
କେନ୍ଦ୍ରାପଡ଼ା,୧୧ା୬:ଆଜି ତୁଳସୀ କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଜିଲ୍ଲାର ଆରାଧ୍ୟ ସିଦ୍ଧ ବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ସ୍ନାନ କରାଯାଇ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ । ପାରମ୍ପରିକ ଭାବେ ରଥଯାତ୍ରା ପୂର୍ବରୁ ଶ୍ରୀ ସିଦ୍ଧ ବଳଦେବେଜୀଉଙ୍କ ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୬ଟାରୁ ୭ଟା ମଧ୍ୟରେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା। ଏହି ମଣ୍ଡପରେ ସକାଳ ୭ଟା ୩୦ ମିନିଟ୍ରେ ଜୟ ମଙ୍ଗଳା ଆଳତୀ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ୧୦୮ କଳସୀ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ବଲ୍ଲଭ ମଣୋହୀ ଭୋଗ ଲାଗି ହୋଇଥିଲା। ଅପରାହ୍ନ ୧ଟାରେ ମଙ୍ଗଳାର୍ପଣ ନୀତି ହୋଇଥିଲା। ପରେ ପରେ ଶ୍ରୀଜୀଉମାନଙ୍କୁ ଗଜ ବେଶ କରାଯାଇଥିଲା । ଶ୍ରଦ୍ଧାଳୁ ସ୍ନାନ ମଣ୍ଡପରେ ଏହି ବେଶ ଦର୍ଶନ କରି ଆନନ୍ଦ ଲାଭ କରିଥିଲେ । ରାତି ୧୦ଟା ପର୍ଯ୍ୟନ୍ତ ଏହି ବେଶରେ ଦର୍ଶନ ଦେଇଥିଲେ । ପରେ ପରେ ଶ୍ରୀଜୀଉମାନଙ୍କୁ ମନ୍ଦିରକୁ ନିଆଯାଇ ଅଣସରରେ ରଖାଯାଇଥିଲା । ରଥଯାତ୍ରା ପର୍ଯ୍ୟନ୍ତ ୧୩ ଦିନ ଶ୍ରୀଜୀଉ ଅଣସରରେ ରହିବେ । କୌଣସି ଶ୍ରଦ୍ଧାଳୁ ତାଙ୍କର ଦର୍ଶନ କରିପାରିବେନାହିଁ । ଆସନ୍ତା ଜୁନ୍ ୭ତାରିଖରେ ନେତ୍ର ଉତ୍ସବ ସହିତ ରଥଯାତ୍ରା ଅନୁଷ୍ଠିତ ହେବ । ଆଜିର ଏହି ଦେବ ସ୍ନାନ ପୂର୍ଣ୍ଣିମାରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ୍ ମୁତୟନ କରାଯାଇଥିଲା ।
