- ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ତତ୍ପର ବିଭାଗ,
- କେନାଲ ଜଳ ଯୋଗାଣ,
- ନିର୍ମାଣଧୀନ ମେଗା ପ୍ରକଳ୍ପର ସମୀକ୍ଷା,
- ବ୍ୟାରେଜ୍ ନିର୍ମାଣର ଆକଳନ

ପଟ୍ଟାମୁଣ୍ଡାଇ ୨୫/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦୀର୍ଘଦିନରୁ ଲାଗିରହିଥିବା ଜଳସେଚନ, ବନ୍ୟା ଜଳ ନିଷ୍କାସନ ଏବଂ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ବିଧାନସଭାରେ ଦୃଷ୍ଟି ଆକର୍ଷଣ କରିବା ପରେ ତତ୍ପରତା ପ୍ରକାଶ ପାଇଛି। ଏହାକୁ ଗୁରୁତ୍ୱର ସହ ନେଇ ଶନିବାର ପୂର୍ବାହ୍ନରେ ଜଳ ସମ୍ପଦ ବିଭାଗର ଉଚ୍ଚ ଅଧିକାରୀମାନେ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସମ୍ବେଦନଶୀଳ ଓ ପ୍ରକଳ୍ପ ସ୍ଥଳ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିଦର୍ଶନ କାଳରେ ଅଧିକାରୀମାନେ ବ୍ରାହ୍ମଣୀ ନଦୀର ଅଳଭା ଲକ୍ ଦେଇ ଗୋବରୀ କେନାଲ ସମେତ ଏହାର ଶାଖା କେନାଲଗୁଡ଼ିକୁ ସୁଚାରୁରୂପେ ଜଳ ଯୋଗାଣ କରିବା ପାଇଁ ବିସ୍ତୃତ ଆକଳନ କରିଥିଲେ। ଏଥିସହିତ ଅଧିକାରୀ ଦଳ ଶ୍ରୀରାମପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୂଳରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପର ଇନଟେକ ୱେଲ୍ କାର୍ଯ୍ୟ ସମୀକ୍ଷା କରି ଅନୁଧ୍ୟାନ କରି ପାଳପାଳପାଟଣା ଗ୍ରାମ ନିକଟରେ ଏକ ନୂତନ ବ୍ୟାରେଜ୍ ନିର୍ମାଣ କରଯାଏ ତେବେ ମେଗା ଜଳ ପ୍ରକଳ୍ପକୁ ଉପେଯାଗୀ ହୋଇପାରିବ ବୋଲି ସେମାନେ ଜାଣିବାକୁ ପାଇଥିଲେ। ସେହିପରି ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ଓ ବନ୍ୟା ସମସ୍ୟାର ରୋକଥାମ ପାଇଁ ମଦନପୁର କଟ୍ ଏବଂ ନାରଣପୁର ଲକ୍ ନିକଟରେ ପହଁଚି ବନ୍ୟା ଜଳ ନିଷ୍କାସନ ବ୍ୟବସ୍ଥାର ତଦାରଖ କରିଥିଲେ। ଅଂଚଳବାସୀଙ୍କୁ ଜଳସେଚନ, ସୁରକ୍ଷିତ ପାନୀୟ ଜଳ ଓ ବନ୍ୟା କବଳରୁ ମୁକ୍ତି ଦେବା ପାଇଁ ସମସ୍ତ ଯୋଜନାକୁ ଅବଶ୍ୟକ ଓ ବୌଶୟୀକ ଅନୁଧ୍ୟାନ କରି ସୁଚାରୁପେ କାର୍ଯ୍ୟାନ୍ୱୟନ କରିବାକୁ ସେମାନେ ସରକାରଙ୍କ ନିକଟ ପ୍ରସ୍ତାବ ରଖିବାକୁ ରାଜ୍ୟ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଅବିନାଶ ରାଉଳ ମତବ୍ୟକ୍ତ କରିଥିଲେ । ଏହି କ୍ଷେତ୍ର ପରିଦର୍ଶନ ସମୟରେ ରାଜନଗରତ ବିଧାୟକ ଧ୍ରୁବ ସାହୁ, ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ, ଅବିନାଶ ରାଉଳ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାର ମୁଖ୍ୟଯନ୍ତ୍ରୀ ହରେକୃଷ୍ଣ ବେହେରା, ମେଗା ଉଠା ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ମନୋଜ ବେହେରା, କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜେଶ ମଲ୍ଲିକ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ମ୍ୟୁନିସପାଲିଟି ଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗର ସହନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ ଓ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଦିପ୍ତିରଞ୍ଜନ ବେହୁରା, ସୁନିଲ ନାୟକଙ୍କ ସମେତ ସ୍ଥାନୀୟ ଯନ୍ତ୍ରୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
