
କେନ୍ଦ୍ରାପଡ଼ା,୫ା୧:ରାଜ୍ୟ ବ୍ୟାପି ପାଣି ପଞ୍ଚାୟତ ପକ୍ଷ-୨୦୨୬ ଜାନୁଆରୀ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ମଙ୍ଗଳବାର ପୂର୍ବାହ୍ନରେ ଶୁଭ ଉଦଘାଟନ କରିଛନ୍ତି। ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ସେଚ ଅଞ୍ଚଳ ମାର୍ଗ ଦେଇ ପାଣି ପଞ୍ଚାୟତର ସଫଳତା ତଥା କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ବାର୍ତ୍ତା ବଣ୍ଟନ କରିବ। ପାଣି ପଞ୍ଚାୟତ ଚାଷୀ ଓ ଚାଷର ହିତେ ସର୍ବଦା ଜାଗ୍ରତ ବୋଲି ସ୍ଲୋଗାନ ଦିଆଯାଇଥିଲା। ମହିଳାମାନଙ୍କର ପାଣି ପଞ୍ଚାୟତରେ ସଂପୃକ୍ତି ଓ ସମାନତାର ଅଧିକାର ବାର୍ତ୍ତା ମଧ୍ୟ ଲୋକମାନଙ୍କ ନିକଟରେ ଏହି ରଥ ପହଞ୍ଚାଇବ। ପାଣି ପଞ୍ଚାୟତମାନଙ୍କ ଦକ୍ଷତା ବିକାଶ, ନିରନ୍ତର ଜଳସେଚନ ଓ ଜଳବାୟୁ ସହନଶୀଳ କୃଷି ମାଧ୍ୟମରେ କୃଷକମାନେ ସଶକ୍ତି ହେବା ସହ ନିଜର ରୋଜଗାରକୁ ବୃଦ୍ଧି କରିପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ପାଣି ପଞ୍ଚାୟତର ପ୍ରତ୍ୟେକ ସଦସ୍ୟଙ୍କ ଭାଗିଦାରୀ ଓ ସମନ୍ୱୟ ବିନା ପାଣି ପଞ୍ଚାୟତର ସଫଳ କାର୍ଯ୍ୟାନ୍ୱୟନ ସମ୍ଭବ ନୁହେଁ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ କହିଲେ କୃଷି ହିଁ ଜୀବନ। କୃଷକ ଭାଇମାନେ ମାଟି ସହ ଲଢି ଆମ ପାଇଁ ଖାଦ୍ୟ ସଂଗ୍ରହ କରୁଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ଉଠା ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଜଳସମ୍ପଦ ବିଭାଗର ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ।
