
କେନ୍ଦ୍ରାପଡ଼ା,୧ା୭:ବିଭିନ୍ନ ଦାବି ନେଇ ଜାତୀୟ ଡାକ୍ତର ଦିବସରେ କେନ୍ଦ୍ରାପଡ଼ା ଜିଲାର ଡାକ୍ତରମାନେ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ଏହାଦ୍ୱାରା ଓପିଡି(ବର୍ହିବିଭାଗ) ଅଚଳ ହୋଇ ଯାଇଛି। ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସରକାରୀ ହସ୍ପିଟାଲରେ ରୋଗୀ ସେବା ବ୍ୟାହତ ହୋଇଥିଲା। ରୋଗୀମାନେ ଡାକ୍ତରଖାନା ଆସି ଚିକିତ୍ସା ନ ପାଇ ଫେରିଯାଇଛନ୍ତି। କେବଳ ଆୟୁସ ଡାକ୍ତରମାନଙ୍କ ହାତରେ ଡାକ୍ତରଖାନାକୁ ଛାଡି ଦିଆଯାଇଥିଲା। ଆୟୁସ ଡାକ୍ତରମାନେ ଯେତିକି ରୋଗୀଙ୍କୁ ଦେଖିବା କଥା ଦେଖିଥିଲେ। ଦୂରଦୂରାନ୍ତରୁ ଆସିଥିବା ଶତାଧିକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହଇରାଣ ହୋଇଥିଲେ। ବାଧ୍ୟହୋଇ ସେମାନେ ଘରୋଇ ନର୍ସିଂହୋମ ଉପରେ ନିର୍ଭରଶୀଳ ହୋଇଥିଲେ। ତେବେ ଜରୁରୀକାଳୀନ ସେବା, ଇନଡୋର ଓ ଆପାତକାଳୀନ ଚିକିତ୍ସା ସ୍ୱାଭାବିକ ଭାବେ ଚାଲୁ ରହିଥିବା ସୂଚନା ମିଳିଛି।
ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ(ଓମସା) ଡାକରାରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଡାକ୍ତର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନେ ବୁଧବାର ଦିନ ଓପିଡିକୁ ଆସିନଥିଲେ ଏବଂ ରୋଗିଙ୍କୁ ଚିକିତ୍ସା କରିନଥିଲେ । ଫଳରେ ଚିକିତ୍ସା ପାଇବା ପାଇଁ ଶହଶହ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ହଟହଟା ହୋଇଥିଲେ । ଏହି ଅବସରରେ ଆନ୍ଦୋଳନ ସଂକ୍ରାନ୍ତରେ ଡାକ୍ତରମାନେ କହିଛନ୍ତି ଯେ ପ୍ରଥମ ଶ୍ରେଣୀରେ ଯୋଗଦେଇଥିବା ସମସ୍ତ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ଯେଉଁ ପଦୋନ୍ନତି ଦିଆଯାଉଛି ଏଥିରୁ ଡାକ୍ତରମାନଙ୍କୁ ବାଦ ଦିଆଯାଉଛି । ପଦୋନ୍ନତି ଦେବାପାଇଁ ଓମସା ସରକାରଙ୍କୁ ବହୁତ ସମୟ ଦେଇଥିଲା । ତେବେ ସରକାର ଡାକ୍ତରମାନଙ୍କ ଦାବି ପୂରଣ କରୁ ନଥିବାରୁ ଡାକ୍ତରମାନେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଡାକ୍ତରମାନେ ଚାକିରି ଅବଧିର ୪ ବର୍ଷରେ ଲେବୁଲ ୧୩, ୯ ବର୍ଷରେ ଲେବୁଲ ୧୪, ୧୩ ବର୍ଷରେ ଲେବୁଲ ୧୬ ଓ ୨୦ ବର୍ଷରେ ଲେବୁଲ ୧୭କୁ ପଦନ୍ନୋତି ପାଇବାର ପାଇଁ ହକଦାର। ହେଲେ ଡିଏସିପି (ଡାଇନାମିକ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ) ଲାଗୁ ହେଉ ନଥିବାରୁ ଡାକ୍ତରମାନଙ୍କର ପଦନ୍ନେତିରେ ବାଧା ସୃଷ୍ଟି ହେଉଛି। ଦନ୍ତ ଚିକିତ୍ସକମାନଙ୍କ ପାଇଁ ଏହି ଡିଏସିପି ଲାଗୁ ହେଉନାହିଁ। ଏହାଦ୍ୱାରା ସେମାନେ ପଦନ୍ନୋତି ପାଇବାରେ ସମସ୍ୟାରେ ପଡୁଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଡିଏସିପିରେ ଅନ୍ତର୍ଭୁକ୍ତ କରାଯାଉ। ଡାକ୍ତରଙ୍କ ବଦଳି ନୀତିରେ ସ୍ୱଚ୍ଛତା ରହୁ। ସରକାର ଶୀଘ୍ର ଏହି ଦାବିଗୁଡ଼ିକ ଉପରେ ସକାରାତ୍ମକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ଆଦିବାସୀ ଅଧ୍ୟୁଷିତ ଜିଲା(କେବିକେ)ରେ ୩ ବର୍ଷ ସେବା ଯୋଗାଇବା ପରେ ଡାକ୍ତରଙ୍କୁ ସେଠାରୁ ବଦଳି କରାଯିବ ବୋଲି ନିୟମ ରହିଥିବା ବେଳେ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ଡାକ୍ତରମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ବାରମ୍ବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ଦାବି କଲେ ମଧ୍ୟ ସେମାନଙ୍କ ଦାବି କେହି ଶୁଣୁ ନାହାଁନ୍ତି। ନିୟମିତ ଭାବେ ଡିପିସି (ବିଭାଗୀୟ ପଦନ୍ନୋତି କମିଟି) ବସୁ ନଥିବାରୁ ଡାକ୍ତରମାନେ ପଦନ୍ନୋତିରୁ ବଞ୍ଚିତ ହେଉଛନ୍ତି। ସେହିପରି ପଦନ୍ନୋତିରେ ସ୍ୱଚ୍ଛତା ରହୁନାହିଁ। ମେଡିକାଲ ଅଫିସର ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ କରାଯାଉଛି ଯାହା ଡାକ୍ତରମାନଙ୍କ ମାନସିକତାକୁ ଆଘାତ ଦେଉଛି। ସରକାର ଡାକ୍ତରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରୁନାହାଁନ୍ତି। ଯେଉଁମାନେ ଅନ୍ୟର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖୁଛନ୍ତି ତାଙ୍କ ସ୍ୱାସ୍ଥ୍ୟପ୍ରତି ସରକାର ଧ୍ୟାନ ଦେବା ଦରକାର। ଡାକ୍ତରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଉ। ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଉ। ଆଡହକ ଡାକ୍ତରମାନଙ୍କ ଚାକିରିକୁ ନିୟମିତ କରାଯାଉ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଆର୍ଥିକ କ୍ଷମତା ୧୦ରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଉ। ଡାକ୍ତରୀ ସେବା ନୀତି ନିର୍ଦ୍ଧାରଣ ସମୟରେ ସରକାର ଓମସା ସଭାପତି ଓ ସଂପାଦକ ମତାମତ ନିଅନ୍ତୁ। ଜାତୀୟ ସ୍ୱାସ୍ଥ୍ୟ ମିଶନରେ ନିଯୁକ୍ତି ଓ କିରାଣୀ ନିଯୁକ୍ତି ଓ ବଦଳି ସମୟରେ ସ୍ୱଚ୍ଛତା ରକ୍ଷା କରାଯାଉ ବୋଲି ଓମସା ପକ୍ଷରୁ କୁହାଯାଇଛିି । କେନ୍ଦ୍ରାପଡ଼ା ଜିଲା ଓମସା ଶାଖା ସଭାପତି ଡା.ଗୌରାଙ୍ଗ ଚରଣ ଗିରିଙ୍କ ନେତୃତ୍ୱରେ ଜିଲା ଶାଖା ସଂପାଦକ ଡା.ନିରଞ୍ଜନ କର, ଓମସାର ରାଜ୍ୟ ଯୁଗ୍ମ ସଂପାଦକ ଡା.ସଞ୍ଜୀବ କୁମାର ସେଠୀ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା.ସଚିଦାନନ୍ଦ ମିଶ୍ର, ଡା, ପରଭେଜ ଅକ୍ତର, ନମିତା ପଟ୍ଟନାୟକ, ବିରେନ୍ଦ୍ର କୁମାର ଦାସ, ଅଶ୍ୱିନୀ କୁମାର ପରିଡ଼ା, ସୋନାଲିକା ରାଉତ, ଦେବୀ ପ୍ରସାଦ ସାହୁଙ୍କ ସମେତ ଜିଲାର ଶତାଧିକ ଡାକ୍ତର ଆନ୍ଦୋଳନରେ ସାମିଲ ହୋଇଥିଲେ।
