ କରିଛନ୍ତି ।

କ୍ଷତିଗ୍ରସ୍ତ ସସ୍ମିତା ସେଠୀ ହାସିନା ସେଠୀ କୁହନ୍ତି ଘର ଭାଙ୍ଗିଯିବା ସହ ଘରେ ଥିବା ହାଣ୍ଡି-ଶାଳ, ଚାଉଳ ବସ୍ତା, ପିନ୍ଧା ଲୁଗା ଆଉ ଛୁଆଙ୍କ ବହିପତ୍ର ସବୁ ପାଣିରେ ଭାସିଗଲା। ଖାଇବାକୁ ଗଣ୍ଡିଏ ନାହିଁ, ପିଇବାକୁ ସ୍ୱଚ୍ଛ ପାଣି ଟୋପାଏ ନାହିଁ। ସରକାର ଆମକୁ ଜୀବନ୍ତ ମାରିଦେଲେ ।
