
କେନ୍ଦ୍ରାପଡ଼ା,୨୧ା୯:ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୭ ସେପ୍େଟମ୍ୱରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ “ସେବା ପକ୍ଷ’ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଗଠନ ଅଭିଯାନ ସମ୍ପର୍କିତ ଏକ ସଚେତନତା ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ମାରାଥନକୁ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲାପାଳ ରଘୁରାମ ଆର. ଆୟର ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ କ୍ରୀଡା ସଂଘର କ୍ରୀଡ଼ାବିତ, ସ୍ୱେଛାସେବୀଙ୍କ ସମେତ ପାଖାପାଖି ୪ ଶହ ଜଣ ମାରାଥନରେ ସାମିଲ ହୋଇଥିଲେ। ମାରାଥନଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ପୁରୁଣାବସଷ୍ଟାଣ୍ଡ -କେନ୍ଦ୍ରାପଡ଼ା ହାଇସ୍କୁଲ -କାଳୀମନ୍ଦିର ଛକ -ଗରାପୁର ଗାନ୍ଧିଛକରୁ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରିଥିଲା।
