Lokamata-ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା , ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ

blank

କେନ୍ଦ୍ରାପଡ଼ା,୬ା୧:କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ସବୁ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆକ୍ରମଣ କରିଥିବା ବିଜେପି ନେତା ଲଳିତ ବେହେରାଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି। ଏହା ଗଣତନ୍ତ୍ର ପାଇଁ ଏକ ମହାବିପଦ । କାରଣ ଆଇନ୍‌କୁ ଯିଏ ହାତକୁ ନେବ ସିଏ ଆଇନ୍ ଅନୁଯାୟୀ ଦଣ୍ଡିତ ହେବା ଆବଶ୍ୟକ। ହେଲେ ରାଜନଗର ବିଡିଓ ତଥା ଜଣେ ମହିଳା ପ୍ରାଶାସନିକ ଅଧିକାରୀଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବା ଓ ଏ ନେଇ ସରକାର ଅଭିଯୁକ୍ତକୁ ସୁରକ୍ଷା ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହି ଘଟଣାରେ ସରକାରଙ୍କ ନିରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପ୍ରତିକ୍ରିୟାକୁ ନେଇ ଏହି ଉପସ୍ଥାପନା।

ଦଳୀୟ ଲୋକଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି-ବିଜେଡି ଜିଲା ସଭାପତି ଶିବ ପ୍ରସାଦ ଭଳ

 

blank
ସରକାର ଦଳୀୟ ଲୋକଙ୍କୁ ଘଣ୍ଟ ଘୋଡାଉଛନ୍ତି। ପୂର୍ବରୁ ଭୁବନେଶ୍ୱରରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ମାଡ ମାରିବା ଓ ଏବେ ରାଜନଗରର ମହିଳା ବିଡିଓଙ୍କୁ ଆକ୍ରମଣ କରିବା ଘଟଣା ସ୍ପଷ୍ଟ କରୁଛି ଯେ ବିଜେପି ନେତାମାନେ ଆଇନ୍‌କୁ ସମ୍ମାନ ଦେଉ ନାହାଁନ୍ତି। ଦଳୀୟ ନେତାଙ୍କ ଦୋଷ ଦୁର୍ବଳତାକୁ ସରକାର ଲୁଚାଉଛନ୍ତି। ଯାହା ଦିନେ ସରକାରଙ୍କ ପାଇଁ ମହଙ୍ଗା ପଡିବ। କାରଣ ଜଣେ ମହିଳା ବିଡିଓଙ୍କୁ ଲାପଟପ ଉଠାଇ ମାରିବାକୁ ଉଦ୍ୟମ କରିବା ଏକ ଧର୍ତ୍ତବ୍ୟ ଅପରାଧ। ଏଭଳି ଅପରାଧ ଯଦି କୌଣସି ସାଧାରଣ ଲୋକ ଟିଏ କରିଥାନ୍ତେ ତାହା ହେଲେ ସେ ଏବେ ଜେଲର ଚାରିକାନ୍ଥ ମଧ୍ୟରେ ରହିଥାନ୍ତେ। ଆଇନ୍ ଯଦି ସମସ୍ତଙ୍କ ପାଇଁ ସମାନ ତେବେ ଏ କ୍ଷେତ୍ରରେ ବିଜେପି ନେତାଙ୍କୁ କାହିଁକି ଗିରଫ କରାଯାଉନାହିଁ ।

