ପଟ୍ଟାମୁଣ୍ଡାଇରେ ବନ୍ୟା ; ବିଗତ ୨୪ ଘଂଟା ମଧ୍ୟରେ ନଦୀର ଜଳସ୍ତର ସାମାନ୍ୟ ହ୍ରାସ , ୧୪ ପଂଚାୟତ ଓ ୧୧ ୱାର୍ଡ ଜଳମଗ୍ନ,

blank
ପଟ୍ଟାମୁଣ୍ଡାଇ ୧/୮  – ବ୍ରାହ୍ମଣୀ ନଦୀରେ ବନ୍ୟାଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଏବଂ ପୌରାଂଚଳର ୧୧ଟି ୱାର୍ଡର ହଜାର ହଜାର ଲୋକ ସମ୍ପୂର୍ଣ୍ଣ ବିପନ୍ନ ହୋଇପଡ଼ିଛନ୍ତି। ଯଦିଓ ବିଗତ ୨୪ ଘଂଟା ମଧ୍ୟରେ ନଦୀର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି, ତଥାପି ବନ୍ୟା ଘେରରେ ଥିବା ବିପନ୍ନଙ୍କ ଦୁର୍ଦ୍ଦଶା କମିବା ବଦଳରେ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ପାଣି ଗାଁ ଦାଣ୍ଡ, ଘରଦ୍ୱାର ଓ ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ଲହଡ଼ି ଭାଙ୍ଗୁଥିବାରୁ ଅନେକ ଅଂଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଗରିବ ଖଟିଖିଆ ମଜୁରିଆ ଲୋକେ ବହୁ ହିନସ୍ଥାରେ କାଳତିପାତ କରୁଛନ୍ତି । ଘରେ ପାଣି ପଶିଯିବାରୁ ରନ୍ଧାବଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସୁଦ୍ଧ ପିଇବା ପାଣିର ଘୋର ଅଭାବ ସାଙ୍ଗକୁ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବାରୁ ଅନ୍ଧାର ମଧ୍ୟରେ ବିପନ୍ନମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଛୋଟ ଛୋଟ ପିଲା, ବୃଦ୍ଧାବୃଦ୍ଧ ଓ ରୋଗୀମାନଙ୍କୁ ନେଇ ପରିବାରଗୁଡ଼ିକ କୋଠା ଛାତ, ନଦୀବନ୍ଧ ଏବଂ ଉଚ୍ଚ ସ୍ଥାନମାନଙ୍କରେ ଅସହାୟ ଭାବେ ପାଲ ଟାଙ୍ଗି ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇଦେବାରେ ପ୍ରଶାସନିକ ତ୍ରୁଟି ଦେଖାଦେଇଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି। ଅନେକ ଦୁର୍ଗମ ଓ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ଗାଁଗୁଡ଼ିକରେ ଏପର୍ଯ୍ୟନ୍ତ ପ୍ରଶାସନିକ ରିଲିଫ୍ କି ଗୋଖାଦ୍ୟ ପହଂଚି ନଥିବା ଅଭିଯୋଗ ହୋଇଛି।
ପଟ୍ଟାମୁଣ୍ଡାଇର ପ୍ରଭାବିତ ଅଂଚଳଗୁଡ଼ିକରେ ତୁରନ୍ତ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ବିତରଣ କେନ୍ଦ୍ର ଖୋଲିବା, ସୁଦ୍ଧ ପିଇବା ପାଣି ଟ୍ୟାଙ୍କର ଓ ହାଲୋଜିନ ବଟିକା ଯୋଗାଇଦେବା ଏବଂ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ବିପନ୍ନମାନେ ଦାବି କରିଛନ୍ତି। ଏହାସହ ବନ୍ୟା ପାଣିରେ ସାପ ଓ ଅନ୍ୟାନ୍ୟ ବିଷାକ୍ତ ଜୀବଜନ୍ତୁଙ୍କ ଭୟ ଥିବାରୁ ପ୍ରଶାସନ ବୋଟ୍ ଜରିଆରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପର୍ଯ୍ୟାପ୍ତ ରିଲିଫ୍ ବଂଟନ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବାନୀ ଦେଇଛନ୍ତି ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading