
କେନ୍ଦ୍ରାପଡ଼ା,୨୩ା୩: ସଂସ୍କୃତି ଭବନରେ ଚାଲିଥିବା ପଞ୍ଚମ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ରବିବାର ୫ଟି ଅଧିବେଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାହିତ୍ୟିକମାନେ ଯୋଗ ଦେଇ ବୈାଦ୍ଧିକ ଚର୍ଚ୍ଚା କରିଥିଲେ। ‘କାହାଣୀହୀନ ଜୀବନ ଓ କାହାଣୀ ପରି ଗପ’ ଅଧିବେଶନରେ ରବି ସ୍ୱାଇଁ, ଗିରିଶ ଚନ୍ଦ୍ର ସାହୁ, ଅର୍ଣ୍ଣପୂର୍ଣ୍ଣା ମହାନ୍ତି ଓ ଅମରେଶ ବିଶ୍ୱାଳ ଭାଗ ନେଇଥିଲେ। ‘ଜୀବନ, ସୃଜନ ଓ ସାୟାହ୍ନ’ ଶୀର୍ଷକ ଆଲୋଚନାରେ ବୈକୁଣ୍ଠ ନାଥ ସାହୁ, ମୋହନ ଚରଣ ଜେନା ଓ ମନ୍ମଥ ବରାଳ ଭାଗ ନେଇଥିଲା ବେଳେ ବୈଜୟନ୍ତୀମାଳା ହରିଚନ୍ଦନ ସଂଯୋଜନା କରିଥିଲେ। ‘ସୃଜନ, ଅର୍ଜନ ଓ ଆହ୍ୱାନ: ଓଡ଼ିଆ ସାହିତ୍ୟ ପତ୍ରିକାର ସ୍ଥିତି’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ରମାକାନ୍ତ ଜେନା, ଶ୍ରୀଧର ସାମଲ, ପବିତ୍ର ବ୍ରହ୍ମପୁତ୍ର ନାୟକ ଓ ପ୍ରଦୀପ ନାୟକ। ‘ବୃତ୍ତି, ପ୍ରବୃତ୍ତି ଓ ନିବୃତ୍ତିି’ ଶୀର୍ଷକ ଆଲୋଚନାଚକ୍ରରେ ସ୍ୱୟଂପ୍ରଭା ସାହୁ, ନିରୂପମା ସ୍ୱାଇଁ, ଡାକ୍ତର ଇପ୍ସିତା ପ୍ରଧାନ ଓ ସୁନନ୍ଦା ପ୍ରଧାନ ଭାଗ ନେଇଥିଲେ। ‘ପ୍ରତିଶ୍ରୁତିର କାବ୍ୟାକ୍ଷର: ୯ କବି ଓ ୯ କବିତା’ ଶୀର୍ଷ ଅଧିବେଶନରେ ଅତିଥି ଭାବେ ବିନାୟକ ପ୍ରଧାନ ଯୋଗ ଦେଇଥିଲା ବେଳେ ସଂଯୋଜନା କରିଥିଲେ ପ୍ରେମାନନ୍ଦ ଖଣ୍ଡୁଆଳ ଓ ସୁକାନ୍ତ କୁମାର ପ୍ରଧାନ। ବିଶିଷ୍ଟ ସାହିତ୍ୟିକ ଡ. ରାମଚନ୍ଦ୍ର ବେହେରା, କବି ଅପର୍ଣ୍ଣା ମହାନ୍ତି ଓ କଥାକାର ତଥା କବି ବିରଜା ରାଉତରାୟ ଉପସ୍ଥିତ ରହି ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନର ଆବାହକ ଚୈାଧୁରୀ ଅମିତାଭ ଦାସ ଓ କେମ୍ର ସଭାପତି ଅକ୍ଷୟ ପାଣିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସାହିତ୍ୟ ଉତ୍ସବର ପ୍ରାରମ୍ଭରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ ଅଧ୍ୟାପକ ରାଜେଶ କୁମାର ସେଠୀ, ପ୍ରତିଭାମୟୀ ଦାସ, ଆଶୁତୋଷ ରାଉତ, ଗିରିଜାକାନ୍ତ ଦାସ, ଶ୍ରୀଧର ବେହେରା ଓ ଅଜିତ କୁମାର ଦାସ ପରିଚାଳନା କରିଥିଲେ। କେମ୍ର ସମ୍ପାଦକ ମହମ୍ମଦ ଜାହିଦ୍ ଖାଁ୍, ସଦସ୍ୟ ପ୍ରତାପ ସ୍ୱାଇଁ ଓ କେନ୍ଦ୍ରାପଡ଼ା ଡେଭଲପ୍ମେଣ୍ଟ ଫାଉଣ୍ଡେସନର ଟ୍ରଷ୍ଟି ବିଶ୍ୱରଞ୍ଜନ ଦାଶ ଓ ପ୍ରଶାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ। ଏହି ଅବସରରେ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ କେନ୍ଦ୍ରାପଡ଼ାର ପ୍ରାକୃତିକ ବିଭବକୁ ନେଇ ଏକ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
