- ବହୁ ଅଂଚଳ ବାହ୍ୟଜଗତରୁ ବିଛିନ୍ନ
- ଗୃହପାଳିତ ପ୍ରଣୀଙ୍କ ପାଇଁ ଗୋ ଖାଦ୍ୟ ଯୋଗାଇବାକୁ ଦାବୀ
- କୁମ୍ଭୀର ଦେଖାଯାଉଥିବାରୁ ଲୋକେ ଆତଙ୍କିତ

ପଟ୍ଟାମୁଣ୍ଡାଇ୧୮/୭ – ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳର ବାସୀ ଗତ ୨ ସପ୍ତା ହେବ ବନ୍ୟାରେ ଆଉଟୁ ପାଉଟୁ ହେଉଥିବା ବେଳେ ଗତ ୪ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ୧୦ ପଂଚାୟତର ୬୦ହଜାରରୁ ଉର୍ଦ୍ଧ ଲୋକ ଓ ପୌରାଂଚଳର ୧୧ଟି ୱାର୍ଡର ୧୧ହଜାର ଲୋକ ବନ୍ୟା ଜଳ ଘେରରେ ରହିଛନ୍ତି । ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଗୃହପାଳିତ ପଶୁ ଗୋ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ଲୋକେ ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ଆନିବା ପାଇଁ ସେପରି ଡଙ୍ଗାର ବ୍ୟବସ୍ଥା ହୋଇନାହିଁ । ଗୃହପାଳିତ ପଶୁ ବାସସ୍ଥାନ ପାଣିରେ ବୁଡି ଥିବାରୁ ସେମାନଙ୍କୁ ରାସ୍ତାରେ ଛାଡି ଦିଆଯାଇଛି । ଜମିବାଡି ପଡିଆରେ ପାଣି ଜମିଥିବାରୁ ଗାଇ ଗୋରୁ ଚରିବା ପାଇଁ ବିକଳ୍ପ ନାହିଁ । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଖାଦ୍ୟ ବ୍ୟବସ୍ଥା ହୋଇନାହିଁ । ଯହାକୁ ନେଇ ଧୋୟାଂଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତିା

ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅପରିବର୍ତିତ ରହିଛି । ସିଂହଗାଁ, ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ. ଅଣ୍ଢରା, ଅମୃତମଣୋହି, ବଲୁରିଆ, ନୀଳକଣ୍ଠପୁର, ଶ୍ରୀରାମପୁର, ବାଲିପାଟଣା, ବାଛରା, ଶାସନ, ବ୍ଲଭଦରପୂର ,ଡାମରପୁର ଆଦି ପଂଚାୟତର ବିଭିନ୍ନ ଗ୍ରାମରେ ବନ୍ୟା ଜଳ ପାଣି ବହୁଥିବାରୁ ଲୋକେ ନିତ୍ୟ ବେବହାର୍ଯ୍ୟ ଜିନିଷ ସଂଗ୍ରହ କରିବାକୁ ସକ୍ଷମ ହେଉନାହାନ୍ତି। ପ୍ରଶାସନ ପକ୍ଷରୁ ୧୪ ଦେଶୀଡ଼ଙ୍ଗା ଯୋଗାଇଦିଆ ଯାଇଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ବୋଲି ଲୋକେ କହୁଛନ୍ତି । ବହୁ ଜାଗାରେ ଭେଳାରେ ଯାଏ ଆସ କରୁଛନ୍ତି ।କେତେକ ପଡାଗ୍ରାମରେ ନଳକୂପ ବନ୍ୟାରେ ବୁଡ଼ିଥିବାରୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଧିକାଂଶ ସ୍କୁଲ ହତାରେ ବନ୍ୟା ଜଳ ପ୍ରବେଶ କରିଛି। ଅପରପକ୍ଷେ ଗୃହପାଳିତ ପ୍ରାଣୀଙ୍କ ଗୁହାଳ ବୁଡି ଥିବାରୁ ସେମାନଙ୍କୁ ମୁଖ୍ୟ ରାସ୍ତାରେଛାଡି ଦିଆଯାଇଛି।

