
ପଟ୍ଟାମୁଣ୍ଡାଇ ୬/୯ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ବହୁ ଗୌରବରେ ଗୌରବାନ୍ୱିତ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ୪ଜଣ ଶିକ୍ଷକ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ପବିତ୍ର ଗୁରୁ ଦିବସ ତଥା ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ନଙ୍କ ଜନ୍ମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦିଆଯାଇଛି। ଏହି ବିଦ୍ୟାଳୟରୁ ଚାରି ଜଣ ସୁନାମ ଧନ୍ୟ ଶିକ୍ଷୟତ୍ରୀ/ଶିକ୍ଷକଙ୍କୁ ଶୁକ୍ରବାର ଏହି ପୁରସ୍କାର ଦିଆଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟର ଓ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ ମୋହନ ବାରିକ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲର ଇଂରାଜୀ ଶିକ୍ଷକ ସରୋଜ କୁମାର ସ୍ୱାଇଁ, ଗଣିତ ଶିକ୍ଷକ ତାପସ କୁମାର ବେହେରା, ସାମାଜିକବିଜ୍ଞାନ ଶିକ୍ଷୟତ୍ରୀ ଅନିତା ଧଳ, କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ଏଥି ପାଇଁ କୃତୀ ଶିକ୍ଷକମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
