
କେନ୍ଦ୍ରାପଡ଼ା,୨ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବଦୋୟ ସ୍ୱପ୍ନକୁ ଶାକାର କରିବେ ବୋଲି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଆଜି ଫଳପ୍ରଦ ହୋଇଛି। କାର କେନ୍ଦ୍ର ବଜେଟରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଓଡିଶା ଖୁବଶୀଘ୍ର ବିକସିତ ରାଜ୍ୟରେ ପରିଣତ ହେବ ବୋଲି କହିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୁନ୍ତ ପଣ୍ଡା। ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପଣ୍ଡା କହିଲେ ଆସନ୍ତା ୫ବର୍ଷ ମଧ୍ୟରେ ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକରେ ୫୦ହଜାର ଅଟଳ କିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ। ଓଡିଶାରେ ଏବେ ୮୩୬ଟି ଲ୍ୟାବ ରହିଛି। ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ଏହି ପ୍ରକଳ୍ପର ଉଦେଶ୍ୟ। ସେହିପରି ଓଡିଶାର ୩ହଜାର ୬୫୯ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଇଣ୍ଟରନେଟ ବ୍ରଡବ୍ୟାଣ୍ଡର ସୁବିଦା କରାଯିବ। ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ପୁସ୍ତକ ଯୋଗାଇଦେବା ପାଇଁ ସରକାର ଭାରତୀୟ ଭାଷା ପୁସ୍ତକ ଯୋଜନା ଆରମ୍ଭ କରିବେ। ଏହି ପ୍ରକଳ୍ପ ମାଧ୍ୟମରେ ଓଡିଆ ଭାଷାର ପ୍ରସାର ପ୍ରଚାର ହେବ। ପିଏମ ରିସର୍ଚ୍ଚ ଫେଲୋସିପ ଯୋଜନା ମାଧ୍ୟମରେ ବୈଷୟିକ ଗବେଷଣା ପାଇଁ ୧୦ହଜାର ଛାତ୍ରଛାତ୍ରୀଙ୍କୁ ଫେଲୋସିପ ପ୍ରଦାନ କରାଯିବ। ଜ୍ଞାନ ଭାରତମ ମିଶନ ଯୋଜନାରେ ପୁରାତନ ପୋଥି ଓ ପାଣ୍ଡୁଲିପିକୁ ଡିଜିଟାଇଜ୍ କରାଯିବ। ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଆସନ୍ତା ବର୍ଷରୁ ମେଡିକାଲ କଲେଜ ଗୁଡିକରେ ୧୦ହଜାର ସିଟ ବୃଦ୍ଧି କରାଯିବ। ଯୁବ ପିଢୀଙ୍କୁ ଦକ୍ଷ ବନାଇବା ପାଇଁ ପାଞ୍ଚୋଟି ଜାତୀୟ ଦକ୍ଷତା ଉକର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିରୁ ଗୋଟିଏ ଓଡିଶା ଭାଗରେ ପଡିବ। ଓଡିଶାରେ କିଷାନ କ୍ରେଡିଟକାର୍ଡଧାରୀମାନଙ୍କ ପାଇଁ କ୍ରେଡିଟ ସୀମା ୩ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୪୦ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଶ୍ରୀ ପଣ୍ଡା କହିଥିଲେ।
ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଯୋଗଦେଇ କହିଲେ ଯେ ରାଜ୍ୟ ସରକାର ବିକଶିତ ଓଡିଶା ଗଠନ କରିବା ପାଇଁ ପ୍ରୟାସ ଜାରିରଖିଛନ୍ତି। ସେହି ଅନୁଯାୟୀ ରାଜ୍ୟ ସରକାର ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ୩୦କୋଟି ଟଙ୍କା ବଜେଟ ରଖିଛନ୍ତି। ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩କୋଟି ଟଙ୍କା, ବକୁଳବନ ଓ ଅନ୍ୟାନ୍ୟ ପାଇଁ ୫୦କୋଟିଟଙ୍କା,ଦକ୍ଷିଣ ଓ ଉତ୍ତର ଓଡିଶା ଉନ୍ନୟନ ପରିଷଦ ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨କୋଟି, ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନ ପାଇଁ ୫୩କୋଟି ଟଙ୍କା, ଓଡିଆ ପ୍ରବାସୀଙ୍କ ପାଇଁ ୧୦କୋଟି ଟଙ୍କା, ସମୃଦ୍ଧ କୃଷକ ଯୋଜନା ପାଇଁ ୬ହଜାର କୋଟି ଟଙ୍କା, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୩୧୫କୋଟି ଟଙ୍କା ଆୟୁଷ୍ମାନ ଭାରତ ଓ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା ପାଇଁ ୧୦ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ।ଏହାପରେ ସାମ୍ବାଦିକ ମାନେ ସାଂସଦ ଶ୍ରୀ ପଣ୍ଡା ଓ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀଙ୍କୁ କେନ୍ଦ୍ର ଓ ରାଜ୍ୟ ବଜେଟରେ କେନ୍ଦ୍ରାପଡା ଜିଲ୍ଲା ପାଇଁ କଣ ବ୍ୟୟ ବରାଦ କରାଯାଇଛି, କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ସ୍କୁଲରେ ଶିକ୍ଷକ ନାହାନ୍ତି, ଜିଲ୍ଲାରେ ଛୁଞ୍ଚି କାରାଖାନା ଭଳି ଶିଳ୍ପ ଟିଏବି ନାହିଁ, କେନ୍ଦ୍ରାପଡା କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେଲାନାହିଁ କି ଖାଲି ପଡିଥିବା ଅଧିକାଂଶ ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀ ପଦବୀ ପୁରଣ ହେଉନି, ଜିଲ୍ଲାରେ ମେଡିକାଲ କଲେଜ କାହିିଁ, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇନି ଏଭଳି ବିଭିନ୍ନ ପ୍ରଶ୍ନ ପଚାରିବାରେ ସାଂସଦ ଓ ମନ୍ତ୍ରୀ ସେ ସ୍ଥାନ ଛାଡି ପଳାଇଥିଲେ। କେନ୍ଦ୍ରାପଡାର ସ୍ୱାର୍ଥ ଜଡିତ କୈାଣସି କାର୍ଯ୍ୟ କରାଯାଇନଥିବାରୁ ସାମ୍ବାଦିକମାନଙ୍କ ପ୍ରଶ୍ନବାଣରେ ଘାଇଲା ହୋଇ କୈାଣସି ଉତ୍ତର ଦେଇନପାରି ଉଭୟ ମନ୍ତ୍ରୀ ଓ ସାଂସଦ ସେଠାରୁ ପଳାଇ ଯାଇଥିଲେ।
