
କେନ୍ଦ୍ରାପଡ଼ା,୧୬ା୧୦:ପଟ୍ଟାମୁଣ୍ଡାଇ ମହିଳା କଲେଜରେ ବେଆଇନ ନିଯୁକ୍ତି ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱାକ୍ଷରକୁ ଜାଲିଆତି କରାଯାଇଥିବା ମାମଲାରେ ଓଡିଶା ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡା ଏସପିଙ୍କୁ ଏକମାସ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଅଧିନସ୍ଥ ପଟ୍ଟାମୁଣ୍ଡାଇ ମହିଳା କଲେଜରେ ଗତ ୨୦୧୨ ରୁ ୨୦୧୬ ମଧ୍ୟରେ ୬୦ରୁ ଉର୍ଦ୍ଧ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଅଣଶିକ୍ଷକ କର୍ମଚାରୀଙ୍କୁ ବେଆଇନ ଭାବେ ନିଯୁକ୍ତି କରାଯାଇଛି । ଏସମ୍ପର୍କରେ ଜଣା ପଡିବା ପରେ ସ୍ଥାନୀୟ ସଚେତନ ଅଧିବାସୀ, ଅଭିଭାବକ ଏବଂ ସାମାଜିକ କର୍ମୀ ଏହି ଦୁର୍ନୀତିର ତଦନ୍ତ ପାଇଁ ଦୀର୍ଘ ବର୍ଷ ହେଲା ତଳୁ ଉପର ଯାଏ ଅଭିଯୋଗ କରିଆସୁଛନ୍ତି। କଲେଜରେ ବ୍ୟାପକ ନିଯୁକ୍ତି ଜାଲିଆତି ହୋଇଥିବା ନେଇ ବିଭିନ୍ନ ତଦନ୍ତରୁ ସ୍ପଷ୍ଟ ହୋଇଥିଲେ ହେଁ ଦୋଷୀଙ୍କୁ ଘଣ୍ଟ ଘୋଡାଇ ମାମଲାକୁ ଚାପି ଦେବା ଏବଂ ସମୟ ଗଡାଇ ଚାଲିବା ଉଦବେଗ ସୃଷ୍ଟି କରିଛି। ଏନେଇ ସ୍ଥାନୀୟ ଅଧିବାସୀ ଏବେ ରାଜ୍ୟ ଆଇନମନ୍ତ୍ରୀଙ୍କ ଦ୍ୱାରସ୍ଥ୍ୟ ମଧ୍ୟ ହୋଇଛନ୍ତି ।
ଖବରରୁ ପ୍ରକାଶ ଯେ ଉକ୍ତ ମହିଳା କଲେଜଟି ୧୯୮୮ମସିହାରେ ପ୍ରତିଷ୍ଠା ହେବା ପରେ ୨୦୧୨ ମସିହାରୁ କିଛି ଅଧ୍ୟାପକ ଆବଶ୍ୟକ ଥିବା କଲେଜ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା । ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ କ୍ରମେ ବିଭିନ୍ନ ବିଭାଗର ୧୦ଟି ଅଧ୍ୟାପକ ପଦ ନିମନ୍ତେ ପାର୍ଥୀ ଚୟନ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା । କିନ୍ତୁ କଲେଜ ପରିଚାଳନା କମିଟି ଓ ଅଧ୍ୟକ୍ଷ ମନମୁଖି ଭାବେ ଏକାଧିକ ଥର ବିନା ସାକ୍ଷାତକାରରେ ୪୮ରୁ ଉର୍ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ। ଗତ ୨୦୧୮ମସିହାରେ ଏହି ବେଆଇନ ନିଯୁକ୍ତି ନେଇ ତତ୍କାଳୀନ ଜିଲ୍ଲାପାଳଙ୍କ ସମେତ ଉଚ୍ଚଶିକ୍ଷା ବିଭାଗକୁ ତଦନ୍ତ ପାଇଁ ଅଭିଯୋଗ କରାଯାଇଥିଲା । ପ୍ରାଶସନ ପକ୍ଷରୁ ତଦନ୍ତ ପରିବର୍ତ୍ତେର୍ ଦୋଷୀକୁ ଘଣ୍ଟ ଘୋଡାଇ ମାମଲାକୁ ଚପାଇ ଦିଆଗଲା । ପ୍ରଶାସନର ଏହି ଦୁର୍ବଳତାର ସୁଯୋଗ ନେଇ ମାଷ୍ଟରମାଇଣ୍ଡଙ୍କ ଦ୍ୱାରା ଉକ୍ତ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ବାରମ୍ବାର ପିଛିଲା ତାରିଖରେ ନିଯୁକ୍ତି ଦେଇ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରାଗଲା । ଏନେଇ ସାମାଜିକକର୍ମୀ ଅମର