
ପଟ୍ଟାମୁଣ୍ଡାଇ ୩/୮ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଳପୁଆ ପଞ୍ଚାୟତ ଦାମୋଦରପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜନୈକା ମହିଳା ସୁଚିତ୍ରା ଦାସ ଶୌଚ ପାଇଁ ନଦୀକୂଳକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ବନ୍ୟା ଜଳ ହ୍ରାସ ପାଇବା ପରେ ନଦୀଗୁଡ଼ିକରେ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ସୁଚିତ୍ରା ସକାଳେ ନିକଟସ୍ଥ ନଦୀକୂଳକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ନଦୀକୂଳରେ ତାଙ୍କର ବାଲଟି, ଚପଲ, ବ୍ରସ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ କୁମ୍ଭୀର ଆକ୍ରମଣ କରି ନଦୀ ଭିତରକୁ ଟାଣି ନେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ।ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗ, ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ବ୍ରାହ୍ମଣୀରେ ବନ୍ୟା ଆସିଛି। ବନ୍ୟା ଆସିବା ଦ୍ୱାରା ଭିତରକନିକା ନଦୀରୁ ବହୁ ସଂଖ୍ୟାରେ କୁମ୍ଭୀର ଭାସିଆସି ଆତଙ୍କ ସୃଷ୍ଟି କରୁଛନ୍ତି। ବନ୍ୟା ଛାଡ଼ିବା ପରେ ନଦୀର ଜଳସ୍ତର କମୁଥିବାରୁ କୁମ୍ଭୀରମାନେ ଗ୍ରାମାଞ୍ଚଳ ନିକଟବର୍ତ୍ତୀ ନଦୀକୂଳରେ ବୁଲାବୁଲି କରୁଛନ୍ତି। ଏଣୁ ଏହି ସମୟରେ ନଦୀକୂଳକୁ ନଯିବା ପାଇଁ ଏବଂ ଶୌଚ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ନଦୀ ପାଣି ବ୍ୟବହାର ନକରିବାକୁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।
