
ପଟ୍ଟାମୁଣ୍ଡାଇ ତା ୬/୭- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ୟୁ କେ ବ୍ୟାଙ୍କରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି । ଗତକାଲି ରାତି ପ୍ରାୟ ୨ଟା ସମୟରେ ଚୋରମାନେ ବ୍ୟାଙ୍କ ସଟର ଓ ଗ୍ରିଲ ତାଲା ଭାଙ୍ଗି ବ୍ୟାଙ୍କ ମଧ୍ୟରେ ପ୍ରବେଶ କରି ବିଭିନ୍ନ ଲକର ଓ ତାଲା ଭାଙ୍ଗି କାଗଜପତ୍ର ଓ ଆସବାବପତ୍ର ନଷ୍ଟ କରି ଦେଇଥିଲେ । ମୁଖ୍ୟ ଲକର ଭାଙ୍ଗିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ବ୍ୟାଙ୍କ ମଧ୍ୟରୁ ସୁନା ଟଙ୍କା ଚୋରୀ କରିବା ସମ୍ଭବ ହୋଇପାରିନାହିଁ । ଆଜି ସକାଳେ ସ୍ଥାନୀୟ ଜନସାଧାରଣ ବ୍ୟାଙ୍କ ସଟର ଓ ଗ୍ରିଲ ଭଙ୍ଗା ଯାଇଥିବା ଦେଖି ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କୁ ଖବର ଦେଇଥିଲେ । ସରପଞ୍ଚ ଘଟଣାସ୍ଥଳରେ ପହଂଚି ବ୍ୟାଙ୍କ ପରିଚାଳକ ଓ ପୋଲିସକୁ ଖବର ଦେଇଥିଲେ । ବଡ଼ମୂଳବସନ୍ତ ୟୁ କୋ ବ୍ୟାଙ୍କ ପରିଚାଳକ ଆଲୋକ ରଞ୍ଜନ ନାୟକ ବ୍ୟାଙ୍କ ଚୋରୀ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ ।କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆ ଖବର ପାଇ ଏହି ବ୍ୟାଙ୍କ ଚୋରୀ ଘଟଣା ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ପଠାଇଥିଲେ । ପଟ୍ଟାମୁଣ୍ଡାଇ ଆଇ ଆଇ ସି ବନ୍ଦନା ପାତ୍ର ସାଇଣ୍ଟିଫିକ ଟିମ ସହିତ ୟୁ କୋ ବ୍ୟାଙ୍କରେ ପହଂଚି ସି ସି ଟି ଭି ଆଧାରରେ ଚୋରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ବଡ଼ମୂଳବସନ୍ତ ପଂଚାୟତ ଅଫିସ ଗ୍ରିଲ ଓ ସଟର ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କାର କମ୍ପୁଟର, ଜେରକ୍ସ ମ୍ୟାସିନ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ । ଏହି ପଞ୍ଚାୟତ ଅଫିସ ଚୋରୀ ମାମଲା ତଦନ୍ତାଧୀନ ଥିବାବେଳେ ବ୍ୟାଙ୍କ ଚୋରୀ ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।
