
ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତ୍ୟକ ବର୍ଷ ଫେବୃୟାରୀ, ୨୧ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯଏ । ମାତୃଭାଷାର ସୁରକ୍ଷା ପଅତି ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ। ହେଲେ ରାଜ୍ୟର ପ୍ରତ୍ୟକ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳର ନୂଆ ଯୁବପିଢି ଗୌରବଶାଳୀ ମାତୃଭାଷା ଓଡିଆ ଠାରୁ ଦୂରେଇ ଯାଇ କନଭେଟ ଇଂରାଜି ଭାଷା ପ୍ରତି ଆକୃଷ୍ଠ ହେଉଛନ୍ତି । ଫଳରେ ପିଲାମାନଙ୍କଠାରେ ଓଡ଼ିଆ ଭାଷା ଜ୍ଞାନର ଘୋର ଅଭାବ ଦେଖାଦେଲାଣି। ଅଧିକାଂଶ ମାତାପିତା ନିଜ ପିଲାଙ୍କୁ ଘରୋଇ କନଭେଟ ଇଂରାଜି ଭାଷା ପାଠ ପଢ଼ାଇବାକୁ ପସନ୍ଦ କରୁଛନ୍ତି। ଅଭିଭାବକମାନଙ୍କର ଏଭଳି ଆଭିମୁଖ୍ୟ ଓଡ଼ିଆ ଭାଷା ପ୍ରତି ପ୍ରତିକୂଳ ମାନସିକତା ସୃଷ୍ଟି କରୁଥିବା ବେଳେ ପିଲାମାନେ ଇଂଲିଶ ଭାଷା ପ୍ରତି ଆକର୍ଷିତ ହେଇ ମାତୃଭାଷା ପ୍ରତି ବିମୁଖ ହେଉଛନ୍ତି। ସରକାରୀ ସ୍ତରରେ ମଧ୍ୟ ଭାଷା ପ୍ରୀତି ଦେଖିବାକୁ ମିଳୁନାହିଁ। ଫଳରେ ଆଗାମୀ ଦିନରେ ମାତୃଭାଷା ଏକ ମହାସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଭାଷାବିତ୍ମାନେ ମତ ପ୍ରକାଶ କରିଛନ୍ତିି।
ଶିକ୍ଷାବିତ ପ୍ରଫୁଲ୍ଲ ଦାଶ କୁହନ୍ତି ଆମ ମାତୃଭାଷା ଓଡ଼ିଆ ହେଉଛି ସମୃଦ୍ଧ ଓ ପ୍ରାଚୀନ ଭାଷା ଏବଂ ଶାସ୍ତ୍ରୀୟ ଭାଷାର ମାନ୍ୟତା ମଧ୍ୟ ପାଇଛି । ହେଲେ ଆମ ମାତୃଭାଷା ପ୍ରତି ଆମ ନୂଆ ଯୁବପିଢ଼ିଙ୍କର ଆଦର କମି କମି ଚାଲି ଥିବା ବେଳେ ଆମେ ଏବେ ଅସହାୟ ଅବସ୍ଥାରେ । ନା ନୂଆ ଶବ୍ଦ ସୃଷ୍ଟି କରୁଛୁ। ନା ଯାହା ଅଛି ତାକୁ ସୁରକ୍ଷା ଦେଇ ପାରୁଛୁ । ପ୍ରତି ୧୦ ବର୍ଷରେ ତିନି ଦଶମାଂଶ ପ୍ରତିଶତ ଲୋକ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବାରୁ ବିରତ ହେଉଛନ୍ତି । ଆଧୁନିକ ଡିଜିଟାଲ ଦୁନିଆରେ ‘ଓଡ଼ିଆ’ ନିଜ ସ୍ଥିତିକୁ ଆଖିଦୃଶିଆ ଉପସ୍ଥାପିତ କରିପାରିନି । ଡିଜିଟାଲ ମୋବାଇଲ, ଲାପଟପ ଯୁଗରେ ଇଂ-ଓଡିଆ ଭାଷା ପ୍ରଚଳିତ ହେବାରେ ଲଗିଛି । ଯୁବପିଢି ଓଡିଆ ଭାଷାକଥାକୁ ଇଂରାଜିରେ ଲେଖିଲେଣି । ନିଜ ଜନ୍ମମାଟିର ଭାଷା ପାଇଁ ଓକିଲାତି କରିବାକୁ କାହାର ପାଖରେ ସମୟ ନଥିବା ବେଳେ ପୁଞ୍ଜି, ପ୍ରତିଷ୍ଠା ପାଇଁ ଏକମୁହାଁ ହୋଇ ଧାଉଁଛନ୍ତିୁ ।
ବୁଦ୍ଧିଜିବୀ ଭବାନୀ ଶଙ୍କର ପଣ୍ଡା କୁହନ୍ତି ଓଡିଶାରେ ନିଯୁକ୍ତି ସୁଯୋଗ ନଥିବାରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଅଧିକାଂଶ ଲୋକ ପ୍ରବାସୀ ଭାବେ ବାହାର ରାଜ୍ୟରେ ବସବାସ କରୁଛନ୍ତି । ପାରିପାଶ୍ୱର୍ିକ ସ୍ଥିତିକୁ ନେଇ ତାଙ୍କ ପିଲାଙ୍କୁ ଓଡ଼ିଆ ଭାଷାରେ ପଢାଇବାକୁ ସେତେଟା ରୁଚି ରଖୁ ନ ଥିବାରୁ ପିଲାମାନେ ମଧ୍ୟ ମାତୃଭାଷା ପ୍ରତି ବିମୁଖ ହେଉଛନ୍ତି। ଓଡ଼ିଆ ପଢ଼ିଲେ ଚାକିରି କ୍ଷେତ୍ରରେ ଅଧିକ ସୁଯୋଗ ମିଳୁନ ଥିବା ଭାବି ମାତାପିତା ତାଙ୍କ ପିଲାକୁ ଇଂରାଜି କନଭେଟରେ ପଢାଇବାକୁ ମନବାଳାଉଛି । ପାରିପାଶ୍ୱର୍ିକ ଅବସ୍ଥାରେ ହେଉ କି ଜାଣିଶୁଣି ହେଉ ଆଜିର ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ କନଭେଟ ସ୍କୁଲରେ ପାଠ ପଢାଇବାକୁ ବେଶି ଗୃରୁତାରୋପ କରୁଛନ୍ତି । ଯାହାକୁ ନେଇ ଆମ ମୌଳିକ କଥାବାର୍ତା ଓ ଲେଖାରୁ କ୍ରମଶଃ ବହୁ ଶବ୍ଦ ହଜି ଯାଉଛନ୍ତି । ଦିନ ଥିଲା ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିବାକୁ ଲକ୍ଷ ଲକ୍ଷ ଲୋକ ଓଡ଼ିଆ ଶିଖୁଥିଲେ । ଏବେ କିନ୍ତୁ ଓଡିଆ ଭାଷାରେ ପ୍ରକାଶିତ ଦୁର୍ଲଭ ଗ୍ରନ୍ଥ ସବୁ ପଢିବାରେ ଆମର ଆଗ୍ରହ ନାହିଁ । ଯୁବପିଢୀ ମାନେ ପତ୍ରପତ୍ରିକା, ଖବରକାଗଜ, ଗଳ୍ପ ଓ କବିତା ବଦଳରେ ମୋବାଇଲ ପ୍ରେମରେ ପଡିଯାଇଛନ୍ତି ।
ଅବସର ପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପଣ୍ଡା କୁହନ୍ତି ସାଧାରଣରେ ଆଲୋଚନା ହେଉଛି ଓଡିଆ ପଢିଲେ କ’ଣ ପେଟପୁରିବ । ଇଂରାଜୀ ଭାଷା ଶିଖିଲେ ଚାକିରି ବା କାମ ମିଳିବାର ସୁଯୋଗ ଅଛିବୋଲି ଗରିବ ଲୋକ ମଧ୍ୟ ପେଟରୁ କାଟି ସଂଚୟକରି ନିଜ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେଉଛନ୍ତି । ଯଦି ମାତୃଭାଷା ଜୀବିକା ନିର୍ବାହର ଏକ ପନ୍ଥା ହେବ ତାହାଲେ ପିଲାମାନେ ନିଶ୍ଚୟ ଓଡିଆ ପଢିବାକୁ ଇଛାପ୍ରକାଶ କରିବେ । ବିଜ୍ଞାନ ଆଇନ୍ ପ୍ରଶାସନିକ କ୍ଷେତ୍ରରେ ଯଦି ଓଡିଆ ଭାଷା କାର୍ଯ୍ୟକାରୀ ହୁଏ ତାହାଲେ ଓଡିଆ ଭାଷା ପ୍ରତି ଆଦରଭାବ ପ୍ରକାଶ ପାଇବ । ସରକାରୀ ଫାଇଲ, କୋର୍ଟ କଚେରି କାଗଜପତ୍ର, ପ୍ରଯୁକ୍ତିବିଦ୍ୟା, ଭେଷଜ ବିଜ୍ଞାନ, କମ୍ପ୍ୟୁଟର, ଉଦ୍ଭାବନ ଓ ଗବେଷଣାରେ ଓଡ଼ିଆ ଭାଷା ମୁଖ୍ୟ ଭାଷା ହେବା ଦରକାର । ଡିଜିଟାଲ ବିଶ୍ୱରେ ଓଡ଼ିଆ ଅଧିକ ଲୋକଙ୍କ ପାଖରେ ପହଁଚୁ । ସରକାର ଆଇନ ଆଣିଲେ ସବୁଠି ଓଡ଼ିଆ ଭାଷା ଅବହେଳା ଓ ଅଣଦେଖାର ଶିକାରରୁ ବଂଚିତ ହେବ।