ମହିଳାଙ୍କୁ ଅସମ୍ମାନ କରିବା ବିଜେପିର ଆଦର୍ଶ ନୁହେଁ-ବିଜେପି ଜିଲା ସଭାପତି ଶଶାଙ୍ଖ ଶେଖର ସେଠୀ

 

blank

କୌଣସି ମହିଳାଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ। ପ୍ରଶାସନିକ ଅଧିକାରୀ ଚାପରେ ରହୁଛନ୍ତି। କାରଣ ବ୍ଲକ ଅଧ୍ୟକ୍ଷମାନେ ପିସି ନେଉଛନ୍ତି। ଦଳୀୟ ନେତା ଲଳିତ ବେହେରା ବିଡିଓଙ୍କ ଉପରକୁ କମ୍ପ୍ୟୁଟର ଫିଙ୍ଗିବା ପାଇଁ ଉଠାଇଛନ୍ତି। ଏହା ନିନ୍ଦନୀୟ ଘଟଣା। କିନ୍ତୁ ଏଥିପାଇଁ ବିଜେଡି ଦଳର ନେତାମାନେ ଦାୟୀ। କାରଣ ରାଜନଗର ବ୍ଲକର ଅଧ୍ୟକ୍ଷ ବିଜେଡି ସମର୍ଥିତ। ସେହିପରି ରାଜନଗର ବିଧାୟକ ମଧ୍ୟ ବିଜେଡିର। ତେଣୁ ସେମାନଙ୍କ ପିସି ଖିଆ ନିଶା ଛାଡୁନାହିଁ। ବ୍ଲକରେ ଯେଉଁ ବିଡିଓମାନେ ଯୋଗ ଦେଉଛନ୍ତି ସେମାନଙ୍କୁ ଏମାନେ ଭୁଲ ବାଟରେ ପରିଚାଳିତ କରୁଛନ୍ତି। ଏହାକୁ ନେଇ ଲଳିତ ବେହେରା ପ୍ରଶ୍ନ ଉଠାଇଥିଲେ। ଯାହାଦ୍ୱାରା ବିଡିଓଙ୍କ ସହ ତାଙ୍କର ଯୁକ୍ତିତର୍କ ବଢିଥିଲା ଓ ରାଗରେ ସେ କମ୍ପ୍ୟୁଟର ଉଠାଇଥିଲେ। ମହିଳାଙ୍କୁ ଅସମ୍ମାନ କରିବା ଦଳର ଆଦର୍ଶ ନୁହେଁ ।

ବ୍ଲକ ପରିସରରୁ ଅଭିଯୁକ୍ତ ଗିରଫ ହେବା କଥା-ସିପିଆଇ(ଏମ୍‌) ଜିଲ୍ଲା ସଂପାଦକ ଗୟାଧର ଧଳ

blank

 

କୌଣସି ବ୍ୟକ୍ତି ଆଇନ୍‌ର ଊର୍ଦ୍ଧ୍ୱରେ ନୁହଁନ୍ତି। ଜଣେ ବିଡିଓଙ୍କୁ ଆକ୍ରମଣ କରିଥିବା ବିଜେପି ନେତାଙ୍କୁ ୨୪ ଘଣ୍ଟା ଭିତରେ ନୁହେଁ ପୋଲିସ ବ୍ଲକ ପରିସରରୁ ହିଁ ଗିରଫ କରିବା କଥା। ହେଲେ ଏ ଘଟଣାରେ ୩ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ସରକାର ମଧ୍ୟ ଏ ଦିଗରେ ନିରବ। କାରଣ ନିଜ ଦଳର ନେତାଙ୍କୁ ବଞ୍ଚାଇବା ପାଇଁ ସରକାର ସର୍ବଦା ଉଦ୍ୟମରତ। ଏହାଦ୍ୱାରା ଅନ୍ୟ ନେତାମାନେ ସାହସ ପାଇବେ ଅପରାଧ କରିବା ପାଇଁ। ଫଳରେ ସମାଜରେ ଅରାଜକତା ସୃଷ୍ଟି ହେବ। ଯାହାଦ୍ୱାରା ସରକାରଙ୍କୁ ହରଡ ଘଣାରେ ପକାଇବେ। ତେଣୁ ସରକାର ବଦନାମ ହେବା ପୂର୍ବରୁ ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ସରକାର ଚଳାଇବା ପାଇଁ ଅଭିଜ୍ଞତା ହାସଲ କରନ୍ତୁ-ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ

