କେନ୍ଦ୍ରାପଡ଼ା,୩ା୪: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଗ୍ରାମପଞ୍ଚାୟତର ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ବଗପାଟିଆ ଠାରେ ଥଇଥାନ କରାନଯିବା ପ୍ରତିବାଦରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେହି ପରିବାର ଗୁଡିକ ପକ୍ଷରୁ ଅନଶନ ଧାରଣା ଦିଆଯାଇଥିଲା।
ସୂଚନା ଅନୁଯାଇ ସାତଭାୟା ଗ୍ରାମପଞ୍ଚାୟତଟି ସମୁଦ୍ର ଗର୍ଭରେ ଲୀନ ହୋଇଯିବାରୁ ସେଠାରୁ ବାସଚ୍ୟୁତ ହୋଇଥିବା ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ସରକାରଙ୍କ ଥଇଥାନ ଓ ପୁର୍ନବସତି ଯୋଜନା ଅଧିନରେ ସରକାରଙ୍କ ଦ୍ୱାରା ନିର୍ଣ୍ଣିତ ହୋଇଥିବା ବଗପାଟିଆ ଠାରେ ସେମାନଙ୍କୁ ଘରଡିହ ଜମି ଯୋଗାଇ ଦିଆଯିବା କଥା। କିନ୍ତୁ ସେମାନଙ୍କୁ ଘରଡିହ ଯୋଗାଇ ଦିଆନଯିବାରୁ ସେମାନେ ଜିଲ୍ଲାପାଳଙ୍କୁ ବାରମ୍ବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା। ଶେଷରେ ସେମାନେ ବାଧ୍ୟ ହୋଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ନଂ- ୨୫୦୪୧/୨୦୨୩ରେ ଏକ ରିଟ ପିଟିସନ ଦାଖଲ କରିଥିଲେ। ଉଚ୍ଚ ନ୍ୟାୟାଳୟ ସେହି ଆବେଦନର ବିଚାର କରି ଗତ ତା ୧୦.୦୮.୨୦୨୩ରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ ଯେ ଆବେଦନକାରୀଙ୍କ ଆବେଦନକୁ ବିଚାର କରି ତିନିମାସ ମଧ୍ୟରେ ନିୟମ ଅନୁଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କିନ୍ତୁ ଏହାମଧ୍ୟରେ ଏକବର୍ଷ ସାତ ମାସ ବିତିଯାଇଥିଲେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଧାରଣାରେ ବସିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ଏହି ଧାରଣାରେ ସସ୍ମିତା ମଳିକଙ୍କ ସମେତ ଅନ୍ୟମାନେ ବସିରହିଥିବା ଦେଖାଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୈାଣସି ସରକାରୀ ଅଧିକାରୀ ଧାରଣାକାରୀମାନଙ୍କ ପାଖକୁ ଆସିନଥିବା ଜଣାପଡିଛି।
Discover more from
Subscribe to get the latest posts sent to your email.