
କେନ୍ଦ୍ରାପଡା ୬/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦ୍ରୁତ ସହରୀକରଣ ଯୋଗୁଁ ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେତେକ ପ୍ରଭାବଶାଳି ଲୋକ ସହର ଓ ଏହାର ନିକଟବର୍ତୀ ଅଂଚଳର ସରକାରୀ ଜମି ଓ ଜଳାଶୟ ଭଳି ପ୍ରାୟ ୨ ଶହ ଏକର ଜମି ଜବରଦଖଲ କରି ବିକ୍ରୀ କରାଯାଇଛି। ଏଠାକାର ଜମି ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ କେତେଜଣ ମୁଷ୍ଠିମେୟ ବ୍ୟକ୍ତିଙ୍କ ପାଇଁ ସରକାରୀ ଜମି ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି । ଏପରିକି ଓଏଲଆର ୮(ଏ) ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରି କେତେକ ପ୍ରଭାବଶାଳୀଙ୍କ ଲକ୍ଷାଧିକ ଟଙ୍କା ହାତଗୁଞ୍ଜା ନେଇ ହେରଫେର କରିଛନ୍ତି। ଏନେଇ ତଦନ୍ତ କରାଗଲେ ମଧ୍ୟ ତାକୁ କଳେବଳେ କୌଶଳେ ଚାପି ଦିଆଯାଉଛି। ଏଭଳି ବେଆଇନ ଜବରଦଖଲ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ ଜିଲା ପ୍ରସାଶନ ଉଦ୍ଦେଶ୍ୟମୂଳକ ଭାବେ ନୀରବ ରହୁଥିବା ଅଭିଯୋଗ ହେଉଛି।
ସାମଜିକକର୍ମୀ ଅନନ୍ତ ଦାଶ, ପ୍ରବୀର ନାୟକ କୁହନ୍ତି ଅତିତରେ ପଟ୍ଟାମୁଣ୍ଡାଇ ସହର ଭିତରେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଏକ ବିରାଟ ବ୍ୟବସାୟିକ ପ୍ରତିଷ୍ଠାନ ଭାଙ୍ଗିବା କାମ ଆରମ୍ଭ ହୋଇଥିଲା । ଏନଏସି ପକ୍ଷରୁ କେବଳ ଲିଜ୍ ବାହାରେ ଥିବା ଦୋକାନ ଘର ଉଚ୍ଛେଦ କରାଯାଇଥିଲା । ମାତ୍ର ୨୦୦୭ରେ ୧.୫ ଏକର ଜମିକୁ ଲିଜ୍ ନେଇ ଏକ ଘରୋଇ ସଂସ୍ଥା ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରିଥିଲେ । ସରକାରୀ ଚୁକ୍ତି ଖିଲାପ ଅଭିଯୋଗରେ ଓଏସଆରଟିସି କର୍ତୃପକ୍ଷ ଉକ୍ତ ଲିଜ ବାତିଲ କରି ୨୦୨୧ରେ ନିଜ ଅକ୍ତିଆରକୁ ନେଇଛି । ହେଲେ ଏହି ବଜାରରେ ରହିଥିବା ଅନେକ ଗୃହନିର୍ମାଣ ସରକାରୀ ଜମିରେ ହୋଇଛି । ସେ ସବୁକୁ ଉଚ୍ଛେଦ ପାଇଁ ତହସିଲଦାର କାହିଁକି ଉଦ୍ୟମ କରୁ ନାହାନ୍ତି ତାହାକୁ ନେଇ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଛି ।