blank
ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛନ୍ତି। କେବଳ ରାଜନଗରରେ ଯେ ବିଜେପି ନେତା ଲଳିତ ବେହେରା ଆକ୍ରମଣ କରିଛନ୍ତି ତାହା ନୁହେଁ ପୂର୍ବରୁ ରାଜଧାନୀରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆକ୍ରମଣ କରିଥିଲେ। ଏ ସରକାର ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଦେଇ ପାରିବେ ନାହିଁ। ଏହିଭଳି ପରିସ୍ଥିତିରେ ସରକାର ତୁରନ୍ତ ଗାଦି ଛାଡନ୍ତୁ। କାରଣ ସରକାର ଚଳାଇବା ପାଇଁ ଏମାନଙ୍କର ଅଭିଜ୍ଞତା ହୋଇନାହିଁ। ପ୍ରଥମେ ସରକାର ଚଳାଇବା ପାଇଁ ଅଭିଜ୍ଞତା ହାସଲ କରନ୍ତୁ ପରେ ସରକାର ଚଳାଇବେ। ଏପରି ବାଚାଳାମି ସ୍ଥିତିରେ ସରକାର ଚଳାଇବା ଜନତାଙ୍କ ପାଇଁ ଶୁଭାଙ୍କର ନୁହେଁ ବୋଲି ସେ କହିଛନ୍ତି ।

 

ପୋଲିସ କିଂକର୍ତ୍ତବ୍ୟବିମୂଢ ହୋଇପଡିିଛି-ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ।

blank

ବିଜେପି ନେତାଙ୍କ ଏକଛତ୍ରବାଦ ନୀତିକୁ ମୁଁ ତୀବ୍ର ନିନ୍ଦା କରୁଛି। ଏଭଳି ଘଟଣାରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାରଣ ଏହା ଏକ କ୍ଷୁଦ୍ର ଅପରାଧ ନୁହେଁ। ଜଣେ ମାଜିଷ୍ଟ୍ରେଟ୍ ସ୍ତରର ପ୍ରଶାସନିକ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ କୋର୍ଟଚାଲାଣ କରିବା ଉଚିତ। ହେଲେ ପୋଲିସ କାହିଁକି ନିରବ ହୋଇ ଯାଇଛି ତାହା ଜଣାପଡୁନାହିଁ। ପୋଲିସ ଏଠାରେ ନିଜର କର୍ତ୍ତବ୍ୟରେ ଅବହେଳା କରିଛି। ବୋଧହୁଏ ପୋଲିସକୁ ନିଜ ତ୍ତ୍‌ର୍ବ୍ୟ ନକରିବା ପାଇଁ ସରକାରୀ ସ୍ତରରୁ ଚାପ ପଡୁଛି। ଯାହା ଫଳରେ ପୋଲିସ କିଂକର୍ତ୍ତବ୍ୟବିମୂଢ ହୋଇପଡିଛି ବୋଲି କହିଛନ୍ତି

ଆଚରଣ ଓ ଉଚାରଣ ମାର୍ଜିତ ହେଉ-ପ୍ରାକ୍ତନ ବିଜେଡି ରାଜ୍ୟ ଯୁଗ୍ମସମ୍ପାଦକ ରାଜେଶ ପଣ୍ଡା

 

