
କେନ୍ଦ୍ରାପଡ଼ା,୨୪ା୮:କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅଞ୍ଚଳରୁ ଜଣେ ବିବାହିତ ମହିଳାଙ୍କୁ ହାଇଦ୍ରାବାଦକୁ ଅପହରଣ କରି ନେଇ ସେଠାରେ ୬ ଜଣ ଗଣ ବଳାତ୍କାର କରିଛନ୍ତି। ଏ ନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଏତଲା ଦେବା ପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ନିକିରାଇ ଥାନା ସଚଂଳର ବିକାଶ ମଳିକ, ରାଜନଗର ବାବୁ ମଳିକ, ପ୍ରଶାନ୍ତ ମଳିକ ତାଙ୍କୁ ନିଶାଦ୍ରବ୍ୟ ସୁଙ୍ଘାଇ ହାଇଦ୍ରାବାଦ ନେଇ ଯାଇଥିଲେ। ହାଇଦ୍ରାବାଦରେ ଏହି ଅଭିଯୁକ୍ତମାନଙ୍କର ଅନ୍ୟ ତିନି ଜଣ ସହଯୋଗୀ ଥିଲେ। ସେଠାରେ ପ୍ରଥମେ ବିକାଶ ବଳାତ୍କାର କରିଥିଲେ। ଏହାପରେ ଅନ୍ୟମାନେ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କୁ ବାରଣ କରିବାରୁ ସେମାନେ ନିଆଁ ଚେଙ୍କ ଦେଇ ଜଣଙ୍କ ପରେ ଜଣେ ଏହିପରି ୬ ଜଣ ବଳାତ୍କାର କରିଥିଲେ। ଏଥିସହ ମହିଳା ପିନ୍ଧିଥିବା ସୁନାଗହଣା ଲୁଟି ନେଇଥିଲେ। ମହିଳାଙ୍କୁ ଖାଇବାକୁ ମଧ୍ୟ ଦେଇ ନଥିଲେ। ବହୁ କଷ୍ଟରେ ମହିଳା ଜଣକ ତାଙ୍କ ଭାଇଙ୍କୁ ଫୋନ କରିଥିଲେ। ତାଙ୍କ ଭାଇ ହାଇଦ୍ରାବାଦରେ ପହଞ୍ଚିବା ପରେ ସେଠାରୁ ମହିଳାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ଛାଡି ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ମହିଳା ଜଣକ ପୋଲିସକୁ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ଗଣ ବଳାତ୍କାର ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଏସ୍ପିଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଦଳ ଗଠନ ହୋଇଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ। ଏ ସଂକ୍ରାନ୍ତରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁଙ୍କୁ ପଚାରିବାରୁ ସେ କହିଲେ ଏହି ଘଟଣାକୁ ଆମେ ଗୁରୁତର ସହ ଗ୍ରହଣ କରିଛୁ। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
