କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା 18/9- କେନ୍ଦ୍ରାପଡ଼ା ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକରେ ଶୁକ୍ରବାର ଦିନ ଏକ ଗମ୍ଭିର ସ୍ଥିତି ସୃଷ୍ଟି ହୋଇଛି। ପ୍ରୋଟୋକଲ୍ ଉଲ୍ଲଙ୍ଘନ ଅଭିଯୋଗ ଆଣି ରାଜନଗର ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ସମ୍ମିଳନୀ କକ୍ଷର ସଭାମଂଚ ତଳେ ଧାରଣାରେ ବସିଥିଲେ। ସରକାରୀ ଅଧିକାରୀମାନେ ପ୍ରୋଟୋକଲ୍ ବୁଝିପାରୁନାହାନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ। ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଧାୟକ ପାଣ୍ଠିରୁ ନିର୍ମିତ ରାସ୍ତା ଉଦ୍ଘାଟନ ପାଇଁ ଡକାଯିବା ପରେ କାର୍ଯ୍ୟକ୍ରମ ଘୁଂଚାଇ ଦିଆଯାଇଥିଲା, ଯାହା ତାଙ୍କୁ ବାଦ୍ ଦେବାର ଏକ ଯୋଜନାବଦ୍ଧ ଚକ୍ରାନ୍ତ ଥିଲା। ସେହିପରି କୌଣସି ଅଫିସିଆଲ୍ ଚିଠି ବିନା ବିଜେପି କର୍ମୀମାନେ ବୈଠକରେ ମଞ୍ଚାସୀନ ହେବା ସହ ସାଂସଦଙ୍କ ପ୍ରତିନିଧି ଭାବେ ପରିଚୟ ଦେଉଛନ୍ତି। ଏହାଦ୍ୱାରା ବୈଠକର ମର୍ଯ୍ୟାଦା ହାନି ହେଉଥିବାରୁ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ପ୍ରକୃତ ପ୍ରତିନିଧିଙ୍କ ସ୍ପଷ୍ଟ ସୂଚନା ଲିଖିତ ଭାବେ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।ଏହି ଘଟଣାରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ କେନ୍ଦ୍ରାପଡ଼ା ବିଧାୟକ, ଜିଲ୍ଲା ପରିଷଦ ସଭାପତି, ସଭ୍ୟ/ସଭ୍ୟା ଓ ବ୍ଲକ ଅଧ୍ୟକ୍ଷମାନଙ୍କ ଅନୁରୋଧ କ୍ରମେ ବିଧାୟକ ଧାରଣାରୁ ଓହରିଥିଲେ।ଏହାସହ, ଉନ୍ନୟନ କାର୍ଯ୍ୟରେ ୫୦ରୁ ୫୨ ପ୍ରତିଶତ ଲେସ୍ରେ ଟେଣ୍ଡର ହେଉଥିବାରୁ କାମ ଅଧାରୁ ବନ୍ଦ ହେଉଛି ବୋଲି ଶ୍ରୀ ସାହୁ ସରକାରଙ୍କୁ ଦାୟୀ କରିଥିଲେ। ଏଥିସହ ୮ ନଂ. ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ଦାବି କରିଥିଲେ ଯେ, ୫୦ ପ୍ରତିଶତରୁ ଅଧିକ ଲେସ୍ରେ ଟେଣ୍ଡର ନେଉଥିବା ଠିକାଦାରଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ଓ ଶ୍ରମିକ ଅଛନ୍ତି କି ନାହିଁ, ତାହାର ଏକ ସତ୍ୟପାଠ ଟେଣ୍ଡର ପୂର୍ବରୁ ସଂପୃକ୍ତ ବିଭାଗ ରଖିବା ଉଚିତ। ଫଳରେ କେତେବେଳେ ଯଦି ଠିକାଦାର ଫେରାର ହୋଇଯିବେ ତେବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବା ସହ ତାଙ୍କ ଲାଇସେନ୍ସ ରଦ୍ଦ ହୋଇପାରିବ।

ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ସାଂସଦଙ୍କ ପ୍ରତିନିଧି ସୁନାକାର ବେହେରାଙ୍କ ସମେତ ଜିଲ୍ଲାପାଳ ରଘୁରାମ ଆର. ଆୟର ଏବଂ ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ଆରମ୍ଭରେ ସଭାପତି ସମସ୍ତ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାର ସାମଗ୍ରିକ ବିକାଶ, ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି, ଶିକ୍ଷକ ଉପଲବ୍ଧତା, ଛାତ୍ରଛାତ୍ରୀଙ୍କ ଶିକ୍ଷା ପରିବେଶ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ନିର୍ବାଚିତ ପ୍ରତିନିଧିମାନେ ଆଲୋଚନା କରିଥିଲେ। ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରି କାର୍ଯ୍ୟଗୁଡ଼ିକୁ ଶୀଘ୍ର ଆରମ୍ଭ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଲୋକଙ୍କ ଆବଶ୍ୟକତା ସହିତ ଜଡ଼ିତ ଉନ୍ନୟନ କାର୍ଯ୍ୟରେ ବିଳମ୍ବ ନହେବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା। ଚଳିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ଆବଶ୍ୟକ ସେବା ଯୋଗାଣ, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ଏବଂ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଦିବଂଗତ ୨୦ ନମ୍ବର ଜିଲା ପରିଷଦ ସଦସ୍ୟ ସୁବ୍ରତ ଲେଙ୍କାଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ସ୍ମୃତିରେ ଏକ କମ୍ୟୁନିଟି ସେଣ୍ଟ ଖୋଲିବା ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ନିର୍ବାଚିତ ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା, ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ସମ୍ପର୍କିତ ବିଷୟଗୁଡ଼ିକୁ ଗୃହରେ ଉପସ୍ଥାପନ କରିଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉଠିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ସହ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାର ଉନ୍ନୟନ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମୟବଦ୍ଧ ସମାଧାନ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ନିରନ୍ତର ସମନ୍ୱୟ ଓ ସହଯୋଗ ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
