ସଂସାରଫଳ ଶ୍ରୀ ବାସୁଦେବ ଗାଦିରେ ପବିତ୍ର ଭାଗବତ ଜନ୍ମୋତ୍ସବ ପାଳିତ

ପଟ୍ଟାମୁଣ୍ଡାଇ28/9- ଓଡ଼ିଆ ଜନଜୀବନ, ସାଂସ୍କୃତିକ ଭାବଧାର ଓ ଆଧ୍ୟାତ୍ମିକ ଚିନ୍ତାଚେତନାକୁ ପରମ୍ପରାକ୍ରମେ ରୁଦ୍ଧିମନ୍ତ କରିବାରେ ଶ୍ରୀମଦ ଭାଗବତ ଗ୍ରନ୍ଥର ଭୂମିକା ଅତୁଲନୀୟ। ମହର୍ଷି ବ୍ୟାସଦେବଙ୍କ ମୂଳ ସଂସ୍କୃତ ମହାପୁରାଣ ଶ୍ରୀମଦ ଭାଗବତକୁ ଅତିବଡ଼ି ଜଗନ୍ନାଥ ଦାସ ଅତି ସାବଲୀଳ ଓ ସରଳ ଓଡ଼ିଆ ଭାଷାରେ ରଚନା କରି ଓଡ଼ିଆ ଜାତିକୁ ଏକ ଗୌରବମୟ ଗାରିମା ପ୍ରଦାନ କରିଛନ୍ତି। ପ୍ରତିବର୍ଷ ଭାଦ୍ରବ ମାସର ପବିତ୍ର ଇନ୍ଦୁ ପୂର୍ଣ୍ଣିମା ତିଥିରେ ଶ୍ରୀମଦ ଭାଗବତଙ୍କ ଜନ୍ମଦିନ ପ୍ରତ୍ୟେକ ଓଡ଼ିଆ ଘରେ ନିଷ୍ଠା ଓ ପବିତ୍ରତାର ସହ ପାଳିତ ହୋଇଆସୁଛି। ଏହି ସୁମହାନ ପରମ୍ପରା ଅନୁସାରେ, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ବାସୁଦେବ ବିହାରସ୍ଥିତ ଶ୍ରୀ ବାସୁଦେବ ଗାଦିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀମଦ ଭାଗବତ ଜନ୍ମୋତ୍ସବ ସମାରୋହପୂର୍ବକ ସମ୍ପନ୍ନ ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପଣ୍ଡିତ ଦତ୍ତହରୀ ପଣ୍ଡା, ପଣ୍ଡିତ ଚିତ୍ତରଞ୍ଜନ ପଣ୍ଡା ଏବଂ ପଣ୍ଡିତ ବିରେନ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।
ଶାସ୍ତ୍ର ଚର୍ଚ୍ଚା ଅବସରରେ ପଣ୍ଡିତବୃନ୍ଦ ଭାଗବତର କାଳଜୟୀ ପୌରାଣିକ କଥାବସ୍ତୁର ଅମୃତମୟ ବ୍ୟାଖ୍ୟା କରିଥିଲେ। ଆଜିର ଅର୍ଥସର୍ବସ୍ୱ ଓ ଜଡ଼ବାଦୀ ଦୁନିଆରେ ଭାଗବତର ଶିକ୍ଷା କିପରି ସୁଦ୍ଧପୂତ ପାରିବାରିକ ଜୀବନଯାତ୍ରା ଗଠନ କରିବାରେ ସାହାଯ୍ୟ କରେ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପ୍ରତ୍ୟେକ ମଣିଷ ନିଜ ଜୀବନରେ ବିବେକ, ବିଚାର ଓ ସାମାଜିକ ଦୃଷ୍ଟିଭଙ୍ଗୀକୁ ସୁନ୍ଦର କରିବା ସହ ମାତା, ପିତା ଓ ଗୁରୁଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଭାଗବତ ପ୍ରଦର୍ଶିତ ମାର୍ଗ ହିଁ ଏକମାତ୍ର ଦିଗଦର୍ଶନ ବୋଲି ପଣ୍ଡିତବୃନ୍ଦ ମତବ୍ୟକ୍ତ କରିଥିଲେ।
ଏହି ଉତ୍ସବ ଅବସରରେ ସଂସାରଫଳ, ଗୁଣ୍ଠି ଓ ଅଢାଡେଉଁରିଆ ଗ୍ରାମର ମା’ମାନଙ୍କ ଦ୍ୱାରା ପରିଚାଳିତ ନାମ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଆକର୍ଷଣୀୟ ନାମ ସଂକୀର୍ତ୍ତନ ପରିବେଷିତ ହୋଇଥିଲା। ବହୁସଂଖ୍ୟାରେ ଭକ୍ତ ଓ ଭାଗବତପ୍ରେମୀ ଶ୍ରଦ୍ଧାଳୁ ଯୋଗଦେଇ ନାମାମୃତ ପାନ ସହ ବିଭୁ କୃପା ଲାଭ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଭକ୍ତ ପ୍ରଜ୍ଞା ଭାରତୀ ରାଉତରାୟ, ଲିଲି ସ୍ୱାଇଁ, ବିଜୟାଲକ୍ଷ୍ମୀ ସ୍ୱାଇଁ, ଲକ୍ଷ୍ମଣ ରାଉତ, ବିନୋଦ ରାଉତ, ସୁଶ୍ରୀ ଲାବନ୍ୟା, ବିଶାଳ ପ୍ରମୁଖ ସଚୋଟତାର ସହ ପରିଚାଳନା କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ଆଧ୍ୟାତ୍ମିକ ସମାବେଶ ଏକ ପବିତ୍ର ଓ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା।