ବିଶ୍ୱାଳ ଓଡିଶା ଉଚ୍ଚନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ। ସେହି ଅନୁଯାୟୀ କୋର୍ଟ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ତିନି ଜଣିଆ ଟିମ୍ କଲେଜରେ ପହଞ୍ଚି ରେକର୍ଡପତ୍ର ଯାଞ୍ଚ କରିଥିଲେ। ଏହାପରେ କଲେଜ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତିରେ ଜାଲିଆତି କରାଯାଇଥିବା ହୃଦବୋଧ କରିବା ପରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱାକ୍ଷର ଯାଞ୍ଚ ପାଇଁ ଆରକ୍ଷୀ ଅଧୀକ୍ଷକଙ୍କୁ ତା ୨୦.୦୫.୨୦୨୩ରିଖରେ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଗତ୨୬.୦୬.୨୦୨୩ରିଖରେ କେଶ ନମ୍ବର ୩୮୨/୨୩ରେ ଏକ ମାମଲା ଦାୟର ହୋଇଥିଲେ ହେଁ ପୋଲିସ ପ୍ରାଥମିକ ତଦନ୍ତ କରି ଉକ୍ତ ଦସ୍ତଖତ ଜାଲ ବୋଲି ରିପୋର୍ଟ ଦେବା ସତ୍ୱେ ଜାଲିଆତିର ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇନାହିଁ। ଉଚ୍ଚନ୍ୟାୟାଳୟ ପୋଲିସର ଏହି ବିଳମ୍ବ ତଦନ୍ତ ଉପରେ କ୍ଷୁବ୍ଧ ହୋଇ ଏକମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ନିଯୁକ୍ତି ଜାଲିଆତିରେ ତତକାଳୀନ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ସ୍ୱାଇଁଙ୍କ ସ୍ୱାକ୍ଷର ରହିଛି । କିନ୍ତୁ ସେହି ତାରିଖରେ ଶ୍ରୀ ସ୍ୱାଇଁ ଏଠାରୁ ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ତାଙ୍କ ନାମରେ କଲେଜ ପକ୍ଷରୁ ଅନ୍ୟ କେହି ଜାଲ ସ୍ୱାକ୍ଷର କରିଥିବା ଅଭିଯୋଗ ହୋଇଛି। ଉକ୍ତ କଲେଜର କିଛି ଅବସରପ୍ରାପ୍ତ କର୍ମଚାରୀ ଅଭିଯୋଗ କରିଛନ୍ତି ଯେ ଉମାକାନ୍ତ ନାୟକ ନାମକ ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକଙ୍କ ହସ୍ତାକ୍ଷର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ସ୍ୱାଇଁଙ୍କ ସ୍ୱାକ୍ଷର ସହିତ ମେଳ ଖାଉଛି । ତେଣୁ ଅଧ୍ୟାପକ ଶ୍ରୀ ନାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ ତାଙ୍କ ପୂର୍ବ ହାତଲେଖା ଗୁଡିକୁ ଯାଞ୍ଚ କରାଗଲେ ଏହି ମାମଲାର ମାଷ୍ଟରମାଇଣ୍ଡ ପଦାକୁ ଆସି ପାରିବ ବୋଲି ଅଭିଯୋଗକାରୀ ସବ୍ୟସାଚୀ ସାମନ୍ତରାୟ, ସାଇସୁମନ ସାମନ୍ତରାୟ, ସୈାମ୍ୟରଞ୍ଜନ ବେହେରା, ପ୍ରଦୀପ ଜେନା , ଅନନ୍ତ ସ୍ୱାଇଁ, ମନୋରଞ୍ଜନ ସାହୁ ପ୍ରମୁଖ ଆଇନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ନକଲ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ରାଜସ୍ୱମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।
