ପଟ୍ଟାମୁଣ୍ଡାଇ ତାଲୁକଆଇନ ସେବା ସମିତିର ସଚେତନତା ଶିବିର

ପଟ୍ଟାମୁଣ୍ଡାଇ ୨୨/୯ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ପୋକ୍ସୋ ଆକ୍ଟ ସମ୍ପର୍କରେ ଏକ ଆଇନଗତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ପ୍ରତି ସମାଜକୁ ସଚେତନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା କୋର୍ଟର ଅତିରିକ୍ତ ଜିଲା ଜଜ୍ ବିଦ୍ୟାଧର ପୃଷ୍ଟି ପୌରହିତ୍ୟ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ ଶିଶୁମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଏକ ଗମ୍ଭୀର ଅପରାଧ ଏବଂ ଏହାକୁ ରୋକିବା ପାଇଁ ଆଇନଗତ ସଚେତନତା ନିହାତି ଆବଶ୍ୟକ। ଶିଶୁଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଶିବିରରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ବିଚାରପତି ଜେଏମଏଫସି ଡ଼ି.କେ. ବାଲକ୍ରିଷନ ଯୋଗ ଦେଇ ପୋକ୍ସୋ ଆକ୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ, ଶିଶୁ ସୁରକ୍ଷା ଆଇନର କଡ଼ାକଡ଼ି ନିୟମାବଳୀ ଏବଂ ପୀଡ଼ିତ ଶିଶୁମାନଙ୍କୁ ମିଳୁଥିବା ଆଇନଗତ ସହାୟତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଅପରାଧ ଘଟିଲେ ତୁରନ୍ତ ଆଇନର ଆଶ୍ରୟ ନେବା ଏବଂ ବିନା ସଙ୍କୋଚରେ ରିପୋର୍ଟ କରିବାକୁ ସେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଶିବିରରେ ଏପିପି ଧିରେନ୍ଦ୍ର ନାଥ ସାହୁ, ଆଇନଜୀବୀ ରବିନ୍ଦ୍ର ଦାଶ, ହୃଦାନନ୍ଦ ମହାନ୍ତି, ମନୋଜ ନାୟକ, ଗିତାଞ୍ଜଳି ପୁଷ୍ଠି ସମେତ କୋର୍ଟର କର୍ମଚାରୀ, ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଓ ବାଳିକା ବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ ।