ଆଇନଜିବୀ ସୌମ୍ୟ ଧଳ କୁହନ୍ତି ରାଜ୍ୟରେ ସମସ୍ତେ ଇଂରାଜୀ ଭାଷା ପ୍ରେମରେ ଯୁବପିଢି ପଡ଼ିଛନ୍ତି । ଆମ ଭାଷା ଓଡ଼ିଆ ଭାଷା, ବର୍ତମାନ ଦୟନୀୟ ସ୍ଥିତିରେ । ଇଂରାଜୀ ମିଡିୟମ ସ୍କୁଲ ଗୁଡିକରେ ଓଡ଼ିଆ ପଢାଯାଉନାହିଁ । ଇଂରାଜୀ ଭାଷା ପ୍ରୀତିରେ ପିଲାମାନେ ମାତୃଭାଷାଠାରୁ ମୁହଁ ଫେରାଉଛନ୍ତି । ଦିନକୁ ଦିନ ଏପରି ହେଲେ ଦିନ ଆସିବ ଓଡ଼ିଆ ଭାଷାର ଅସ୍ତିତ୍ୱ ରହିବ ନାହିଁ । ସରକାର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ନିଜ ପିଲାଙ୍କୁ ସୁରକ୍ଷିତ ଭବିଷ୍ୟତ ଦେବାକୁ ଆମେ ମାତୃଭାଷାକୁ ମୁହଁ ମୋଡ଼ୁଛୁ । ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲ ଉପରେ ଅଭିଭାବକଟିଏ ଭରସା ମଧ୍ୟ କରିପାରୁନି । ଇଚ୍ଛା ଥାଉ ବା ନଥାଉ ପିଲାର ଶ୍ରୀଗଣେଶ ‘ଅ-ଆ’ ବଦଳରେ ‘ଏ-ବି-ସି-ଡି’ରୁ ହେଉଛି ।ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଘରୋଇ ସ୍କୁଲରେ ନବମ ଶ୍ରେଣୀରୁ ଇଚ୍ଛାଧୀନ କରାଯାଇଛି। କିନ୍ତୁ ଘରୋଇ ସ୍କୁଲର ଅଧିକାଂଶ ପିଲା ଓଡ଼ିଆ ବଦଳରେ ହିନ୍ଦୀ କିମ୍ବା ସଂସ୍କୃତକୁ ଇଚ୍ଛାଧୀନ ବିଷୟ ଭାବେ ବାଛୁଛନ୍ତି। ମାତାପିତାଙ୍କ ଆଡୁ ଓଡ଼ିଆ ବିଷୟକୁ ନେଇ ସେତେଟା ରୁଚି ରହୁ ନ ଥିବାରୁ ପିଲାମାନେ ମଧ୍ୟ ମାତୃଭାଷା ପ୍ରତି ବିମୁଖ ହେଉଛନ୍ତି। ଏଥିଯୋଗୁ ଆଗାମୀ ଦିନରେ ମାତୃଭାଷା ଏକ ମହାସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଭାଷାବିତ୍ମାନେ ମତ ଦେଲେଣି। ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ କମୁଥିବା ଦେଖି ରାଜ୍ୟ ସରକାର ଏହାର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ୨୦୦୬ ଏପ୍ରିିଲ ପହିଲାରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ନାମରେ ଏକ ସ୍ୱତନ୍ତ୍ର ଅନୁଷ୍ଠାନ ଖୋଲିଥିଲେ। ଭାଷାକୁ ଚଳଚଞ୍ଚଳ କରିବା ପାଇଁ ପ୍ରତିଷ୍ଠାନରେ ସାଧାରଣ ପରିଷଦ ଓ ଏକ୍ଜିକ୍ୟୁଟିଭ କମିଟି ଗଠନ କରାଯାଇଛି। ପରିଷଦରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି। ସେହିପରି ଏକ୍ଜିକ୍ୟୁଟିଭ କମିଟିରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷ ଥିବାବେଳେ ମୁଖ୍ୟ ଶାସନ ସଚିବ ଉପାଧ୍ୟକ୍ଷ ରହିଛନ୍ତି। ନିୟମିତ ଭାବେ ଏହି ଦୁଇ ପ୍ରଶାସନିକ ସଂସ୍ଥାର ବୈଠକ ଡାକି ଭାଷାର ଅଗ୍ରଗତି ଓ ପ୍ରସାର ଦିଗରେ ସମୀକ୍ଷା କରି ପଦକ୍ଷେପ ନେବା ବ୍ୟବସ୍ଥା ରହିଛି। ବର୍ଷକୁ ଥରେ ଅଥବା ଆବଶ୍ୟକ ପଡ଼ିଲେ ଏକାଧିକ ଥର ବୈଠକ ବସିପାରିବ। ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ଓ କର୍ମଚାରୀ ଦିଆଯାଇଛି। ବଜେଟରେ ପ୍ରଶାସନିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ବର୍ଷକୁ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟୟବରାଦ କରାଯାଉଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଭାଷା ପ୍ରତିଷ୍ଠାନ ଗଠନ ହେବାର ବର୍ଷ ବର୍ଷ ବିତିଯିବା ପରେ ମଧ୍ୟ ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ପୂର୍ଣ୍ଣ ମାତ୍ରାରେ ଲାଗୁ କରାଯାଇ ପାରି ନାହିଁ। ୨୦୧୫ ଜୁନ୍ରେ ଏହାକୁ କେବଳ ସ୍କୁଲ ଓ ଗଣଶିକ୍ଷା ବିଭାଗରୁ ସଂସ୍କୃତି ବିଭାଗ ଅଧୀନକୁ ଆଣିଲେ। ହେଲେ ଦୀର୍ଘ ୬ ବର୍ଷ ଯାଏ ଏହା ଗଣଶିକ୍ଷା ବିଭାଗ ନିୟନ୍ତ୍ରଣରେ ରହିଲା। ଥରୁଟିଏ ବୈଠକ ବସିପାରିଲା ନାହିଁ। ୨୦୨୨ ଏପ୍ରିଲ ୨୫ରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା କାର୍ଯ୍ୟନିର୍ବାହୀ କମିଟିି ବୈଠକରେ ପ୍ରତିଷ୍ଠାନର ସାଧାରଣ ପରିଷଦରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସ୍କୃତି ମନ୍ତ୍ରୀଙ୍କୁ ଅଧ୍ୟକ୍ଷ କରାଯାଇଛି। ଏଥିରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଉପାଧ୍ୟକ୍ଷ ପଦବୀରୁ ବାଦ୍ ଦିଆଯାଇଛି। ସେହିପରି ଏକ୍ଜିକ୍ୟୁଟିଭ କମିଟିରୁ ମଧ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇ ସଂସ୍କୃତି ମନ୍ତ୍ରୀଙ୍କୁ ଅଧ୍ୟକ୍ଷ କରାଯାଇଛି।
ପ୍ରକାଶ ଯେ, ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବାଧ୍ୟତାମୂଳକ କରିବା ପାଇଁ ଓଡ଼ିଆ ସରକାରୀ ଭାଷା ଆଇନ, ୧୯୫୪ କାର୍ଯ୍ୟକାରୀ ହୋଇଥିଲା। ଦୀର୍ଘ ୬୨ ବର୍ଷ ପରେ ଓଡ଼ିଶା ସରକାର ଏହାକୁ ସରକାରୀ ସ୍ତରରେ ଲାଗୁ କରିବାକୁ ଓଡ଼ିଆ ଅଫିସିଆଲ ଲାଙ୍ଗୁଏଜ୍ ରୁଲ, ୨୦୧୬ ଆଣି ସେହି ବର୍ଷ ଅଗଷ୍ଟ ୨୦ ତାରିଖରୁ କାର୍ଯ୍ୟକାରୀ କରିଥିଲେ। ସରକାରୀ ଓ ବେସରକାରୀ ସ୍ତରରେ ଭାଷା ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନବଜାରଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟର ନାମଫଳକ ଓଡ଼ିଆରେ ଲେଖାଯିବ। ସରକାରୀ କାର୍ଯ୍ୟ ମଧ୍ୟ ଓଡ଼ିଆରେ କରାଯିବା ନେଇ ୨୦୧୮ରେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନରେ ସଂଶୋଧନ ଅଣାଯାଇଥିଲା। ସେହିବର୍ଷ ବିଧାନସଭାରେ ଓଡ଼ିଆ ଭାଷା ବିଲ୍ ଗୃହୀତ ହୋଇଥିଲା। ଅବଜ୍ଞାକାରୀଙ୍କ ବିରୋଧରେ ୧ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ହୋଇଛି। ମାତ୍ର ଏହା କେବଳ ନିୟମରେ ରହିଗଲା। ପୂର୍ବରୁ ସରକାରୀ ଫାଇଲପତ୍ର ଯେମିତି ଇଂଲିଶ୍ରେ ଚାଲୁଥିଲା ଏବେ ମଧ୍ୟ ସେହିଭଳି ଚାଲିଛି। ଭାଷାକୁ ନେଇ ସରକାରୀ ଉଦାସୀନତା ବେଶ୍ ବାରି ହୋଇପଡୁଛି।
