
କେନ୍ଦ୍ରାପଡ଼ା,୮ା୩:ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତ ଓ ସ୍ୱାବଲମ୍ବୀ ହେଲେ ସମୃଦ୍ଧ ଓଡ଼ିଶା ଗଠନ ସମ୍ଭବ ବୋଲି କହିଥିଲେ। ସେ ପୁରୀଠାରୁ ଆଭାସୀ ମାଧ୍ୟମରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଅନୁସାରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ହସ୍ତାନ୍ତର କରିଥିଲେ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଭଦ୍ରା ହିତାଧିକାରୀ ଓ ଉପସ୍ଥିତ ମହିଳାମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସର ଅଭିନନ୍ଦନ ଜଣାଇଥିଲେ। ସେ ସୁଭଦ୍ରା ଯୋଜନାର ଅର୍ଥକୁ ସୁବିନିଯୋଗ କରି ସ୍ୱାବଲମ୍ବୀ ହେବା ସହ ଆର୍ôଥକ ଭାବେ ସଶକ୍ତ ହେବାକୁ ଆହ୍ୱାନ କରିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜରାୟୁ ଗ୍ରୀବା କର୍କଟ ରୋଗ ପ୍ରତିରୋଧ ପାଇଁ ଦିଆଯାଉଥିବା ମାଗଣା ଟିକାକରଣ କାର୍ଯ୍ୟକ୍ରମରେ୧୪–୧୫ ବର୍ଷ ବୟସର କିଶୋରୀମାନଙ୍କୁ ସମ୍ମିଳିତ କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବ କ୍ରିଷ୍ଣ ଜେନା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେପୁଟି ମ୍ୟାନେଜର ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଅନୁସାରେ ୩ ଲକ୍ଷ ୮୨ ହଜାର ୮୨ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସୁଭଦ୍ରା ଅର୍ଥରାଶିକୁ ସୁବିନିଯୋଗ କରି ସ୍ୱାବଲମ୍ବୀ ଓ ସଶକ୍ତ ହୋଇଥିବା ୫ ଜଣ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ସିଡିପିଓ, ସୁପରଭାଇଜର, ସୁଭଦ୍ରା ହେଲ୍ପ ଡେସ୍କ, ମମତା ଯୋଜନାର ପ୍ରୋଗ୍ରାମ ଅଫିସର, ପୋଷଣ କର୍ମୀ, ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ନାରୀ ସଶକ୍ତିକରଣ ବିଷୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଓ ସୁଭଦ୍ରା ହିତାଧିକାରୀମାନେ ଯୋଗ ଦେଇଥିଲେ।
