- ଶବରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା
- ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

ଡେରାବିଶ,୧୮ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମ ପଂଚାୟତ ଅଧିନ ନରିଲୋ ପମ୍ପ ହାଉସରେ ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ବୁଧବାର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ହରିହର ମଲ୍ଲିକ (୩୩)। ହରିହର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ (ଆରଡ୍ୱଲୁଏସଏସ) ବିଭାଗରେରେ କର୍ମଚାରୀ ଭାବେ କାର୍ଯ୍ୟକରିଆସୁଥିଲେ । ଉକ୍ତ ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଛାତ ଉପରେ ଥିବା ପାଣି ଟାଙ୍କି ବୁଧବାର ସାଢେ ୧୦ରେ ସଫା କରିବାକୁ ଯାଇଥିଲେ। ମାତ୍ର ନିର୍ମାଣଧିନ ଆରୋଗ୍ୟ କେନ୍ଦ୍ରକୁ ଜନୈକ ଠିକାଦାର ବେଆଇନ ଭାବେ ବିଦ୍ୟୁତ ସଂଯୋଗ ନେଇଥିଲେ। ଏ ନେଇ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା। ହରିହର ପାଣି ଟଙ୍କି ସଫା କରୁଥିବା ସମୟରେ ବିଦୁତ ତାର ସଂସ୍ପର୍ଶରେ ଆସିଯିବାରୁ ସେ ଗୁରୁତର ହୋଇ ଛାତ ଉପରେ ଜମିଥିବା ବର୍ଷା ପାଣିରେ ପଡିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଯାଇଥିଲେ। କିନ୍ତୁ ଉଦ୍ଧାର କରିବାକୁ ଯାଇଥିବା ଲୋକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ହରିହରଙ୍କୁ ସେଠାରୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ମୃତଦେହକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିସହ ପିଡିତ ପରିବାରକୁ କ୍ଷତିପୂରଣ ଓ ମୃତକଙ୍କ ପତ୍ନୀଙ୍କୁ ଚାକିରୀ ଦାବିରେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ôଥକ ସହାୟତା ପ୍ରଦାନ ଓ ପତ୍ନୀଙ୍କୁ ଚାକିରୀ ମିଳିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ମୃତ୍ୟୁକୁ ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ବେବଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି। ହରିହରଙ୍କ ଏକ ୬ ବର୍ଷର ପୁଅ ଓ ୩ ବର୍ଷର ଝିଅ ଅଛନ୍ତି।
