
ପଟ୍ଟାମୁଣ୍ଡାଇ ତା ୨/୪ – ରାଜ୍ୟ ସରକାର ପ୍ରଶାସନିକ ସୁବିଧା ପାଇଁ ବ୍ଲକ ପୁନଃ ଗଠନ କରିବା ପାଇଁ ଯୋଜନା କରୁଛନ୍ତି । ଏହି ପରିପେକ୍ଷିରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଠାରେ ବ୍ରାହ୍ମଣୀ ବ୍ଲକ ଗଠନ ଦାବୀ ନେଇ ଗଣସଂଗ୍ରାମ ସମିତି ପକ୍ଷରୁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ୧୪ ଟି ପଂଚାୟତର ଧୋୟାଂଚଳବାସୀଙ୍କୁ ପ୍ରଶାସନିକ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀ ବ୍ଲକ ଗଠନ ଜରୁରୀ ହୋଇ ପଡିଛି ବୋଲି ଏହି ବୈଠକରେ ମତପ୍ରକାଶ ପଇଥିଲା । ୧୯୯୩ ମସିହା ଠାରୁ କ୍ରମାଗତ ଭାବେ ବ୍ରାହ୍ମଣୀ ବ୍ଲକ ଗଠନକୁ ନେଇ ଶାନ୍ତି ପୂର୍ଣ୍ଣ ଭାବେ ଏହି ଧୋୟାଂଚଳବାସୀ ଦାବି ଜଣାଇ ଆସୁଛନ୍ତି । ଏବେ ରାଜ୍ୟ ସରକାର ବ୍ଲକ ପୁନଃଗଠନ ପାଇଁ ଯୋଜନା କରୁଥିବାରୁ ବ୍ରାହ୍ମଣୀ ବ୍ଲକ ଗଠନ ଦାବୀ ପୁନଃଜୀବିତ ହୋଇଛି । ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ଦୃଢ଼ ଦାବୀ କରିଥିଲେ । ସାମ୍ବାଦିକ ଚିତ ରଞ୍ଜନ ମଲ୍ଲିକ, ଡ଼ ଚକ୍ରଧର ଦାସ ପଟ୍ଟାମୁଣ୍ଡାଇ ବ୍ଲକ ପୂର୍ବତନ ଅଧକ୍ଷ ମାନସ ରଞ୍ଜନ ସାମଲ, ଅଭିମନ୍ୟୁ ମଲ୍ଲିକ, ଧନେଶ୍ୱର ପ୍ରଧାନ, ଦଶରଥ ମଲିକ, ବସନ୍ତ ସ୍ୱାଇଁ, ଶକ୍ତିରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବ୍ରାହ୍ମଣୀ ବ୍ଲକ ଗଠନ ଦାବୀର ଯଥାର୍ଥତା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକ ଧୋୟାଞ୍ଚଳର ୧୪ଟି ପଂଚାୟତର ଲୋକପ୍ରତିନିଧି ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