ଆଇନଜିବୀ ସୌମ୍ୟରଞନ ଧଳ, ପ୍ରବୀର ପାତ୍ର କୁହନ୍ତି ବଜାରର ଚାରିପାଖରେ ଥିବା ସମସ୍ତ ସରକାରୀ ଜମି ଜବରଦଖଲ କବ୍ଜାରେ ରହିଛି । ପରିଣାମ ସ୍ୱରୂପ ଏଠାରେ ଯେକୌଣସି ସରକାରୀ କାର୍ଯ୍ୟାଳୟଟିଏ ସ୍ଥାପନ କରିବାକୁ ଜମିର ଉତ୍କଟ ଅଭାବ ଦେଖିବାକୁ ମିଳୁଛି। ଏପରିକି ବଜାରରେ ଜମି ଅଭାବ ପାଇଁ ପ୍ରସ୍ତାବିତ ଆଦର୍ଶ ଥାନା, ପାଠାଗାର ନିର୍ମାଣ ହୋଇ ପାରୁନାହିଁ। ମୁଖ୍ୟାଳୟରୁ ଅନେକ ଦୂରରେ ବିଭିନ୍ନ ସରକାରୀ ଦପ୍ତର ହୋଇଛି । ହେଲେ ବଜାର ପାଖ ପ୍ରାୟ ୧୫ ଏକରରୁ ଅଧିକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଶାବକ ଖାତାକୁ ନଜର କଲେ ୧୯୩୦/୧୯୮୦ ବନ୍ଦୋବସ୍ତରେ ସାମିଲ୍ ଥିବା କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତକରି କେତେଜଣ ପ୍ରଭାବଶାଳୀ ଲୋକ ବେଆଇନ୍ ଭାବେ ଜମିର ପଟ୍ଟା କରି ନେବାରେ ସକ୍ଷମ ହୋଇଛନ୍ତି । ଅନ୍ୟ କେତେକ ଜମିକୁ ଲୋକେ ବଳ ପୂର୍ବକ ନିଜ ଦଖଲରେ ରଖିଛନ୍ତି ।
ଏ ସମ୍ପର୍କରେ ମାନବ ଅଧିକାର କର୍ମୀ ସୁଶାନ୍ତ କୁମାର ଧଳ କହିଛନ୍ତି ବେଲତଳ ମଉଜାର ଶାବକ ଖତିଆନ୍ ନଂ-୭୧୮,ଦକ୍ଷିଣଦୀଆ ମଉଜାର ସାବକ ଖାତା ନଂ ୨୫୩, ପଟ୍ଟାମୁଣ୍ଡାଇ ମଉଜାର ସାବକ ଖାତା ନଂ -୧୧୦ ଓ ୨୫୫ , ୧୯୩୦ ମସିହାରେ ହୋଇଥିବା ବନ୍ଦୋବସ୍ତରେ ବ୍ୟାପକ ହେରଫେର ଓ ଚଂଚକତା କରାଯାଇ ବହୁ ମୂଲ୍ୟବାନ ସରକାରୀ ଜମି ଓ ଡିସ୍ଟବୋର୍ଡ ଓ ନଦୀଜମି ହଡପ କରାଯାଇଛି । ଶାବକ ଓ ହାଲ୍ ଖାତାକୁ ନିରୀକ୍ଷଣ କଲେ ସେଠାରେ ଜମି ଜାଲିଆତିର ପରଦା ଖୋଲିବ ବୋଲି କେତେକ ଲୋକେ ୧୯୩୦ ମସିହା ନକ୍ସା ବାହାର କରିବା ପାଇଁ ଲାଗିପଡିଛନ୍ତି। ଏହି ଜମି ମଧ୍ୟରୁ ଅଧିକାଂଶ ନଦୀ ଓ ଅନାବାଦୀ କିସମର ହୋଇଥିବା ବେଳେ କେତେ ଜଙ୍ଗଲ ଓ ଗୋଚର କିସମରହିଛି ବୋଲି ଜଣାପଡିଛି ।
ସୂଚନା ମୁତାବକ ୨୦୧୦ ରୁ ୨୦୧୯ ମସିହା ମଧ୍ୟରେ ତହସିଲ ପକ୍ଷରୁ ଜବରଦଖଲକାରୀଙ୍କୁ ଫାରମ୍ (ଖ)ରେ ଉଚ୍ଛେଦ ନୋଟିସ ଜାରି ହୋଇଥିଲା। ଏହି ସଂଖ୍ୟା ଏବେ ତିନିଗୁଣା ଅତିକ୍ରମ କରି ସାରିଛି । ମାତ୍ର ସେଗୁଡିକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଆଗଭର ହେଉ ନ ଥିବାରୁ ନୋଟିସ ହୋଇଥିବା ଘର ଉପରେ ମହଲା ନିର୍ମାଣ ହେଉଛି । ମୂଲ୍ୟବାନ ସମସ୍ତ ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ତହସିଲ କର୍ତୃପକ୍ଷଙ୍କ ନିକଟରେ ସାଧାରଣରେ ଦାବି ହେଉଛି । ଏନେଇ ତହସିଲଦାର ପଂଚାନନ ନାୟକଙ୍କୁ ପଚାରିବାରେ ଜବରଦଖଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
