
ଡେରାବିଶ ୧୧/୭-ବେବର୍ତ୍ତା ଅଜୟ ଦାଶ – କେନ୍ଦ୍ରାପଡା ସଦର ଥାନା ଦାନପୁର ପଞ୍ଚାୟତ ଦୋହଳୀ ମିନି ଷ୍ଟାଡିୟମ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତକ ଜଣକ ଏହି ପଞ୍ଚାୟତ କେଶରପୁର ଗ୍ରାମର ପ୍ରମୋଦ କୁମାର ସେଠୀ ବୋଲି ଚିହ୍ନଟ କରାଯାଇଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଅଭିଯୋଗରୁରୁ ପ୍ରକାଶ ଯେ ଦାନପୁର ପଞ୍ଚାୟତ କେଶରପୁର ଗ୍ରାମର ସ୍ୱର୍ଗତ କୃଷ୍ଣଚନ୍ଦ୍ର ସେଠୀଙ୍କ ପୁଅ ପ୍ରମୋଦ କୁମାର ସେଠୀ (୫୮) ଚାନ୍ଦୋଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ଇଟା କାରଖାନାରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରନ୍ତି। ସବୁଦିନ ଭଳି ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ଘରୁ ଖାଇସାରି ପ୍ରମୋଦ ଏକ ସାଇକେଲ ଯୋଗେ ଇଟା କାରଖାନା ଅଭିମୁଖେ ବାହାରି ଯାଇଥିଲେ।ରାତି ପ୍ରାୟ ୧୧ ଟା ସମୟରେ ପରିବାରଙ୍କ ପକ୍ଷରୁ ପ୍ରମୋଦଙ୍କ ନିକଟକୁ ଫୋନ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ପ୍ରମୋଦ ନିଦରେ ଶୋଇ ପଡିଥିବା ଘର ଲୋକ ଭାବି ନେଇଥିଲେ। ତେବେ ଶୁକ୍ରବାର ପ୍ରତ୍ୟୁଷରେ ପ୍ରମୋଦ ଘରକୁ ନ ଫେରିବା ଓ ସେ ଗୁରୁବାର ରାତିରେ ଇଟା କାରଖାନାକୁ ଯାଇ ନ ଥିବା ଜଣାପଡିବା ପରେ ପରିବାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଶୁକ୍ରବାର ଅପରାହ୍ନରେ ଦୋହଳୀ ବନମାଳୀ ବ୍ରହ୍ମଚାରୀ ଆଦର୍ଶ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ମିନି ଷ୍ଟାଡିୟମ ନିକଟରେ ଥିବା ଏକ ପରିତ୍ୟକ୍ତ ଗୃହ ଭିତରେ ଏକ ସାଇକେଲ ପଡିଥିବା ଦେଖିବାକୁ ମିଳିଥିଲା। ଉକ୍ତ ସାଇକେଲ ନିକଟକୁ ଯିବାରୁ ପ୍ରମୋଦର ମୃତଦେହ ସେଇ ପରିତ୍ୟକ୍ତ ଗୃହରେ ପଡ଼ିଥିବା ଦେଖିବାକୁ ଯାଇଥିଲା । ଉକ୍ତ ଖବର ପ୍ରଚାରିତ ହେବା କ୍ଷଣି ଷ୍ଟାଡିୟମ ନିକଟରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଚାନ୍ଦୋଳ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିତ୍ୟକ୍ତ ଗୃହରୁ ପ୍ରମୋଦର ମୃତଦେହ ବାହାରକୁ ଅଣା ଯାଇଥିଲା।ମୃତ ପ୍ରମୋଦର ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଅନତି ଦୂରରେ ଷ୍ଟାଡିୟମ ପାହାଚ ଉପରେ ଏକ ରକ୍ତଛିଟା ଲାଗିଥିବା ଭଙ୍ଗା ଇଟା ପଡିଥିବା ଦେଖିବାକୁ ମିଳିଥିଲା। ଅନୁରୂପ ଭାବେ ସେହି ସ୍ଥାନରେ ପ୍ରମୋଦ ର ମୋବାଇଲ୍ ପଡିଥିବାର ମଧ୍ୟ ନଜରକୁ ଆସିଥିଲା। ପାରିପାର୍ଶ୍ୱିକ ଅବସ୍ଥାରୁ ଅନୁଧ୍ୟାନ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ପ୍ରମୋଦ ର ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।ପରେ ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ଶୁଭେନ୍ଦୁ ସାହୁଙ୍କ ସମେତ ପୋଲିସ ଅଧିକାରୀ ମାନେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତକୁ ଅନୁଧ୍ୟାନ କରିବା ସହିତ ମୃତ ପ୍ରମୋଦର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଶନିବାର ଶବ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତେବେ କେଉଁ ପରିସ୍ଥିତିରେ ଏଭଳି ହତ୍ୟାକାଣ୍ଡ ଘଟିଲା ଓ ଏଥିରେ କେଉଁ ମାନେ ସଂପୃକ୍ତ ଅଛନ୍ତି ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।
