
କେନ୍ଦ୍ରାପଡ଼ା,୨୫ା୯:ଲଗାଣ ବର୍ଷାରେ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଜାରୀଛକ ନିକଟରେ ନିର୍ମାଣାଧୀନ ରାସ୍ତାର ପ୍ରାୟ ଏକଶହ ମିଟର ରାସ୍ତା ଧସିଯାଇଛି। ଘଟଣା ପରେ ଚଣ୍ଡିଖୋଲ-ପାରାଦୀପ -୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣାଧୀନ ରାସ୍ତାର ଗୁଣବତ୍ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାସ୍ତାରେ ମାଟି ଠିକ୍ ଭାବେ ଜମା ଓ ସଂଘନୀକରଣ କରାଯାଇନଥିବାରୁ ଲଗାଣ ବର୍ଷାରେ ସେହି ମାଟି ଧସିଯାଇଛି। ଏଥିସହ ରାସ୍ତା ନିର୍ମାଣରେ ପାଉଁଶ ଓ ଜିପସମ୍ ଭଳି ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ରାସ୍ତା ଧସିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସେହି ରାସ୍ତା ଉପରେ ପ୍ରତିବାଦ କରିଥିଲେ। ରାସ୍ତା ନିର୍ମାଣର ଗୁଣବତ୍ତାକୁ ଯାଞ୍ଚ କରାଯିବା ସହ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ହେଉଛି ନିର୍ମାଣ କାର୍ଯ୍ୟରେ ଅବହେଳା ଯୋଗୁଁ ଏହି ରାସ୍ତାରେ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଛି। ପ୍ରାୟ ଅଢେଇ ହଜାର କୋଟି ଟଙ୍କାର ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ରାସ୍ତା ପ୍ରକଳ୍ପରେ ନିର୍ମାଣର ମାନ ଓ କାର୍ଯ୍ୟର ଗୁଣବତ୍ତା ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି। ଗତ ୭ ମାସ ତଳେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶ୍ୟାମସୁନ୍ଦର ଗଡା ନିକଟରେ ଏକଶହ ମିଟର ରାସ୍ତା ଧସିପଡିଥିଲା। ଲଗାଣ ବର୍ଷା ଯୋଗୁଁ ରାସ୍ତା ଧସିଛି ନା ନିର୍ମାଣରେ କୌଣସି ତ୍ରୁଟି ରହିଛି ତାହାର ବିଧିବଦ୍ଧ ତଦନ୍ତ କରାଯିବାକୁ ସମାଜସେବୀ ଚିତ୍ତରଞ୍ଜନ ଦାସ ଦାବି କରିଛନ୍ତି। ସେ କହିଛନ୍ତି ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ବାରମ୍ବାର ନିମ୍ନମାନର କାର୍ଯ୍ୟ କରୁଛି। ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ କରାଯାଇଛି। ହେଲେ କର୍ତ୍ତୃପକ୍ଷ ତାହାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି। ଯାହାର ଫଳ ସ୍ୱରୂପ ପୂର୍ବରୁ ଶ୍ୟାମସୁନ୍ଦରପୁର ଏବଂ ନୀଳାଞ୍ଚଳ ବଜାର ନିକଟରେ ନିର୍ମାଣାଧିନ ରାସ୍ତା ଧସିପଡିଥିବା ବେଳେ ଏବେ ହଜାରୀଛକ ନିକଟରେ ଜାତୀୟ ରାଜପଥ ରାସ୍ତା ଧସିପଡିଛି। ଆଗକୁ ଆହୁରି ଅନେକ ସ୍ଥାନରେ ରାସ୍ତା ଧସିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ଟିକସ ଅର୍ଥକୁ ଏହିପରି ଭାବରେ ବରବାଦ କରାଯାଉଛି। ଏହାର ଉତ୍ତର ଦାୟିତ୍ୱ କାହାର ତାହାକୁ ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି। ତଦନ୍ତ ପରେ କାରଣ ସ୍ପଷ୍ଟ ହୋଇପାରିବ। ଘଟଣାସ୍ଥଳରେ ବିଶେଷଜ୍ଞ ଟିମ୍ଦ୍ୱାରା ରାସ୍ତାର ଗୁଣବତ୍ତା ଓ ନିର୍ମାଣ ସାମଗ୍ରୀ ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି।