blank
ବିଜେପି ସରକାରରେ ସରକାରୀ ଅଧିକାରୀ ଅସୁରକ୍ଷିତ ହୋଇପଡିଛନ୍ତି। ସେମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି। ପ୍ରଥମେ ଭୁବନେଶ୍ୱରରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଓ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନଗର ବିଡିଓଙ୍କୁ ଆକ୍ରମଣ ଘଟଣା ପ୍ରମାଣିତ କରୁଛି ସରକାର ଚଳାଇବାରେ ବିଜେପି ବିଫଳ ହୋଇଛି। ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ସମାଜର ବିକାଶ ଦୃତ ଗତିରେ ହୋଇଥାଏ। କିନ୍ତୁ ସରକାରୀ ଦଳରେ ଥିବା ରାଜନେତାମାନେ ଚାବୁକ ପାହାର ଦେଇ କାର୍ଯ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ଯାହା ସମାଜରେ ଗ୍ରହଣୀୟ ହୋଇପାରିବ ନାହିଁ। ଜଣେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ରାଜନେତା ଓ ଜନ ପ୍ରତିନିଧିଙ୍କ ଆଚରଣ ଓ ଉଚାରଣ ମାର୍ଜିତ ହେବା ଉଚିତ ବୋଲି କହିଛନ୍ତି ।

କୌଣସି ଜାଗାରେ ହିଂସାର ସ୍ଥାନ ନାହିଁ-ପୂର୍ବତନ ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁ।

blank
ହିଂସାରେ ଯିଏ ଜନ୍ମ ନିଏ ତାର ହିଂସାରେ ହିଁ ମୃତ୍ୟୁ ହୋଇଥାଏ। ମହାତ୍ମାଗାନ୍ଧୀ ଇଟାଲୀର ଏକଛତ୍ରବାଦ ନେତା ବେନିତୋ ମୁସୋଲିନିଙ୍କ ସହ ସାକ୍ଷାତ ବେଳେ ମୁସୋଲିନି ମହାତ୍ମାଗାନ୍ଧୀଙ୍କୁ ପଚାରିଥିଲେ ଆପଣଙ୍କ ଉପରେ ଏତେ ଅତ୍ୟାଚାର ହେଉଛି ତଥାପି ଆପଣ ଏତେ ଶାନ୍ତ ରହୁଛନ୍ତି କିପରି। ମହାତ୍ମାଗାନ୍ଧୀ ଜବାବରେ କହିଥିଲେ ଯିଏ ହିଂସାରେ ଜନ୍ମ ନିଏ ତାର ହିଂସାରେ ହିଁ ମୃତ୍ୟୁ ହୋଇଥାଏ। ତେଣୁ ହିଂସାକୁ କୌଣସି ସ୍ଥାନରେ ଆଦର କରାଯିବା ଉଚିତ ନୁହେଁ। ମୁସୋଲିନିଙ୍କ କ୍ଷେତ୍ରରେ ଯାହା ଘଟିଲା ତାହା ସମଗ୍ର ବିଶ୍ୱ ଦେଖିଲା। ତେଣୁ କୌଣସି ଠାରେ ହିଂସାର ସ୍ଥାନ ନାହିଁ। ଯିଏ ଅପରାଧ କରିବ ସିଏ ଆଇନ୍ ଅନୁଯାୟୀ ଦଣ୍ଡିତ ହେବା ଉଚିତ। କାରଣ କେହି ଆଇନ୍‌ର ଉର୍ଦ୍ଧ୍ୱରେ ନୁହଁନ୍ତି ବୋଲି କହିଛନ୍ତି

Next Post

ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ସମ୍ବଳ , କୋରୋ ହାଇସ୍କୁଲରେ ପିଏମଶ୍ରୀ ଉତ୍ସବ

Wed Jan 7 , 2026
କେନ୍ଦ୍ରାପଡ଼ା,୭ା୧:କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଭୁକ୍ତ ପିଏମଶ୍ରୀ କୋରୋ ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଓଡ଼ିଶା ବିଧାନସଭାର ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଦାଶରଥି ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି କହିଥିଲେ ଆମକୁ ଯେଉଁ ଶିକ୍ଷାନୁଷ୍ଠାନ ସମାଜରେ ପ୍ରତିଷ୍ଠିତ କରି ଛିଡା କରାଇଛି ଆମେ ତାକୁ କେଭେବି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading