
କେନ୍ଦ୍ରାପଡା, ୧୮/୩: କେନ୍ଦ୍ରାପଡା ଜିଲାପ୍ରଶାସନ ସମ୍ମିଳନୀ କକ୍ଷରେ ଆସନ୍ତା ୨୮ତାରିଖରେ ଜିଲ୍ଲାର ବିଭିନ୍ନ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଶିକ୍ଷକ ସହ ଅଣଶିକ୍ଷକ କର୍ମଚାରୀମାନଙ୍କ ସେବାଜନିତ ଓ ପ୍ରାପ୍ୟ ଅଧିକାର ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏକ ବିଶେଷ ଅଭିଯୋଗ ଶୁଣାଣି ସଭା ଅନୁଷ୍ଠିତ ହେବ । ଏହା ଉକ୍ତ ଦିବସ ପୂର୍ବାହ୍ନ ସେଢେ ୧୦ ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ । ଏହି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅୟୋଜିତ ହେବାକୁ ଥିବା ଏହି ଶୁଣାଣି ସଭାରେ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସେମାନଙ୍କର ସେବା ସମ୍ବନ୍ଧୀୟ ଅଭିଯୋଗ, ପ୍ରାପ୍ୟ ଦାବି, ଅବସରଜନିତ ସୁବିଧା ଓ ଅନ୍ୟାନ୍ୟ ଅଧିକାର ସମ୍ବନ୍ଧୀୟ ସମସ୍ୟା ନେଇ ବ୍ୟକ୍ତିଗତ ଭାବେ ଯୋଗଦେଇ ନିଜ ଅଭିଯୋଗ ଉପସ୍ଥାପନ କରିପାରିବେ। ସଭାରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଡିପିସି ସମଗ୍ର ଶିକ୍ଷା,ବ୍ଲକ ଶିକ୍ଷା ଅଧିକାରୀ ଏବଂ ଏସଏସ ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କୁ ମଧ୍ୟ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସମ୍ପୃକ୍ତ ଯୋଗ୍ୟ କର୍ମଚାରୀଙ୍କୁ ଏହି ସୁଯୋଗ ନେବା ସହିତ ନିର୍ଦ୍ଧାରିତ ସମୟରେ ସଭାରେ ଯୋଗଦେଇ ନିଜ ଅଭିଯୋଗ ଦାଖଲ କରିବାକୁ ଅନୁରୋଧ କରାଯାଇଛି।
