
ପଟ୍ଟାମୁଣ୍ଡାଇ ୨/୧୦ -ବ୍ରାହ୍ମଣୀ ଓ ଖରସ୍ରୋତା ଓ କାଣୀ ନଦୀର ଅବବାହିକାରେ ଅବସ୍ଥିତ ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳରେ ଚଳିତ ବର୍ଷ ବର୍ଷା ଓ ବନ୍ୟା ସୃଷ୍ଟି କରିଛି ପ୍ରବଳ ବିପର୍ଯ୍ୟୟ। ଅଗଷ୍ଟ ଓ ସେପ୍େଟମ୍ବର ମାସରେ ୭ ଥର ଛୋଟବଡ଼ ବନ୍ୟା ଆସିବା ଫଳରେ ସ୍ଥାନୀୟ ଜନଜୀବନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୪ଟି ପଂଚାୟତର ପୌରାଂଚଳର ୧୧ ଓାର୍ଡ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିବା ପରେ ଗୃହପାଳିତ ପଶୁ ଓ ମଣିଷ ଅକଥନୀୟ କଷ୍ଟ ଭୋଗିଛନ୍ତି। ତେବେ ବନ୍ୟାଜଳ ହ୍ରାସ ପାଇବା ପରେ ଏବେ ପ୍ରଶାସନିକ ଉଦାସୀନତା ଜନସାଧାରଣଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଜଳବନ୍ଦୀ ଅବସ୍ଥା ଅପସରି ଯାଇଥିଲେ ହେଁ ସଂକ୍ରମକ ରୋଗ ବ୍ୟାପିବାର ଭୟାବହ ଆଶଙ୍କା ଦେଖାଦେଇଛି। ଧୋୟାଂଚଳର ଅଣ୍ଢରା, ତୁଳସୀଡିଆ ଓ ଅଳପୁଆଠାରେ ୩ଟି ସରକାରୀ ଡାକ୍ତରଖାନା ରହିଥିଲେ ମଧ୍ୟ ଦିନ ୧୨ଟା ପରେ ସେଗୁଡ଼ିକ ପ୍ରାୟତଃ ବନ୍ଦ ହୋଇଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜରୁରୀକାଳୀନ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଉପରେ ନିର୍ଭର କରିବାକୁ ପଡ଼ୁଥିଲେ ବି ଭଙ୍ଗା ରାସ୍ତା ଯୋଗୁଁ ଗାଁକୁ ଗାଡ଼ି ପହଁଚିବା ଅସମ୍ଭବ ହୋଇପଡ଼ିଛି। ସିଂହଗାଁ, ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି ଓ ବଲୁରିଆ ଆଦି ପଂଚାୟତର ପ୍ରତ୍ୟେକ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏକାଧିକ ଘାଇ ଓ ରେନକଟ୍ ସୃଷ୍ଟି ହୋଇଛି। ନାହିଆଡିଆ ମଳିକସାହି, ଦାଣ୍ଡିସାହି ଲକ୍ଷ୍ମୀନାରାୟଣ ମନ୍ଦିର ପାଖ, କୁଳସାହି ଆଶ୍ରମ ସ୍କୁଲ ରାସ୍ତା, କୋଳଥିଆ-ବାଲିକିରା ରାସ୍ତା, ଅଣ୍ଢରା ବ୍ରାହ୍ମଣସାହି, ଅମୃତମଣୋହି ନୂଆଡ଼ିଆ ଓ ଜଗନ୍ନାଥପୁର ଗାଁରେ ୩ଟି ସ୍ଥାନରେ ଘାଇ ହୋଇଥିବା ବେଳେ ବାଲିପାଟଣା ପଂଚାୟତ ଆଗଡ଼ିଆ ନଦୀକୂଳ, ମଣ୍ଡପଡ଼ା ଜୟଗୁରୁ ରାସ୍ତା ଏବଂ ନୀଳକଣ୍ଠପୁର ଗାଁ ଆଗଡ଼ିଆ ରାସ୍ତା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ନିକଟରେ ଯାଜପୁରରୁ ଭାସି ଆସିଥିବା ଜଣେ ମହିଳାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲେ ବି ରାସ୍ତା ଶୋଚନୀୟ ଯୋଗୁଁ ଆମ୍ବୁଲାନ୍ସ ପହଁଚିପାରି ନଥିଲା। ସେହିପରି ଶ୍ରୀରାମପୁର, ବଳଭଦ୍ରପୁର ଓ ଡାମରପୁର ଅବସ୍ଥା ହୋଇଥିଲେ ମଧ୍ୟ ପ୍ରଶାସନ ଧ୍ୟାନ ଦେଉନାହିଁ । ବନ୍ୟା ପରବର୍ତୀ ସ୍ଥିତିରେ ତୁରନ୍ତ ରାସ୍ତାଘାଟ ମରାମତି ଓ ସ୍ୱାସ୍ଥ୍ୟସେବା ଯୋଗାଇ ନଦେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି।
