
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା ।ସେ ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ। ସେ କଂଗ୍ରେସ ଟିକେଟ୍ରେ ୨୦୧୪ ନିର୍ବାଚିତ ହୋଇଥିଲେ।
ସେ ୧୯୫୯ ମସିହା ମାର୍ଚ୍ଚ ୧୮ରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା କଲିଜିଏଟ ସ୍କୁଲରେ ପାଠପଢ଼ା ଶେଷ ପରେ ମୟୂରଭଞ୍ଜ ଆଇନ କଲେଜରୁ ୧୯୮୨ ମସିହାରେ ଗ୍ରାଜୁଏସନ ଶେଷ କରିଥିଲେ । ଦେବେନ୍ଦ୍ରଙ୍କ ବାପା ଡ଼. ଦିବାକର ଶର୍ମା ୧୯୬୭ରେ ବିଧାୟକ ହୋଇଥିଲେ । ବାପାଙ୍କୁ ଅନୁସରଣ କରି ସେ ଜାତୀୟ କଂଗ୍ରେସରେ ସାମିଲ ହୋଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ମୁଖ୍ୟ ଏବଂ ଏଆଇସିସି ଏବଂ ଓପିସିସି ସଦସ୍ୟ ରହିଥିଲେ । ଦେବେନ୍ଦ୍ର ଶର୍ମା ଓଡ଼ିଶା କ୍ରିକେଟ୍ ସଂଘର ଜଣେ ସକ୍ରିୟ ସଦସ୍ୟ ମଧ୍ୟ ଥିଲେ । ଏହାସହ କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭାରତ ଏବଂ ଓଡ଼ିଶାରେ ଫୁଟବଲ୍ କ୍ଷେତ୍ରରେ ତାଙ୍କର ବଳିଷ୍ଠ କାର୍ଯ୍ୟ ପାଇଁ ବେସ ଜଣାଶୁଣା ଥିଲେ । ସସ୍ମିତା ମଲ୍ଲିକଙ୍କ ପରି ଅନେକ ଷ୍ଟାର ମହିଳା ଭାରତୀୟ ଫୁଟବଲ୍ ଖେଳାଳିଙ୍କୁ ଖେଳ ଜଗତରେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ସେ ଗରିବଶ୍ରେଣୀ ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ଥିବା ଡକ୍ଟର ଦିବାକର ଶର୍ମା ବାଳିକା ଉଚ୍ଚ ବିଦ୍ୟାଳୟ ଚଳାଉଥିଲେ । ଏହାସହ ଆଳିରେ ଗରିବଶ୍ରେଣୀର ପିଲାଙ୍କ ପାଇଁ ଥିବା ସତ୍ୟ ସାଇ ସ୍କୁଲର ପରିଚାଳନା କରୁଥିଲେ । ସେ ଆଳି କଲେଜର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
