
କେନ୍ଦ୍ରାପଡ଼ା,୨୩ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ଜନଗହଳିପୂର୍ଣ୍ଣ ସ୍ଥାନରେ ଏକ ଶ୍ମଶାନ ନିର୍ମାଣକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଶ୍ମଶାନ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଠିକାଦାରଙ୍କୁ ମହିଳାମାନେ ବିରୋଧ ଥିଲେ। ଫଳରେ ଠିକାଦାର ଓ ତାଙ୍କ ସହଯୋଗୀମାନେ ସ୍ଥାନ ଛାଡି ପଳାଇଥିଲେ। ଏ ନେଇ ସଦର ଥାନାରେ ଉଭୟ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ମହିଳାମାନେ କହିଛନ୍ତି ଯେଉଁ ସ୍ଥାନରେ ଶ୍ମଶାନ ନିର୍ମାଣ ହେବା ପାଇଁ ଠିକାଦାର କାମ ଆରମ୍ଭ କରିଛନ୍ତି ସେ ସ୍ଥାନ ନିକଟରେ ମନ୍ଦିର ରହିଛି। ପିଲାମାନେ ଓ ସ୍ଥାନୀୟ ବାସିନ୍ଦାମାନେ ଏହି ରାସ୍ତା ଦେଇ ପ୍ରତିଦିନ ମନ୍ଦିର ଓ ନଦୀକୁ ଯିବା ଆସିବା କରିଥାନ୍ତି। ସେଠାରେ ଥିବା ପଡିଆରେ ପିଲାମାନେ ସବୁଦିନ ଖେଳାଖେଳି କରନ୍ତି । ତେଣୁ ଏହି ରାସ୍ତାରେ ଶ୍ମଶାନ ନିର୍ମାଣ ହେଲେ ପିଲାମାନେ ଭୟଭୀତ ହେବେ। ସେହିପରି ଜନବସତିରେ ଏହି ଶ୍ମଶାନ ନିର୍ମାଣ କରାଯାଉଥିବାରୁ ମୃତଦେହ ପୋଡା ହେଲେ ତାହାର ଗନ୍ଧ ଲୋକଙ୍କୁ ଅସ୍ତବ୍ୟସ୍ତ କରିବ। ଏହି ଗ୍ରାମ ନିକଟରେ ସହରର ଏକ ବଡ଼ ଶ୍ମଶାନ କଜଳାରେ ରହିଛି। ସେହି ସ୍ଥାନଟି ଗ୍ରାମଠାରୁ ଦୂରରେ ରହିଛି। ପୂର୍ବ ପୁରୁଷରୁ କଜଳାରେ ଶବଦାହ କରାଯାଉଛି। ଏହି ସ୍ଥାନଟି ଜନବସତି ଅଳ୍ପ ନିକଟରେ। ତେଣୁ ସେଠାରେ ଶବ ପୋଡାଯିବାରେ କୌଣସି ସମସ୍ୟା ନାହିଁ। ହେଲେ ଠିକାଦାରଙ୍କୁ ପୋଷିବା ପାଇଁ କେତେକ କୁଜିନେତା ଏଠାରେ ଶ୍ମଶାନ ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହାଦ୍ୱାରା ଲୋକେ ବହୁ ସମସ୍ୟାରେ ପଡିବେ ବୋଲି ମହିଳାମାନେ କହିଛନ୍ତି। ଏହା କହିବା ସହିତ ମହିଳାମାନେ ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ। ସେହି ମହିଳାମାନେ ଦୁଇଦିନ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଶ୍ମଶାନ ନ ହେବାପାଇଁ ଅଭିଯୋଗ ଦେଇଥିଲେ । ଉପଜିଲ୍ଲପାଳ ଏହାକୁ ତଦନ୍ତ କରି ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଠିକାଦାର ଏହାକୁ ନ ମାନି ଜବରଦସ୍ତି କାମ ଆରମ୍ଭ କରୁଥିଲେ । ତେଣୁ ମହିଳାମାନେ ଏହି କାର୍ଯ୍ୟକୁ ବିରୋଧ କଲେ । ଅପରପକ୍ଷରେ ଶ୍ମଶାନ ନିର୍ମାଣକୁ ସମର୍ଥନ କରୁଥିବା ଅଞ୍ଚଳର ସରପଞ୍ଚଙ୍କ ସ୍ୱାମୀ କରୁଣାକର ସାହୁ କହିଛନ୍ତି ଏହି ଗ୍ରାମରେ ଶ୍ମଶାନ ନିର୍ମାଣର ଯଥାର୍ଥତା ରହିଛି। କାରଣ ୧୯୮୪ ମସିହାରୁ ଏହି ପଞ୍ଚାୟତରେ ୧୫ ଡିସିମିଲ ଶ୍ମଶାନ ଜମି ରହିଛି। ତେଣୁ ପଞ୍ଚାୟତ ତରଫରୁ ଶ୍ମଶାନ ନିର୍ମାଣ ହେବା ପାଇଁ ଯୋଜନା ହୋଇଥିଲା। ଯୋଜନା ଅନୁଯାୟୀ କାର୍ଯ୍ୟ ଆରମ୍ଭ ହେବା ବେଳେ ଗୋଚର ଜମିରେ ଅବୈଧ ଭାବେ ବାସ କରୁଥିବା କିଛି ଲୋକ ଓ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କିଛି ଲୋକ ମିଶିକି ଶ୍ମଶାନ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି। ସେ କହିଛନ୍ତି କଜଳା ଶ୍ମଶାନ ଏଠାରୁ ୩ କିଲୋମିଟର ଦୂର। ଲୋକମାନେ କାହିଁକି ଖରା ବର୍ଷାରେ ୩ କିଲୋମିଟର ଶବ ବୋହି ନେଇକି ଯିବେ ଓ ସମସ୍ୟାରେ ପଡିବେ। ତେଣୁ ଗ୍ରାମରେ ଶ୍ମଶାନ ହେଲେ ଗୁଲନଗର ଓ ସୁଜାନଗର ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଉଭୟ ଅଭିଯୋଗକୁ ଆମେ ଗ୍ରହଣ କରି ଘଟଣାର ତଦନ୍ତ କରୁଛୁ।
