
କେନ୍ଦ୍ରାପଡ଼ା,୩୦ା୩:କେନ୍ଦ୍ରାପଡା ବ୍ଲକ ଅଧିନ ସାନମାଣିତିଆ ପଞ୍ଚାୟତର ଜଗନ୍ନାଥ ସେବା ସଂସ୍ଥା, ସାନମାଣିତିଆ ଆନୁକୂଲ୍ୟରେ ବଡମାଣିତିଆ ଶ୍ରୀଜଗନ୍ନାଥ ମନ୍ଦିରର ଦ୍ୱିତୀୟ ପ୍ରତିଷ୍ଠା ଉତ୍ସବ ସୋମବାର ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଜଗନ୍ନାଥ ସେବା ସଂସ୍ଥାର ସଭାପତି ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉପରେ ବହୁ ମୂଲ୍ୟବାନ ତତ୍ୱଭିତ୍ତିକ ବକ୍ତବ୍ୟ ରଖିଥିଲେ। କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶିକ୍ଷାବୀତ ତ୍ରିଲୋଚନ ଜେନା, ବ୍ରହ୍ମାନନ୍ଦ ସାମଲ, ଦେବେନ୍ଦ୍ର ରାଉତ, ପ୍ରହଲ୍ଲାଦ ଦାସ, ଜଗଦାନନ୍ଦ ସ୍ୱାଇଁ, କେଶବ ଚନ୍ଦ୍ର ବିଶ୍ୱାଳ ଓ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଜଗନ୍ନାଥ ସେବା ସଂସ୍ଥାର ସମ୍ପାଦକ ରବୀନ୍ଦ୍ର କୁମାର ପରିଡା ବଡମାଣିତିଆରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀର ସୁନାମଧନ୍ୟ ପଣ୍ଡିତ ପଦ୍ମନାଭ ତ୍ରିପାଠୀ(ଶର୍ମା) ଓ ତାଙ୍କର ସହଯୋଗିମାନଙ୍କ ଦ୍ୱାରା ଆଜି ଅଙ୍କୁରାରୋପଣ ଓ ମଣ୍ଡଳକାରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି କଳସଯାତ୍ରା, ଶାଲା ପ୍ରବେଶ, ଦେବତା ଆବାହନ, ଅଗ୍ନିସ୍ଥାପନ,ମା’ବିମଳାଦେବୀଙ୍କ ନୂତନ ମନ୍ଦିର ଅଧିବାସ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବ।
