
ପଟ୍ଟାମୁଣ୍ଡାଇ ୨୧/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ନିଜର ମିଛ ପ୍ରେମ ଜାଲରେ ଫସାଇ ଅପହରଣ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ସଂନ୍ଧ୍ୟାରେ ପୋଲିସ ଗିରଫ କରି ଥାନାରେ ଅଟକ ରଖିଛି। ନାବାଳିକାକୁ ଉଦ୍ଧାର କରି ତାଙ୍କ ପରିବାରଙ୍କ ଜିମା ଦେଇଛି । ଆସନ୍ତାକାଲି ସମ୍ପୃକ୍ତ ଯୁବକକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବନ୍ଦନା ପାତ୍ର ସୂଚନା ଦେଇଛନ୍ତି ।
ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଜଣେ ଯୁବକ ନିଜ ପ୍ରେମ ଜାଲରେ ସ୍ଥାନୀୟ ଅଂଚଳର ଜନୈକା ନାବାଳିକାକୁ ଫସାଇ ୩/୪ ମାସ ତଳେ ଓଡିଶା ବାହାରକୁ ନେଇ ତାକୁ ଛାଡି ଦେଇ କେଉଁ ଆଡେ ପଲାଇ ଯାଇଥିଲା । ଖବର ପାଇ ସମ୍ପୃକ୍ତା ନାବାଳିକାର ପରିବାର ଲୋକମାନେ ତାକୁ ଓଡିଶା ବାହାରୁ ଉଦ୍ଧାର କରି ଘରକୁ ଆଣିଥିଲେ । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପ୍ରାୟ ୩/୪ ମାସ ତଳେ ଏକ ମାମଲା ୯୦/୨୦୨୬ ରୁଜୁ ହୋଇଥିଲା । ତେବେ ଆଜି ପୁନଃରାୟ ସମ୍ପୃକ୍ତ ଯୁବକ ସମ୍ପୃକ୍ତା ନାବାଳିକାକୁ ଅପହରଣ କରି ନେବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ସମ୍ପୃକ୍ତ ଯୁବକ କବଳରୁ ନାବାଳିକାକୁ ଉଦ୍ଧାର କରିଥିଲା ।
