
କେନ୍ଦ୍ରାପଡ଼ା, ୭ା ୩: କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ଶନିବାର ଦିନ ବହୁ ପୁରାତନ ଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଆରଧ୍ୟା ଦେବତା ଶ୍ରୀ ମା ଥାନପତି ଠାକୁରାଣୀଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଦୋଳ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣ ଉତ୍ସବରେ ମୀରପାଟଣା ଗ୍ରାମ ଦେବତୀଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୧୪ଟି ବିମାନ ଯୋଗଦେଇଥିଲେ । ଚାଟରାପାଟଣାର ରାଧାଗୋବିନ୍ଦଜୀଉ, ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, ଗୁଲନଗର ମଦନମୋହନ ଜୀୟୁ, ମୀର ପାଟଣା ଗ୍ରାମର ବାସୁଦେବ ଜୀୟୁ, ମନମୋହନ ପଣ୍ଡା ରାଧାକୃଷ୍ଣ, ପ୍ରବୀର ଦାସଙ୍କ ରାଧାକୃଷ୍ଣ, ପୁରୁଣା ବସଷ୍ଟାଣ୍ଡର ଲକ୍ଷ୍ମୀନାରାୟଣ ମନ୍ଦିରର ରାଧାକୃଷ୍ଣ, ବଣିଆମାଳର ତ୍ରିପାଠୀ ସାହି ରାଧାକୃଷ୍ଣ ଓ ନୃସିଂହଜୀଉ, କାକଟର ରାଧାମାଧବଜୀଉ, କାକଟ ଚନ୍ଦ୍ରଶେଖର, ଭିଂପୁର ରାଧାକୃଷ୍ଣ ପ୍ରମୁଖ ସେମାନଙ୍କ ନିଜ ନିଜର ବିମାନରେ ପାରମ୍ପରିକ ବାଦ୍ୟ ସହ ଶୋଭାଯାତ୍ରାରେ ସହର ପରିକ୍ରମା କରି ମିରପାଟଣା ମେଳଣ ପଡିଆରେ ଅବସ୍ଥାପିତ ହୋଇଥିଲେ । ପୂର୍ବାହ୍ନ ୩ଟା ବେଳେ ସମସ୍ତ ଠାକୁରଙ୍କୁ ଭୋଗ ଲାଗି କରାଇବା ପରେ କମିଟିର ସଭାପତି ପୂର୍ବତନ ନଗରପାଳ ଆଇନଜୀବୀ ଧିରେନ କୁମାର ସାହୁ ସମସ୍ତ ବିମାନ ଠାକୁରଗୁଡିକୁ ଅଭିର ଲାଗି କରାଇ ପ୍ରଣାମୀ ମାହାସୁଲ ଅର୍ପଣ କରିଥିଲେ । ଏହାପରେ ସମସ୍ତ ବିମାନମାନ ନିଜ ନିଜ ମନ୍ଦିରକୁ ଫେରିଯାଇଥିଲେ । ଏହି ଅବସରରେ ମାଥାନପତି ଭଜନ ସନ୍ଧ୍ୟାର କଳାକାରଙ୍କ ଦ୍ୱାର ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମେଳଣ ଦେଖିବା ପାଇଁ ସହର ଓ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ପୌରଅଧ୍ୟକ୍ଷ ଧିରେନ କୁମାର ସାହୁଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ ଚକ୍ରଧର ଦାସ, ସୌମେନ୍ଦ୍ର ପୃଷ୍ଟି, ରାହୁଳ ରମଣ ବେହେରା, ରଞ୍ଜିତ ଦାସ, ପ୍ରଭାତ ରଞ୍ଜନ ଦାସ, ପୂର୍ଣ୍ଣ ଚନ୍ଦ୍ର ମାଝି, ପ୍ରଭାତ ବିଶ୍ୱାସ, ମନମୋହନ ପଣ୍ଡା, ଗୌରାଙ୍ଗ ମହାରଣା, ବାସୁଦେବ ମହାରଣା, ରାମଚନ୍ଦ୍ର ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ ।