ଗୁରୁବାର ଓ ଶୁକ୍ରବାର କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳ ୭ଟି ପଂଚାୟତରେ ବନ୍ୟା ଘେରରେ ରହି ଦୁର୍ଦଶା ଭୋଗ କରୁଥିବା ବିପନ୍ନ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ ଏକ ମଟର ଚଳିତ ଡାଙ୍ଗା ଯୋଗେ ଯାଇଜଳବନ୍ଦୀରେ ଥିବା ଲୋକଙ୍କୁ ଭେଟିଥିଲେ । ବିପନ୍ନ ଲୋକେ ଯେହ୍ନେ ତେଣେ ପ୍ରାକାର ଚଳି ଯାଉଥିବା ବେଳେ ଗୃହପାଳିତ ପ୍ରାଣୀଙ୍କ ପାଇଁ ଗୋ ଖାଦ୍ୟ ଦେବାକୁ ନିବେଦନ କରିଥିଲେ ।ଏନେଇ ବିଧାୟକ ବେହେରା ଜିଲ୍ଲାପାଳ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଯୋଗାଯୋଗ କରି ଶନିବାର ବନ୍ୟା ଘେରରେ ଥିବା ଗାଁ ଗୁଡିକୁ ଗୋଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ସେହିପରି ରାଜନଗର ବିଧାୟକ ଧ୍ରୁବ ସାହୁ ବନ୍ୟା ବିପନ୍ନ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ନନ୍ଦିନୀନଗର, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା,କଷଣଅଂଟା, ବାଲିପଡ଼ା, ନୂଆଗାଁ କଉଡ଼ିପଲ୍ଲୀ ସମେତ ବ୍ଲକର ବାଛରା ପଂଚାୟତର ମଣ୍ଡପଡା ବାଛରା ଗ୍ରାମକୁ ବୋଟ ଯୋଗେ ଯାଇ ବନ୍ୟା ଘେରରେ ରହି ଦୁର୍ଦଶା ଭୋଗ କରୁଥିବା ବିପନ୍ନ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରି ବନ୍ୟା ବିପନ୍ନ ଲୋକମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ପୌର ପ୍ରଶାସନକୁ ନିର୍ଦେଶ ଦେଇଥିଲେ ।

ପୌର ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନ ଲୋକମାନଙ୍କ ଯାତାୟାତ ପାଇଁ ୭ଟି ଡ଼ଙ୍ଗା ଯୋଗାଇ ଦିଆଯିବା ସହିତ ଚୁଡା ଗୁଡ଼, ବିସ୍କୁଟ, ମହମବତୀ, ଦିଆସିଲି ଓ ପାଣି ଯୋଗାଇ ଦେବା ପାଇଁ ପାଇଁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି ବୋଲି ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କହିଛନ୍ତି ।

ଅନ୍ୟପକ୍ଷରେ ବନ୍ୟବିପନ୍ନ ଅଂଚଳରେ ବିଦ୍ୟୁତ ନଥିବାରୁ ଘନ ଅନ୍ଧକାର ମଧ୍ୟରେ ସ୍ଥିତି ସଂଗୀନ ହୋଇପଡିଛି । ଯାତାୟାତ ଓ ପାନୀୟଜଳ ସମସ୍ୟା ଯୋଗୁଁ ଲୋକମାନେ ଅସୁବିଧା ଭୋଗ କରୁଛନ୍ତି । ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଗୃହପାଳିତ ପଶୁମାନେ ଗୋ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ବିଭିନ୍ନ ପ୍ରବେଶ ରାସ୍ତାରେ ରାସ୍ତା ବୁଡି ଯାଇ ଥିବାରୁ ଗ୍ରାମ ଓ ପଡା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।
ଆବଶ୍ୟକ ଡ଼ଙ୍ଗା, ଗୋ ଖାଦ୍ୟ, କିରୋସିନ ଓ ବ୍ଲିଚିଙ୍ଗ ପାଉଡର ଓ ରୋଗୀ ଚିକିତ୍ସା ପାଇଁ ଭ୍ରାମ୍ୟମାଣ ଡାକ୍ତରୀ ଚିକିତ୍ସକ ଦଳ ପଠାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ବିଡିଓ ଅଶୋକ ମହାନ୍ତି କହିଛନ୍ତି । ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ସେଠୀ, ପଟ୍ଟାମୁଣ୍ଡାଇ ସହ ନିର୍ବାହୀ ଯନ୍ତ୍ରୀ ଆଶିଷ ସ୍ୱାଇଁ ଓ ସହସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ ପ୍ରମୁଖ ନଦୀବନ୍ଧ ଗୁଡିକ ପରିଦର୍ଶନ କରି ବିଭାଗୀୟ କର୍ମଚାରୀ ସହାୟତାରେ ବାଲିବସ୍ତା ପକାଇ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ।

