ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାଜ୍ୟ ସ୍ୱାର୍ଥ ବିରୋଧୀ ଏମଏମଡିଆର ସଂଶୋଧନ ଆଇନ ରଦ୍ଦ ଦାବିରେ ଇଣ୍ଡିଆ ବ୍ଲକର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

blank
କେନ୍ଦ୍ରାପଡ଼ା, ୨୫/୦୮: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬କୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଓ ଜନ ବିରୋଧୀ ଆଖ୍ୟା ଦେଇ ଇଣ୍ଡିଆ ବ୍ଲକ ଅନ୍ତର୍ଗତ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ଏହି ଆହ୍ୱାନ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ମିଳିତ ପ୍ରତିବାଦ ସଭା ଓ ଧାରଣା ସଂଗଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଶୀର୍ଷ ନେତା ଓ କର୍ମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସଭାରେ ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ନୂତନ ଖଣିଜ ସଂଶୋଧନ ଆଇନ ଭାରତୀୟ ସମ୍ବିଧାନର ମୂଳ ଭିତ୍ତି ସଂଘୀୟ ଢାଞ୍ଚାକୁ ଦୁର୍ବଳ କରୁଛି। ଓଡ଼ିଶା ଭଳି ପ୍ରାକୃତିକ ଓ ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟମାନଙ୍କର ସାମ୍ବିଧାନିକ ତଥା ଆର୍ôଥକ ଅଧିକାରକୁ ଏହା ସଙ୍କୁଚିତ କରୁଛି। କେନ୍ଦ୍ର ସରକାର ରାଜ୍ୟର ଖଣିଜ ସମ୍ପଦ ଉପରୁ ଓଡ଼ିଶାର ନ୍ୟାୟସଙ୍ଗତ ଅଧିକାରକୁ ଛଡ଼ାଇ ନେଇ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ସୁବିଧା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ରାଜ୍ୟ ବିପୁଳ ପରିମାଣର ରାଜସ୍ୱ ହରାଇବ, ଯାହା ଓଡ଼ିଶାର ଅର୍ଥନୀତି, ବିକାଶ ଓ ଜନକଲ୍ୟାଣକାରୀ ଯୋଜନାକୁ ଗମ୍ଭୀର ଭାବେ ପ୍ରଭାବିତ କରିବ। ଏହାସହ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ, ବିଶେଷ କରି ଆଦିବାସୀ ଓ ଶ୍ରମିକମାନଙ୍କ ଜୀବନଜୀବିକା ଏବଂ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ଏହି ଆଇନ ଏକ ବଡ଼ ପ୍ରତିବନ୍ଧକ ସାଜିବ । ଓଡ଼ିଶା ବିପୁଳ ପରିମାଣର ରାଜସ୍ୱ ହରାଇବ। ଓଡ଼ିଶା କେନ୍ଦ୍ରର ଏକ ‘କରଜ ରାଜ୍ୟ’ରେ ପରିଣତ ନହେଉ ବୋଲି ସେମାନେ ଚେତାବନୀ ଦେଇଥିଲେ। ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ମୋହନ ସରକାର ରାଜ୍ୟର ଖଣିଜ ସମ୍ପଦକୁ କର୍ପୋରେଟ୍ ହାଉସ୍‌ମାନଙ୍କ ହାତରେ ଟେକି ଦେବାକୁ ଉଦ୍ୟମ କରୁଛି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ଏହି ବିଲ୍‌କୁ ଓଡ଼ିଶାରୁ ନିର୍ବାଚିତ ବିଜେପି ସାଂସଦମାନେ ସମର୍ଥନ କରି ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇଛନ୍ତି ବୋଲି ବକ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

blank

ସଭାରେ ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ରମଣୀ ରଞ୍ଜନ ରାଉତରାୟ, ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, କଂଗ୍ରେସ ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ବରିଷ୍ଠ ନେତା ପ୍ରଫୁଲ୍ଲ ଦାସ, ଆକବର ଅଲ୍ଲୀ, ଫକୀର ଖଟୁଆ, କୃଷ୍ଣପ୍ରିୟ ବାରିକ, ରବିନାରାୟଣ ବେହେରା, ଜ୍ୟୋତିରଞ୍ଜନ ପରିଡ଼ା, ରାଜୀବ ଲୋଚନ ମିଶ୍ର, ସିତାଂଶୁ ଲେଙ୍କା, ହରିଶ ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ସନ୍ତୋଷ ବେହେରା, ପ୍ରକାଶ ମହାନ୍ତି, ବିଦୁଭୂଷଣ ମହାପାତ୍ର ଓ କୈଳାସ ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସିପିଆଇ ପକ୍ଷରୁ ଆଦିକନ୍ଦ ରାଉଳ, ଅଜୟ ସାମଲ ଓ ଆହ୍ୱାନ ରାଉତରାୟ ଏବଂ ସିପିଆଇ(ଏମ୍‌) ପକ୍ଷରୁ ଜଗତଜୀବନ ଦାସ, ନରୋତ୍ତମ ପାର୍ଥସାରଥୀ, ସୋମନାଥ ବିଶ୍ୱାଳ, ଦିଲ୍ଲୀପ ପଣ୍ଡା ଓ ମାନଭଞ୍ଜନ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରତିବାଦ ସଭା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ପ୍ରତିବାଦକାରୀମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଏହି ଜନବିରୋଧୀ ଆଇନକୁ ତୁରନ୍ତ ସମ୍ପୂର୍ଣ୍ଣ ରଦ୍ଦ କରିବା, ରାଜ୍ୟର ଆର୍ôଥକ ସ୍ୱାୟତ୍ତତା ସୁରକ୍ଷିତ ରଖିବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଦାବିରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ମାଧ୍ୟମରେ ପ୍ରଦାନ କରାଯାଇଥିଲା। ପ୍ରତିବାଦକାରୀମାନେ ରାଜ୍ୟର ଖଣିଜ ସମ୍ପଦ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଏମଏମଡିଆର ସଂଶୋଧନ ଆଇନ–୨୦୨୬କୁ ତୁରନ୍ତ ରଦ୍ଦ କରିବାକୁ ଦାବି କରିଥିଲେ।ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ରତର କରାଯିବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading